ଭୁଶୁଡ଼ିଲା ନିର୍ମାଣାଧୀନ ଛାତ, ୫ ଶ୍ରମିକ ଗୁରୁତର
ପୁରୀରେ ଅଘଟଣ
ପୁରୀ (ବୁ୍ୟରୋ): ପୁରୀରେ ବୁଧବାର ସନ୍ଧ୍ୟାରେ ଏକ ଅଘଟଣ ଘଟିଛି । ମଶାଣିଚଣ୍ଡୀ ଛକ ନିକଟରେ ଏକ ନିର୍ମାଣାଧୀନ ଛାତ ଭୁଶୁଡ଼ି ପଡ଼ିଛି । ନିର୍ମାଣ କାର୍ଯ୍ୟ ଚାଲୁଥିବା ବେଳେ ଛାତଟି ଭୁଶୁଡ଼ି ପଡ଼ିଥିଲା । ଫଳରେ ଛାତ ତଳେ ୫ ଜଣ ଶ୍ରମିକ ଫସି ରହିଥିଲେ । ଖବରପାଇ ଓଡ୍ରାଫ୍ ଓ ଅଗ୍ନିଶମ କର୍ମଚାରୀମାନେ ପହଞ୍ଚି ଦୀର୍ଘ ୧ଘଣ୍ଟାରୁ ଊଦ୍ଧ୍ୱର୍ ସମୟ ଧରି ଅପରେସନ କରିବା ପରେ ୫ଜଣ ଶ୍ରମିକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସେମାନଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ସ୍ୱତନ୍ତ୍ର କ୍ୟାବିନ୍ରେ ଚିକିତ୍ସା ଜାରି ରହିଛି ।
ସୂଚନାଯୋଗ୍ୟ ସ୍ଥାନୀୟ ମଶାଣିଚଣ୍ଡୀ ଛକ ନିକଟରେ ବିଭୂତି ମିଶ୍ରଙ୍କ ଘର ନିର୍ମାଣ ଜାରି ରହିଥିଲା । ବୁଧବାର ଘରର ଛାତ ପଡୁଥିବା ବେଳେ ସନ୍ଧ୍ୟା ସମୟରେ ଛାତରେ ଲଗାଯାଇଥିବା ବହ୍ଲାଗୁଡ଼ିକ ଖସି ଯାଇଥିଲା । ଫଳରେ ଛାତଟି ହଠାତ୍ ଭୁଶୁଡ଼ି ପଡ଼ିଥିଲା । ଛାତ ଉପରେ ମିସ୍ତ୍ରୀ ଭରତ ଜେନା ଓ ଅନ୍ୟ ୪ଜଣ ଶ୍ରମିକ ତଳକୁ ଖସି ପଡ଼ିଥିଲେ । ସେମାନଙ୍କ ଉପରେ ଛାତ ମାଡ଼ ବସିଥିଲା । ଉକ୍ତ ଘଟଣା ଜଣାପଡ଼ିଲା ପରେ ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ସ୍ଥାନୀୟ ଲୋକେ ପହଞ୍ଚô ଉଦ୍ଧାର କାର୍ଯ୍ୟ ଜାରି ରଖିବା ସହ ଓଡ୍ରାଫ୍ ଟିମ୍କୁ ଖବର ଦେଇଥିଲେ । ସେମାନେ ଦୀର୍ଘ ଦେଢ଼ଘଣ୍ଟାରୁ ଊଦ୍ଧ୍ୱର୍ ସମୟ ଛାତ ତଳେ ଚାପି ହୋଇ ରହିବା ପରେ ସ୍ଥାନୀୟ ଲୋକେ ଓ ଓଡ୍ରାଫ୍ ଟିମ୍ ଜଣଙ୍କ ପରେ ଜଣଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଥିଲେ । ଶେଷରେ ମିସ୍ତ୍ରୀ ଭରତକୁ ଉଦ୍ଧାର କରିଥିଲେ । ସେମାନଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ଥିବାରୁ ସେମାନଙ୍କୁ ଜିଲ୍ଲା ମେଡିକାଲ୍ରେ ସ୍ୱତନ୍ତ୍ର ଭାବେ ଚିକିତ୍ସା ଜାରି ରହିଛି । ଅନ୍ୟପକ୍ଷରେ ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁଯାୟୀ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦୟାରୁ ରାଜମିସ୍ତ୍ରୀ ସୁରକ୍ଷିତ ଭାବେ ଉଦ୍ଧାର ହୋଇଛନ୍ତି । ପଟା ସେଣ୍ଟ୍ରିଂରେ ତ୍ରୁଟି ଯୋଗୁଁ ଏଭଳି ଅଭାବନୀୟ ଘଟଣା ଘଟିଛି । କାମ ଜାରି ରହିଥିବା ବେଳେ ହଠାତ୍ ଦୁଇଟି ବହ୍ଲା ଖସି ପଡ଼ିଥିଲା । ବହ୍ଲା ଖସିପଡ଼ିବା ଫଳରେ ଛାତଟି ସମ୍ପୂର୍ଣ୍ଣ ଗଳି ପଡ଼ିଥିଲା ।