ପୁଲିସ୍କୁ ଗୋଡ଼ାଇ ପିଟିଲେ
ମହିଳାଙ୍କ ଆତ୍ମହତ୍ୟାକୁ ନେଇ ତୁମୁଳକାଣ୍ଡ
ଉମରକୋଟ (ଆପ୍ର): ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ୍ ଝରିଗୁଡ଼ା ଗାଁରେ ଜଣେ ମହିଳାଙ୍କ ଆତ୍ମହତ୍ୟାକୁ ନେଇ ପୁଲିସ୍ ସ୍ଥାନୀୟ ଲୋକଙ୍କ ଆକ୍ରମଣ ଶିକାର ହୋଇଛି । ମହିଳାଙ୍କ ଶବକୁ ପୁଲିସ୍ ବ୍ୟବଚ୍ଛେଦ ପାଇଁ ନେଉଥିବା ବେଳେ ଏଥିରେ ଗାଁଲୋକେ ବାଧା ଦେଇଥିଲେ । ଏହାସହ ମୃତ ମହିଳାଙ୍କ ସ୍ୱାମୀଙ୍କୁ ପୁଲିସ୍ ସୁରକ୍ଷା ବଳୟ ଭିତରେ ନେଉଥିବା ବେଳେ ଗାଁଲୋକେ ପୁଲିସ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଛନ୍ତି । ସୂଚନାନୁସାରେ ମୃତ ମହିଳା ଜଣକ ଅଞ୍ଚଳର ବଦ୍ରିକା ପନକା ହୋଇଥିବା ବେଳେ ସେ ଗତ ତିନି ବର୍ଷ ତଳେ ଝରିଗୁଡ଼ା ସ୍ଥିତ ସୁଶୀଲ ନାଗଙ୍କୁ ପ୍ରେମ ବିବାହ କରିଥିଲେ । ଜାତି ପ୍ରଥାକୁ ନେଇ ଦୁଇ ପରିବାର ମଧ୍ୟରେ ବିବାଦ ଲାଗି ରହିଥିବା ବେଳେ ଗତ ରାତିରେ ମହିଳା ଜଣକ ନିଜ ଘରେ ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଥିଲେ । ତେବେ ଝିଅ ଘର ପକ୍ଷରୁ ଏହାକୁ ହତ୍ୟା ବୋଲି ଅଭିଯୋଗ କରାଯାଇ ଡାବୁଗାଁ ଥାନାରେ ଏକ ମାମଲା ରୁଜୁ କରାଯାଇଛି ।
ମଙ୍ଗଳବାର ବ୍ୟବଚ୍ଛେଦ ପାଇଁ ପୁଲିସ ଶବ ନେବାକୁ ଗାଁରେ ପହଞ୍ଚିଥିବା ବେଳେ ମୃତ ମହିଳାଙ୍କ ପରିବାର ପକ୍ଷରୁ ଏଥିରେ ବାଧା ଦିଆଯାଇଥିଲା । ସେପଟେ ଏକ ଘର ଭିତରେ ଲୁଚି ରହିଥିବା ବଦ୍ରିକାଙ୍କ ସ୍ୱାମୀ ସିଶିଲକୁ ଡାବୁଗାଁ ପୁଲିସ୍ ଗିରଫ କରି ନେବା ସମୟରେ ମୃତ ମହିଳାଙ୍କ ସମ୍ପର୍କୀୟମାନେ ଅଭିଯୁକ୍ତକୁ ମାଡ଼ ମାରିବା ପାଇଁ ଗୋଡାଇଥିଲେ । ଏଥିରେ ପୁଲିସ୍ ବାଧା ଦେବାରୁ ଆଇଆଇସି ଓ ପୁଲିସ କର୍ମଚାରୀଙ୍କୁ ଗୋଡେଇ ଗୋଡେଇ ପିଟିଥିଲେ । ଏଥିରେ ଡ଼ାବୁଗାଁ ଥାନା ଅଧିକାରୀ ଅଭିମନୁ୍ୟ ଦୁର୍ଗା, ଏସ୍ଆଇ କୂଳଭୂଷଣ ନାୟକ ଓ ଦୁଇ ମହିଳା ପୁଲିସ କର୍ମଚାରୀ ଆହତ ହୋଇଛନ୍ତି । ଘଟଣାକୁ ନେଇ ଝରିଗୁଡ଼ାରେ ଉତ୍ତେଜନା ସୃଷ୍ଟି ଲାଗି ରହିଥିବା ବେଳେ ଉମରକୋଟ, ଝରିଗାଁ ଓ ଡାବୁଗାଁରୁ ଅଧିକ ପୁଲିସ ଫୋର୍ସ ପହଞ୍ଚô ସ୍ଥିତି ନିୟନ୍ତ୍ରଣ କରିଥିଲେ । ପୁଲିସ୍ ଉପସ୍ଥିତିରେ ମହିଳାଙ୍କ ଶବକୁ ବ୍ୟବଚ୍ଛେଦ ପାଇଁ ଡାବୁଗାଁ ପଠା ଯାଇଥିବା ବେଳେ ଆକ୍ରମଣକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉମରକୋଟ ଏସ୍ଡିପିଓ ନିହାର ରଞ୍ଜନ ପ୍ରଧାନ କହିଛନ୍ତି ।