କେନ୍ଦ୍ରରେ ଖାଲି ପଡ଼ିଛି୧୦ଲକ୍ଷ ପଦ
ନୂଆଦିଲ୍ଲୀ, ୨୦ା୭: କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗରେ ଆସନ୍ତା ୧୮ ମାସ ଭିତରେ ୧୦ଲକ୍ଷ ଲୋକଙ୍କୁ ନିଯୁକ୍ତି ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିଛି ଦିନ ପୂର୍ବେ ଘୋଷଣା କରିଥିଲେ । ଏଥିଲାଗି ସବୁ ମନ୍ତ୍ରଣାଳୟ, ବିଭାଗ ଓ କେନ୍ଦ୍ରୀୟ ଏଜେନ୍ସିମାନଙ୍କୁ ନିଯୁକ୍ତି ସମ୍ବନ୍ଧୀୟ ନିଦେ୍ର୍ଦଶ ଦିଆଯାଇଥିଲା । ବୁଧବାର ସଂସଦରେ କାର୍ମୀକ ରାଷ୍ଟ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂହ କହିଛନ୍ତି, ବିଭିନ୍ନ କେନ୍ଦ୍ରୀୟ ମନ୍ତ୍ରଣାଳୟ ଓ ବିଭାଗରେ ଏବେ ପ୍ରାୟ ୧୦ ଲକ୍ଷ ପଦ ଖାଲି ପଡିଛି ।
ସଂସଦକୁ ସରକାରଙ୍କ ପକ୍ଷରୁ ଲିଖିତ ଆକାରରେ ଜଣାଇ ଦିଆଯାଇଛି ଯେ, ୨୦୨୧ ମାର୍ଚ୍ଚ ୧ ସୁଦ୍ଧା ୪୦ଲକ୍ଷ ୩୫ ହଜାର ସ୍ୱୀକୃତ ପଦ ଥିଲା । ସେଥିରୁ ୩୦ଲକ୍ଷ ୫୫ହଜାର ପଦରେ କର୍ମଚାରୀ ଅଛନ୍ତି । ଅର୍ଥାତ୍ ୯ଲକ୍ଷ ୮୦ହଜାର କର୍ମଚାରୀଙ୍କ ଅଭାବ ଥିଲା । ୨୦୧୬ ମାର୍ଚ୍ଚ ୧ ସୁଦ୍ଧା ୩୬.୩ ଲକ୍ଷ ସ୍ୱୀକୃତ ପଦ ମଧ୍ୟରୁ ୩୨.୨ ଲକ୍ଷ ପଦରେ କର୍ମଚାରୀ ଥିଲେ । ଏଥିରୁ ସ୍ପଷ୍ଟ ହୋଇଛି ଯେ ଗତ ୫ବର୍ଷରେ ସ୍ୱୀକୃତ ପଦରେ ପ୍ରାୟ ୧୧ ପ୍ରତିଶତ ବୃଦ୍ଧି ହୋଇଛି । ତା’ସତ୍ତ୍ୱେ କର୍ମଚାରୀ ସଂଖ୍ୟାରେ ୫ ପ୍ରତିଶତରୁ ଅଧିକ ହ୍ରାସ ଘଟିଛି ।
ପ୍ରଧାନମନ୍ତ୍ରୀ ଜୁନ୍ ୧୪ ତାରିଖ ଦିନ ଘୋଷଣା କରିଥିଲେ ଯେ ଆସନ୍ତା ଦେଢ ବର୍ଷ ଭିତରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗରେ ୧୦ଲକ୍ଷ ଲୋକଙ୍କୁ ଚାକିରି ଯୋଗାଇ ଦିଆଯିବ । ପ୍ରଧାନମନ୍ତ୍ରୀ ଏହି ଘୋଷଣା ଏପରି ସମୟରେ କରିଥିଲେ ଯେତେବେଳେ ବିରୋଧୀ ଦଳମାନେ ବେକାର ସମସ୍ୟା ନେଇ ସରକାରଙ୍କୁ ଘେରିଥିଲେ । ବୁଧବାର ସଂସଦକୁ ଦିଆଯାଇଥିବା ସୂଚନାନୁଯାୟୀ ରେଳ ମନ୍ତ୍ରଣାଳୟରେ ୨.୯୪ ଲକ୍ଷ, ପ୍ରତିରକ୍ଷା (ସିଭିଲ୍) ବିଭାଗରେ ୨.୬୪ ଲକ୍ଷ, ଗୃହ ମନ୍ତ୍ରଣାଳୟରେ ୧.୪ଲକ୍ଷ, ଡାକ ବିଭାଗରେ ପ୍ରାୟ ୯୦ ହଜାର ଓ ରାଜସ୍ୱ ବିଭାଗରେ ପ୍ରାୟ ୮୦ ହଜାର ପଦ ପୂରଣ ହୋଇନାହିଁ ।
ମନ୍ତ୍ରୀ ଜିତେନ୍ଦ୍ର ସିଂହ କହିଛନ୍ତି, ସରକାର ବିଭିନ୍ନ ମନ୍ତ୍ରାଳୟ ଓ ବିଭାଗ ତଥା ଅଧିନସ୍ଥ କାର୍ଯ୍ୟାଳୟଗୁଡିକରେ ଅବସରଗ୍ରହଣ, ପଦୋନ୍ନତି, ଇସ୍ତଫା, ମୃତୁ୍ୟ ଆଦି କାରଣରୁ ଅନେକ ପଦ ଖାଲି ହେଉଛି । ବହୁ ବର୍ଷ ହେଲା ସେହିସବୁ ପଦ ପୂରଣ ହୋଇପାରିନାହିଁ । ତେବେ ମିଶନ ମୋଡ୍ରେ ସେହି ସବୁ ପଦ ପୂରଣ କରିବା ଲାଗି ସମ୍ପୃକ୍ତ ବିଭାଗଗୁଡିକୁ କୁହାଯାଇଛି ।