ହତ୍ୟା ପାଇଁ ଆସିଥିବା ପାକ୍ ଯୁବକ ଗିରଫ
ନୂଆଦିଲ୍ଲୀ: ନୂପୁରଙ୍କୁ ହତ୍ୟା କରିବା ପାଇଁ ପାକିସ୍ତାନରୁ ଆସିଥିବା ଜଣେ ୨୪ବର୍ଷୀୟ ଯୁବକକୁ ଗିରଫ କରାଯାଇଛି । ରାଜସ୍ଥାନର ଶ୍ରୀଗଙ୍ଗାନଗର ଜିଲ୍ଲାର ଅନ୍ତର୍ଜାତୀୟ ସୀମା ନିକଟରେ ମୁତୟନ ବିଏସ୍ଏଫ୍ ଯବାନ୍ଙ୍କ ହାତରେ ଧରାପଡିଥିବା ଏହି ଯୁବକ ପାଖରୁ ଏକ ୧୧ ଇଞ୍ଚର ଛୁରୀ ମଧ୍ୟ ଜବତ କରାଯାଇଛି । ଏକ୍ ଟିଭି ଡିବେଟ୍ରେ ପ୍ରଫେଟ୍ ମହମ୍ମଦଙ୍କ ସମ୍ପର୍କରେ ଦେଇଥିବା ବିବାଦୀୟ ମନ୍ତବ୍ୟ କାରଣରୁ ବିଜେପିର ନିଲମ୍ବିତ ନେତ୍ରୀ ନୂପୁର ଶର୍ମାଙ୍କ ପ୍ରତି ଏକ ଅସୁରକ୍ଷିତ ପରିବେଶ ସୃଷ୍ଟି ହୋଇଛି । ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ ପକ୍ଷରୁ ନୂପୁରଙ୍କୁ ହତ୍ୟା କରାଯିବା ପାଇଁ ବାରମ୍ବାର ଧମକ ଦିଆଯାଉଛି । ଏସବୁ ମଧ୍ୟରେ ପାକିସ୍ତାନରୁ ଜଣେ ଯୁବକ ନୂପୁରଙ୍କୁ ହତ୍ୟା କରିବାକୁ ଆସିଥିବା ଜଣାପଡିବା ପରେ ଏହାକୁ ନେଇ ଦେଶବ୍ୟାପୀ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଭାରତ ସୀମା ମଧ୍ୟକୁ ବେଆଇନ୍ ଭାବେ ଅନୁପ୍ରବେଶ କରିଥିବା ଏହି ଯୁବକର ନାମ ରିଜୱାନ୍ ଅଶରଫ୍ ଏବଂ ସେ ନୂପୁରଙ୍କୁ ହତ୍ୟା କରିବା ପାଇଁ ଭାରତ ଆସିଛି ବୋଲି କହିଥିବା ବିଏସ୍ଏଫ୍ କହିଛି । ଅଷ୍ଟମ ପର୍ଯ୍ୟନ୍ତ ଅଧ୍ୟୟନ କରିଥିବା ଅଶରଫ୍ ଉର୍ଦ୍ଦୁ, ପଞ୍ଜାବୀ ଏବଂ ହିନ୍ଦୀ ଭାଷା ଜାଣିଛି ।