୫୫ନଂ ଏନ୍ଏଚ୍ କାମ ବିଳମ୍ବକୁ ବିରୋଧ
ଢେଙ୍କାନାଳ (ଆପ୍ର): ଢେଙ୍କାନାଳ ଜିଲ୍ଲା ଦେଇ ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟକୁ ନେଇ ଅସନ୍ତୋଷ ସୃଷ୍ଟିହେବା ସହିତ ଏନ୍ଏଚ୍ଆଇ ପିଡିଙ୍କ ମନୋମୁଖୀ କାର୍ଯର୍୍ୟକୁ ନେଇ ଶୁକ୍ରବାର ଦିନ ଢେଙ୍କାନାଳ ବନ୍ଦ ଡାକରା ଦିଆଯାଇଛି । ବନ୍ଦ ପାଳନ ଦିନ ସମସ୍ତ ଯାନବାହନ ଚଳାଚଳ ବନ୍ଦ ରହିବା ସହିତ ସକାଳ ୬ରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ଦୋକାନ ବଜାର ବନ୍ଦ ରଖିବାକୁ ବୁଧବାର ଅପରାହ୍ନରେ ଓକିଲ ସଂଘର ବୈଠକରେ ନିଷ୍ପତ୍ତି ନିଆଯାଇଛି । ଜିଲ୍ଲାଦେଇ ଯାଇଥିବା ୫୫ ରାଜପଥ ସମ୍ପ୍ରସାରଣ କାର୍ଯ୍ୟ କିଛିଦିନ ହେବ ବିପର୍ଯ୍ୟସ୍ତ ହୋଇପଡିଛି । ବାରମ୍ବାର ଦାବି ଏବଂ ଚେତାବନୀ ସତ୍ୱେ ଏହାର କାର୍ଯ୍ୟ ଶେଷ ନହେବା ଏବଂ ରାସ୍ତା ମରଣଯନ୍ତା ପାଲଟିଥିବାରୁ ଏହାକୁ ନେଇ ଜନଅସନ୍ତୋଷ ସୃଷ୍ଟି ହୋଇଛି । ଜାତୀୟ ରାଜପଥର ପିଡିଙ୍କ ମନୋମୁଖୀ କାର୍ଯ୍ୟକୁ ନେଇ ଶୁକ୍ରବାର ୨୨ ତାରିଖ ଦିନ ଜିଲ୍ଲା ଓକିଲ ସଙ୍ଘ, ଚାମ୍ବର ଅଫ କମର୍ସ , ବସ, ଟ୍ରକ, ଟାକ୍ସି, ମାଲିକ ସଙ୍ଘ ତରଫରୁ ଏହି ବନ୍ଦଡାକରା ଦିଆଯାଇଥିବା ବେଳେ ଏହି ବନ୍ଦକୁ ଦଳମତ ନିର୍ବିଶେଷରେ ସମସ୍ତେ ସମର୍ଥନ କରିବାକୁ ଆହ୍ୱାନ ଦିଆଯାଇଛି ।
ଢେଙ୍କାନାଳ ଓକିଲ ସଙ୍ଘର ସଭାପତି ସଞ୍ଜୟ କୁମାର ମିଶ୍ରଙ୍କ କହିବା ଅନୁସାରେ ବାରମ୍ବାର ପ୍ରଶାସନ ସହିତ ଆଲୋଚନା ଏବଂ ଏନଏଚ୍ଆଇର ପିଡିଙ୍କୁ ଜଣାଇବା ପରେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଗଲା ନାହିଁ । ବର୍ତ୍ତମାନ ଏନ୍ଏଚ୍ ୫୫ ମରଣଯନ୍ତା ପାଲଟିଛି । ଏହାର ବିରୋଧରେ ୨୨ ତାରିଖ ଦିନ ବନ୍ଦ ଡାକରା ଦିଆଯାଇଥିବା ବେଳେ ସହର ଦେଇ କୌଣସି ଯାନବାହନ ଚଳାଚଳ କରିବ ନାହିଁ । ସକାଳ ୬ରୁ ସନ୍ଧ୍ୟା ପର୍ଯ୍ୟନ୍ତ ଏହି ବନ୍ଦ ଜାରି ରହିବା ସହିତ ଦୋକାନ ବଜାର ବନ୍ଦ ରହିବ । ପରେ ଏକ ଶୋଭାଯାତ୍ରା ବାହାରି ଏନ୍ଏଚ୍ଆଇ ପିଡିଙ୍କ କାର୍ଯ୍ୟାଳୟକୁ ଯାଇ ତାଲାବନ୍ଦ କରିବା ସହିତ ଯେ ପର୍ଯ୍ୟନ୍ତ କାର୍ଯ୍ୟ ନହୋଇଛି ସେତେଦିନ ପର୍ଯ୍ୟନ୍ତ ତାଲା ଖୋଲିବ ନାହିଁ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଛି । ପରେ ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯିବ ବୋଲି ସଭାପତି ପ୍ରକାଶ କରିଛନ୍ତି । ସେହିପରି ବସ୍ ମାଲିକ ସଙ୍ଘ ତରଫରୁ ଏହି ବନ୍ଦକୁ ସମର୍ଥନ କରିବ । ସକାଳ ୭ରୁ ୯ଟା ଯାଏ ଟ୍ରେନ ଚଳାଚଳ ମଧ୍ୟ ବନ୍ଦ ରଖାଯିବ ।