ବର୍ଷା ପାଣିରେ ବୁଡି ରହିଛି ଧାନ ତଳି

ରାଜନଗର (ଆପ୍ର): ଗତ ୫ ଦିନ ହେଲା ଲଗାଣ ବର୍ଷା ଲାଗିରହିଛି । ଚାଷୀବିଲରେ ହଳକରି ଆଛରାବିହନ ବୁଣିଥିଲେ । ଧାନ ତଳି ୩/୪ ଇଞ୍ଚ ହୋଇଥିବା ବେଳେ, ଚାଷ ଜମିରେ ବର୍ଷା ପାଣି ଜମି ରହିଛି । ବର୍ଷା ପାଣି ସାଙ୍ଗକୁ ହଂସୁଆ ନଦୀର ଜୁଆର ପାଣି ମଧ୍ୟ ଚାଷ ଜମିରେ ମାଡି ଯାଇଛି । ନଈ ଫୁଲିକି ଥିବାରୁ ଚାଷ ଜମିର ପାଣି ନିଷ୍କାସନ ହୋଇପାରୁନି । ଏପଟେ ଧାନ ତଳି ପଚିବା ଆରମ୍ଭ କଲାଣି । ଚାଷଜମିରୁ ଦିନେ ଦୁଇ ଦିନ ମଧ୍ୟରେ ପାଣି ନିଷ୍କାସନ ନ ହେଲେ ଧାନ ତଳିସମ୍ପୂର୍ଣ୍ଣ ନଷ୍ଟ ହୋଇଯିବାର ପରିସ୍ଥିତି ସୃଷ୍ଟି ହେବ । ରାଜନଗର ବ୍ଲକ୍‌ ମହୁଲିଆ ମୌଜାରେ ଚାଷୀମାନେ ଧାନ ଗଜାକରି ଆଛରା ବିହନ ପକାଇଥିଲେ । ୧୦ ଦିନ ତଳେ ପଡିଥିବା ଆଛରାବିହନ ଏବେ ୩/୪ ଇଞ୍ଚର ତଳି ହୋଇଗଲାଣି ।
ଏପଟେ ବର୍ଷା ପାଣି ଜମିରହିଥିବା ବେଳେ ସେପଟେ ହଂସୁଆ ନଦୀର ଜୁଆର ପାଣିଭେଡା ମଧ୍ୟକୁ ପଶୁଛି । ୫ଦିନ ହେଲା ଧାନ ତଳି ପାଣିରେ ବୁଡି ରହିଥିବାରୁ ତଳି ପଚିବା ଆରମ୍ଭ କଲାଣି । ଗାଁର ଚାଷୀ ବୁଦ୍ଧିରାମ ପ୍ରଧାନଙ୍କ କହିବା କଥା ୩ ଏକର ଜମିରେ ସୁପର ପୂଜା ଓ ଗୋଲଡେନ୍‌ ସୁପରବିହନ ଗଜା ପକାଇଥିଲେ । ଦିନେ ଦୁଇଦିନ ମଧ୍ୟରେ ପାଣି ନିଷ୍କାସନ ନ ହେଲେସମ୍ପୂର୍ଣ୍ଣ ଧାନ ତଳି ନଷ୍ଟ ହୋଇଯିବ ବୋଲି କହିଛନ୍ତି । ଚାଷୀ ଅକ୍ଷୟ ବିଶ୍ୱାଳ, ରବିନ୍ଦ୍ର ସ୍ୱାଇଁ, ଶୁକଦେବ ରାଉତ, ଶ୍ୟାମସୁନ୍ଦର ରାଉତ, କାଙ୍ଗାଳି ପ୍ରଧାନ ପ୍ରମୁଖ ସମାନ କଥା କହିଛନ୍ତି । ଏହିମୌଜାରେ ପ୍ରାୟ ୮୦ ଏକର ଜମିରେ ଏପରି ସ୍ଥିତି ସୃଷ୍ଟି ହୋଇଛି । ସରକାରୀ ବିହନ ମିଳୁ ନ ଥିବା ବେଳେ ଏପରି ଅବସ୍ଥା ଚାଷୀଙ୍କ ମୁଣ୍ଡରେ ଚଡ଼କ ପକାଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *