ବିରୂପା ଘେରିବନ୍ଧ ମରାମତି ଦାବି
କେନ୍ଦ୍ରାପଡ଼ା (ଆପ୍ର): କେନ୍ଦ୍ରାପଡ଼ା ବ୍ଲକ୍ ଇନ୍ଦୁପୁର ପଞ୍ଚାୟତ ଅଧୀନ ୧ନଂ, ୨ନଂ, ୫ନଂ, ୧୧ନଂଓ ୧୨ନଂ ୱାର୍ଡ ଅଧିବାସୀମାନେ ଯାତାୟାତ ପାଇଁ ବିରୂପା ଓ ବ୍ରାହ୍ମଣୀ ଘେରି ବନ୍ଧ ରାସ୍ତାରେ ନିର୍ଭର ଥିବା ବେଳେ ଏହାକୁ ତୁରନ୍ତ ମରାମତି ପାଇଁ ଦାବି କରାଯାଇଛି । ବନ୍ଧଟି ପ୍ରାୟ ଏକ କିମି ଧରି ଇନ୍ଦୁପୁର ରଣଢ଼ିଅ ଠାରୁ କଅଁରପୁ ପର୍ଯ୍ୟନ୍ତ ରହିଥିବା ବେଳେ ଇନ୍ଦୁପୁର ସମେତ ଆଖ ପାଖ ୩ ପଞ୍ଚାୟତ ଓ ଯାଜପୁର ଜିଲ୍ଲାର ବହୁ ଲୋକେ ଏହି ରାସ୍ତା ଉପରେ ନିର୍ଭରଶୀଳ । ହେଲେ ଏହି ବନ୍ଧରେ ସ୍ଥାୟୀ ପକ୍କା ରାସ୍ତା ନଥିବାରୁ ଅସରାଏ ବର୍ଷା ହେଲେ ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡ଼ୁଛି । ଗତ ବର୍ଷ ଏହି ରାସ୍ତାରେ ନାଲି ମୋରମ ବିଛା ଯାଇ ଥିଲେ ମଧ୍ୟ୍ୟ ଦୈନିକ ଗାଡି ମୋଟର ଯା’ଆସ କରିବା ଯୋଗୁ ରାସ୍ତାରେ ବଡ଼ ବଡ଼ ଖାଲ ମାନ ସୃଷ୍ଟି ହୋଇଛି । ଲଗାଣ ବର୍ଷା ହେଲେ ୧୨, ୧, ୫ ନଂ ୱାର୍ଡର ଲୋକେ ଏକରକମର ବାହ୍ୟ ଜଗତରୁ ବିଛିନ୍ନ ହୋଇଯା’ନ୍ତି । ଏଣୁ ଏହାର ସ୍ଥାୟୀ ପ୍ରତିକାର ନିମନ୍ତେ ଇନ୍ଦୁପୁର ସରପଞ୍ଚ ପ୍ରଦୀପ୍ତ ରଞ୍ଜନ ସ୍ୱାଇଁ ଓ ସମିତି ସଭ୍ୟଙ୍କ ନେତୃତ୍ୱରେ ଗ୍ରାମବାସୀ ଉପ ଜିଲ୍ଲାପାଳ ନିରଞ୍ଜନ ବେହେରାଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି ।