ଗାର୍ଡ ଅଫ୍ ଅନର୍ ସହ ଡ. ପରିଡ଼ାଙ୍କ ଶେଷକୃତ୍ୟ ସମ୍ପନ୍ନ

ଧର୍ମଶାଳା (ଆପ୍ର): ସର୍ବଭାରତୀୟ ସ୍ତରର ଜଣେ ସଫଳ ଉଦ୍ଭିଦ ବିଜ୍ଞାନୀ, ପ୍ରଖ୍ୟାତ ଜିନ୍ ଗବେଷକ ତଥା ଆଇଏଲ୍ଏସ୍ର ନିଦେ୍ର୍ଦଶକ ପଦ୍ମଶ୍ରୀ ଡ. ଅଜୟ ଭୂଷଣ ପରିଡ଼ାଙ୍କୁ ତାଙ୍କ ଜନ୍ମ ମାଟିରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଗତ ମଙ୍ଗଳବାର ଗୌହାଟୀ ସ୍ଥିତ ଏକ ହୋଟେଲ୍ରେ ପଦ୍ମଶ୍ରୀ ଡ. ପରିଡ଼ାଙ୍କ ହୃଦ୍ଘାତରେ ଦେହାବସାନ ପରେ ତାଙ୍କ ପାର୍ଥିବ ଶରୀରକୁ ବୁଧବାର ଜନ୍ମ ମାଟି ଯାଜପୁର ଜିଲ୍ଲା କୋତପୁର ପଞ୍ଚାୟତର ଭଗବାନପୁରକୁ ଅଣାଯାଇଥିଲା । ସେଠାରେ ଯାଜପୁର ଜିଲ୍ଲା ପ୍ରଶାସନ ଉପସ୍ଥିତିରେ ରାଜ୍ୟ ପୁଲିସ ବାହିନୀ ପକ୍ଷରୁ ପଦ୍ମଶ୍ରୀ ଡ. ପରିଡାଙ୍କୁ ଗାର୍ଡ ଅଫ୍୍ ଅନର୍ ପ୍ରଦାନ କରାଯାଇଥିଲା । ପରେ ତାଙ୍କ ପାର୍ଥିବ ଶରୀରର ଅନ୍ତ୍ୟେଷ୍ଟୀକ୍ରିୟା କରାଯାଇଥିଲା । ତାଙ୍କ ଶବାଧାର ଜାରକା ବଜାରରେ ପହଞ୍ଚିବା ପରେ ଧର୍ମଶାଳା ପ୍ରେସ୍ କ୍ଲବ୍, ଧର୍ମଶାଳା ବୁଦ୍ଧିଜୀବୀ ସଂଘ, ବ୍ଲକ୍ ପ୍ରଶାସନ ଏବଂ ରାଜନୈତିକ ଦଳ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା ।
ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂହ ରାଠୋର, ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ରାହୁଲ ପିଆର୍, ଧର୍ମଶାଳା ତହସିଲଦାର, ବିଡିଓ ଓ ପୁଲିସ ଅଧିକାରୀ ଭଗବାନପୁରରେ କାର୍ଯ୍ୟ ତଦାରଖ କରିଥିବା ବେଳେ ତାଙ୍କ ପାର୍ଥିବ ଶରୀରରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ, ଗ୍ରାମ୍ୟ ଉନ୍ନୟନ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷାମନ୍ତ୍ରୀ ପ୍ରୀତି ରଞ୍ଜନ ଘଡ଼ାଇ, ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ, ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ, ଯାଜପୁର ପ୍ରମୁଖ ଡ. ପରିଡାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ପୂର୍ବତନ ସାଂସଦ ରିତା ତରେଇ, ବିଡିଓ ଅରବିନ୍ଦ ବେହେରା, ତହସିଲଦାର ସ୍ୱାଗତ ଦାସ,ପୁର୍ବତନ ବିଧାୟକ ରବିଲାବଣ୍ୟ, ବ୍ଲକ୍ ଅଧ୍ୟକ୍ଷ ପ୍ରଭାତ ବଳବନ୍ତରାୟ, ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ରମେଶ ପରିଡା, ଜିଲ୍ଲାପରିଷଦ ଜଳଧର ମହାନ୍ତିଙ୍କ ସମେତ ଅନ୍ୟମାନେ ତାଙ୍କର ଶେଷ ଦର୍ଶନ କରିଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *