୧୭ ପ୍ରସ୍ତାବକୁ କ୍ୟାବିନେଟ୍ ମୋହର
ଭୁବନେଶ୍ୱର, ୧୯ା୭ (ବୁ୍ୟରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଅନୁଷ୍ଠିତ କ୍ୟାବିନେଟ୍ରେ ୧୭ ପ୍ରସ୍ତାବ ଉପରେ ମୋହର ବାଜିଛି । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଓ ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଏନେଇ ବିଧାନସଭାରେ ସୂଚନା ଦେଇଛନ୍ତି । ଓଡିଶା ଆଇଟି ପଲିସି-୨୦୨୨କୁ କ୍ୟାବିନେଟର ମଞ୍ଜୁରୀ ମିଳିଛି । ଓଡ଼ିଶା ମୋବାଇଲ୍ ଟାୱାର, ଓଏଫ୍ସି ଏବଂ ଟେଲିକମ୍ ଭିତ୍ତିଭୂମୀ ନୀତି ୨୦୧୭କୁ ସଂଶୋଧନ କରାଯାଇଛି । ଓଡ଼ିଶା ସଚିବାଳୟ କାର୍ଯ୍ୟନିର୍ବାହୀ ଓ ବ୍ୟକ୍ତିଗତ ସହାୟକ ନିଯୁକ୍ତି ପ୍ରଣାଳୀରେ ସଂଶୋଧନ ହୋଇଛି । ସେହିପରି ବରୁଣେଇରେ ଶହୀଦ ସ୍ମାରକୀ ପାଇଁ ସରକାର ୯.୬୮ ଏକର ଜମି ପ୍ରଦାନ କରିଛନ୍ତି । ସେହିପରି ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ‘ଜେଏମ୍ଏମ୍- ଜଳ ଜୀବନ ମିଶନ’କୁ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି । ଯାହାଫଳରେ କୋରାପୁଟ, ରାୟଗଡ଼, ଜଗତସିଂହପୁର ଓ ଅନୁଗୁଳ ଜିଲ୍ଲାର ୧୦ ବ୍ଲକରେ ନିରାପଦ ପାନୀୟ ଜଳ ମିଳିବ ।
ପୁରୀ ଅବଢ଼ା ଯୋଜନାରେ ଧର୍ମଶାଳା ନିର୍ମାଣ ପାଇଁ ୧୩୫ କୋଟି ଟଙ୍କା ଅନୁମୋଦନ ହୋଇଛି । ୪ ଜିଲ୍ଲା (ବଲାଙ୍ଗୀର, କଳାହାଣ୍ଡି, ବରଗଡ ଓ ନୂଆପଡ଼ା)କୁ ମନରେଗା ଯୋଜନାରେ ଅଧିକ ୨୦୦ ଦିନ କାମ ଯୋଗାଇଦେବାକୁ ପ୍ରସ୍ତାବ ଗୃହୀତ ହୋଇଛି । ଏହି ଯୋଜନା ୨୦ ବ୍ଲକରେ ଲାଗୁ ହେବ । ଦାଦନ ପ୍ରବଣ ବ୍ଲକରେ କାମ ଯୋଗାଇବା ଲଷ୍ୟରେ ସରକାର ଏପରି ନୂଆ ନିଷ୍ପତ୍ତି ନେଇଛନ୍ତି । ପ୍ରକଳ୍ପ ନିର୍ମାଣ ପାଇଁ ୧୪୯.୬୦ ଲକ୍ଷ ଟଙ୍କା ପ୍ରଦାନ ପାଇଁ ଅନୁମୋଦନ ହୋଇଛି । ସେହିଭଳି ଓଡ଼ିଶା ଲୋକାୟୁକ୍ତଙ୍କର ୨୦୨୧ ବର୍ଷର ବାର୍ଷିକ ରିପୋର୍ଟ ଅନୁମୋଦନ ହୋଇଛି ।
ଖୋର୍ଦ୍ଧା ଜିଲ୍ଲା ଜଟଣୀ ତହସିଲ ଅନ୍ତର୍ଗତ ରାମଚନ୍ଦ୍ରପୁର ମୌଜାରେ ମୋଟ ୭.୯୭ ଏକର ଜମିକୁ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରାଯିବାକୁ ପ୍ରସ୍ତାବ ଗୃହିତ ହୋଇଛି । ଓଡ଼ିଶା ଡିପ୍ଲୋମା ଯାନ୍ତ୍ରିକ ସେବା ନିୟମାବଳୀ-୨୦୧୨ର ସଂଶୋଧନ କରାଯାଇଛି । ବିନା ବିସ୍ଥାପନରେ ଋଷିକୁଲ୍ୟା ନଦୀରେ ଗଞ୍ଜାମ ଜିଲ୍ଲାର ବରଦା ଗାଁ ନିକଟରେ ଏକ ଆନିକଟ ସେତୁ ନିର୍ମାଣ କରିବାର ପ୍ରସ୍ତାବ ରହିଛି । ଏହି ପ୍ରକଳ୍ପର ନିର୍ମାଣ ଓ ପରବର୍ତ୍ତୀ ୫ବର୍ଷ ପର୍ଯ୍ୟନ୍ତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ମୋଟ ୧୫୨.୧୦କୋଟି ଟଙ୍କାର ଟେଣ୍ଡରକୁ ରାଜ୍ୟ କ୍ୟାବିନେଟ୍ ଅନୁମାଦନ କରିଛନ୍ତି । ଏହି ପ୍ରକଳ୍ପ ୩୬ମାସ ମଧ୍ୟରେ ସମ୍ପୂର୍ଣ୍ଣ ହେବାର ଲଷ୍ୟ ରହିଛି । ଉକ୍ତ ପ୍ରକଳ୍ପଟି ଗଞ୍ଜାମ ଜିଲ୍ଲାର ଛତ୍ରପୁର, ଗଞ୍ଜାମ ବ୍ଲକ ଓ ଛତ୍ରପୁର ଏନଏସି, ଗଞ୍ଜାମ ଏନଏସି ଓ ବ୍ରହ୍ମପୁର ସହରର ୧୬ଟି ଗାଁର ଲୋକଙ୍କ ପାନୀୟଜଳ ଓ ଘରାଇ ବ୍ୟବହାର ପାଇଁ ପର୍ଯ୍ୟାପ୍ତ ଜଳ ଉପଲବ୍ଧ କରାଇବ । ଏହାସହ ଉକ୍ତ ଜଳାଶୟଟି ସ୍ଥାନୀୟ ଲୋକଙ୍କ ଚାଷ କାର୍ଯ୍ୟ, ଶିଳ୍ପ, ସାମାଜିକ, ଆର୍ଥିକ ଉନ୍ନତିରେ ସହାୟକ ହେବ ଏବଂ ୧୬୪ ହେକ୍ଟର ପରିମିତ ଅଞ୍ଚଳରେ ମାଛ ଚାଷ ନିମନ୍ତେ ସହାୟକ ହୋଇପାରିବ ବୋଲି ଜଣାପଡ଼ିଛି ।
ସୂଚନାଯୋଗ୍ୟ, ଓଡ଼ିଶାକୁ ଦେଶର ଆଇଟି କ୍ଷେତ୍ର ପାଇଁ ପୁଞ୍ଜିନିବେଶର ଅଗ୍ରଣୀ ସ୍ଥଳୀ ଭାବେ ପରିଣତ କରିବା ଓ ନିଯୁକ୍ତି ସୁଯୋଗ ସୃଷ୍ଟି ସହ ଆଇଟି ଆଉଟସାର୍ସିିଂରେ ଓଡ଼ିଶାକୁ ବିଶ୍ୱ ମାନଚିତ୍ରରେ ସ୍ଥାନିତ କରିବା ହେଉଛି ଏହି ଆଇଟି ପଲିସିର ମୁଖ୍ୟ ଲଷ୍ୟ । ସେହିପରି ‘ପାଇକ ସ୍ମାରକୀ’ ଘୋଷଣା ହେବାର ପ୍ରାୟ ୩ ବର୍ଷ ପରେ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟକୁ ବିନା ମୂଲ୍ୟରେ ଜମି ହସ୍ତାନ୍ତର କରିଛନ୍ତି ରାଜ୍ୟ ସରକାର । ରାଷ୍ଟ୍ରପତି ରାମନାଥ କୋବିନ୍ଦ ୨୦୧୯ ଡିସେମ୍ବର ମାସରେ ଏହି ‘ପାଇକ ସ୍ମାରକୀ’ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ସେହିଭଳି ଡିଆରଡିଏ କର୍ମଚାରୀମାନେ ଜିଲ୍ଲା ପରିଷଦରେ ମିଶ୍ରଣ ହେବା ପରେ ସେମାନଙ୍କର ଦରମା ଓ ଅନ୍ୟାନ୍ୟ ପ୍ରତିଷ୍ଠାନ ଦେୟ ୫ମ ଅର୍ଥ କମିଶନ ସୁପାରିଶ କରିଥିବା ପ୍ରବେଶ କର ପରିବର୍ତ୍ତେ ରାଜ୍ୟ ଜିଏସଟିରୁ କ୍ଷତିପୂରଣ ବାବଦରେ ଏହାର କାର୍ଯ୍ୟାନୁଷ୍ଠାନ ରିପୋର୍ଟର ପାରା ୬.୬କୁ କୋହଳ କରିବା ପାଇଁ ରାଜ୍ୟ କ୍ୟାବିନେଟ ମଞ୍ଜୁରୀ ଦେଇଛନ୍ତି । ଡିଆରଡଇଏ କର୍ମଚାରୀମାନଙ୍କ ଜିଲ୍ଲା ପରିଷଦରେ ମିଶ୍ରଣ ପରେ ସେମାନଙ୍କର ଦରମା ଓ ଅନ୍ୟାନ୍ୟ ପ୍ରତିଷ୍ଠାନ ଦେୟ ବାବଦରେ ସରକାରଙ୍କୁ ୨୦୨୨-୨୩ ଆର୍ଥିକ ବର୍ଷରୁ ହାରାହାରି ୭୦.୨୫କାଟି ଟଙ୍କା ଅଧିକ ବ୍ୟୟବରାଦ କରିବାକୁ ପଡ଼ିବ ବୋଲି ଜଣାପଡ଼ିଛି ।