୨ଠ ଲକ୍ଷରେ ବିକ୍ରି ହେଉଛି ମେଡିକାଲ ସିଟ୍

ନିଟ୍ ପରୀକ୍ଷାରେ ଜାଲିଆତିର ପ୍ରମାଣ ମିଳିଲା
ନୂଆଦିଲ୍ଲୀ (ଏଜେନ୍ସି): ଜୁଲାଇ ୧୭, ୨ଠ୨୨ ଅର୍ଥାତ୍ ଗତ ରବିବାର ଦିନ ଦେଶ ତଥା ବିଦେଶରେ ଥିବା ୫୫ଠ ରୁ ଅଧିକ ପରୀକ୍ଷା କେନ୍ଦ୍ରରେ ଅନୁଷ୍ଠିତ ହୋଇଯାଇଥିବା ନିଟ୍’ ପ୍ରବେଶିକା ପରୀକ୍ଷାକୁ ନେଇ ଏବେ ଗୋଟିଏ ପରେ ଗୋଟିଏ ବିବାଦ ଆସିବାରେ ଲାଗିଛି । ଦେଶର ସର୍ବବୃହତ୍ ପ୍ରବେଶିକା ବିବେଚିତ ହେଉଥିବା ଏହି ପରୀକ୍ଷା ସମୟରେ ଏକାଧିକ ପରୀକ୍ଷା କେନ୍ଦ୍ରରେ ଛାତ୍ରୀମାନଙ୍କୁ ସେମାନଙ୍କ ଅନ୍ତର୍ବସ୍ତ୍ର ଖୋଲିବାକୁ କୁହାଯାଇଥିବା, ଆଉ କେତେକ ପରୀକ୍ଷା କେନ୍ଦ୍ରରେ ହିଜାବ, ବୁର୍ଖା ଏବଂ ଓଢଣୀ ଆଦି ହଟାଇବାକୁ କୁହାଯାଇଥିବା ଭଳି ଘଟଣା ସମ୍ପର୍କରେ ଜଣାପଡିଛି । ଏହାକୁ ନେଇ ଏବେ ଦେଶବ୍ୟାପୀ ବିବାଦ ଲାଗି ରହିଥିବା ବେଳେ ଆଉ ଏକ ବଡ଼ କେଳେଙ୍କରୀ ସାମ୍ନାକୁ ଆସିଛି ।
ନିଟ୍ ପରୀକ୍ଷାରେ ବ୍ୟାପକ୍ ଜାଲିଆତି (ରିଗିଂ) ହୋଇଥିବା ନେଇ ଅଭିଯୋଗ ହେବା ପରେ ଏହାର ତଦନ୍ତ ଭାର ସିବିଆଇକୁ ଦିଆଯାଇଥିଲା । ତେବେ ସିବିଆଇ ଦିନକ ପୂର୍ବେ ଏହି ଘଟଣାରେ ୮ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ମଙ୍ଗଳବାର ଦିନ ତଦନ୍ତ ରିପୋର୍ଟ ଦାଖଲ କରିଛି । ନିଜ ତଦନ୍ତ ରିପୋର୍ଟରେ ୨ଠ ଲକ୍ଷ ଟଙ୍କାରେ ମେଡିକାଲ ସିଟ୍ ବିକ୍ରି ହେଉଥିବାର ପ୍ରମାଣ ମିଳିଥିବା ସିବିଆଇ ଦର୍ଶାଇଛି । ସିବିଆଇ ରିପୋର୍ଟ ଅନୁସାରେ, ନିଟ୍ ପରୀକ୍ଷାରେ ନ ବସି ମଧ୍ୟ ଛାତ୍ରଛାତ୍ରୀଙ୍କୁ ମେଡିକାଲ ସିଟ୍ ମିଳିଯାଉଛି । ତେବେ ଏଥିପାଇଁ ଛାତ୍ରଛାତ୍ରୀଙ୍କ ଅଭିଭାବକଙ୍କୁ ମୋଟା ଅଙ୍କର ଅର୍ଥ ଖର୍ଚ୍ଚ କରିବାକୁ ପଡୁଛି । ଗୋଟିଏ ମେଡିକାଲ ସିଟ୍ ପାଇଁ ଆଶାୟୀଙ୍କ ଅଭିଭାବକଙ୍କୁ ପ୍ରାୟ ୨ଠଲକ୍ଷ ଟଙ୍କା ଦେବାକୁ ହେଉଛି । ପଇସା ସମ୍ପର୍କରେ ଡିଲ୍ ହୋଇସାରିବା ପରେ ପରୀକ୍ଷା ସମୟରେ ଆଶାୟୀଙ୍କ ବଦଳରେ ଜଣେ ଏକ୍ସପର୍ଟ (ନିଟ୍ ପରୀକ୍ଷା ସହ)ଙ୍କୁ ପରୀକ୍ଷାରେ ବସାଯାଉଛି ଏବଂ ଏଥିପାଇଁ ତାଙ୍କୁ ୫ ଲକ୍ଷ ଟଙ୍କା ଦିଆଯାଉଛି । ବଳକା ଟଙ୍କାକୁ ମଧ୍ୟସ୍ଥି ଏବଂ ଜାଲିଆତି ରାକେଟର ଅନ୍ୟ ସଦସ୍ୟମାନେ ଭାଗବଣ୍ଟା କରି ନେଇଯାଉଛନ୍ତି ।
ଏନ୍ଡିଟିଭି ରିପୋର୍ଟ ଅନୁସାରେ ଦେଶର ୪ ରାଜ୍ୟ ବିହାର, ଉତ୍ତରପ୍ରଦେଶ, ମହାରାଷ୍ଟ୍ର ଏବଂ ହରିଆଣାରେ ଏହି ରାକେଟ୍ ସକ୍ରିୟ ରହିଥିବା ସିବିଆଇ ଦର୍ଶାଇଛି । ତେବେ ଏହି ଜାତିଆତି ରାକେଟ୍ର ମାଷ୍ଟର ମାଇଣ୍ଡ ସୁଶିଲ ରଞ୍ଜନ ସିଟ୍ ପାଇଁ ଟଙ୍କା ନେବା ସହ ଉତ୍ତର ପୁସ୍ତିକା ଲେଖିବା ପାଇଁ ବିଶେଷଜ୍ଞମାନଙ୍କୁ ବିଭିନ୍ନ ସେଣ୍ଟରକୁ ପଠାଉଥିଲା । ଏହି ମାମଲାରେ ମୋଟ୍ ୧୧ ଜଣ ବ୍ୟକ୍ତିଙ୍କ ନାଁ ସାମ୍ନାକୁ ଆସିଥିବା ବେଳେ ସୁଶିଲ ରଞ୍ଜନ ସମେତ ୮ ଜଣ ଗିରଫ ହୋଇଛନ୍ତି । ଅନ୍ୟମାନଙ୍କୁ ଧରିବା ପାଇଁ ସିବିଆଇ ଏବେ କେତେକ ରାଜ୍ୟରେ ଚଢ଼ଉ ଜାରି ରଖିଛି । ତେବେ ଏପ୍ରକାର ଘଟଣାରେ ଦେଶରେ ମେଡିକାଲ କୋଚିଂ ଦେଉଥିବା କେତେକ କୋଚିଂ ସେଣ୍ଟରଙ୍କ ଭୂମିକା ମଧ୍ୟ ସନେ୍ଦହ ଘେରରେ ରହିଥିବା ସିବିଆଇ ପକ୍ଷରୁ କୁହାଯାଇଛି ।
ପ୍ରକାଶ, ଦେଶର ଶ୍ରେଷ୍ଠ ପ୍ରତିଦ୍ୱନ୍ଦ୍ୱିତାମୂଳକ ପରୀକ୍ଷା ମଧ୍ୟରେ ମେଡିକାଲ କଲେଜ୍ରେ ପାଠ ପଢ଼ିବା ପାଇଁ ହେଉଥିବା ଏଣ୍ଟ୍ରାନ୍ସ ପରୀକ୍ଷା ନ୍ୟାସନାଲ ଇଲଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ ବା ‘ନିଟ୍’ ଅନ୍ୟତମ । ଏହି ଏଣ୍ଟ୍ରାନ୍ସ ପରୀକ୍ଷାର ଫଳାଫଳ ଅନୁସାରେ ଦେଶର ସରକାରୀ ତଥା ବେସରକାରୀ ମେଡିକାଲ କଲେଜ୍ଗୁଡ଼ିକରେ ପାଠ ପଢ଼ିବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ସୁଯୋଗ ମିଳିଥାଏ । ନିଜ ଯୋଗ୍ୟତା ଅନୁସାରେ ମେଡିକାଲ କଲେଜ୍ରେ ଆଡମିଶନ୍ ପାଇଁ ସୁଯୋଗ ମିଳିଥାଏ । ଅର୍ଥାତ୍ ଜଣେ ଭଲ ଡାକ୍ତର ଭାବେ ଛାତ୍ରଛାତ୍ରୀଙ୍କୁ ଗଢ଼ିବା ଦିଗରେ ନିଟ୍ ପରୀକ୍ଷା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରିଥାଏ । ଦେଶର ଲକ୍ଷ ଲକ୍ଷ ଆଶାୟୀ ଏହି ପରୀକ୍ଷାରେ କୃତକାର୍ଯ୍ୟ ହେବା ପାଇଁ ଦିନ ରାତି ପରିଶ୍ରମ କରିଥାନ୍ତି । ମା’ ବାପାଙ୍କ ପାଖରେ ଅର୍ଥାଭାବ, ଦୁଇ ଓଳି ଦୁଇ ମୁଠା ଖାଇବାକୁ ଠିକ୍ରେ ପାଉନଥିବା ଅତ୍ୟନ୍ତ ଗରିବ ପରିବାରର ପିଲାମାନେ କେବଳ ନିଜ କଠିନ ପରିଶ୍ରମ ବଳରେ ଏଭଳି ପରୀକ୍ଷାରେ ସଫଳ ହୋଇ ଡାକ୍ତର ହେବାକୁ ସ୍ୱପ୍ନ ଦେଖିଥାନ୍ତି । ସେଥିପାଇଁ ସେମାନଙ୍କ ଅଭିଭାବକଙ୍କୁ ମଧ୍ୟ ଅନେକ କଷ୍ଟ ସହ୍ୟ କରିବାକୁ ହୋଇଥାଏ । କିନ୍ତୁ କିଛି ଅଭିଭାବକ ଏପରି ମଧ୍ୟ ଅଛନ୍ତି ଯେଉଁମାନେ କେବଳ ଅର୍ଥ ବଳରେ ନିଜ ପିଲାମାନଙ୍କ ଭବିଷ୍ୟତକୁ ସୁରକ୍ଷିତ କରିବାକୁ ଚେଷ୍ଟା କରିଥାନ୍ତି । ତେଣିକି ଏଥିପାଇଁ ଯଦି ଜଣେ ଗରୀବ ପିଲାର କଷ୍ଟ, ପରିଶ୍ରମକୁ ମଧ୍ୟ ପାଦରେ ଦଳି ଦେବାକୁ ପଡୁଥାଏ (ଯୋଗ୍ୟ ଗରିବ ପିଲାର ମେଡିକାଲ କଲେଜ୍ରେ ଏକ ସିଟ୍ ପାଇବାର ଅଧିକାର) ତଥାପି ସେସବୁ ପ୍ରତି ସେମାନଙ୍କ କୌଣସି ଫରକ୍ ପଡିନଥାଏ । ଏପ୍ରକାର ଏକ ଘଟଣା ଉପରୁ ଏବେ ପରଦା ଉଠିଛି । ନିଟ୍ ପରୀକ୍ଷାରେ ଜାଲିଆତି ହେଉଥିବା ଏବଂ ଏଥିପାଇଁ ଏକ ବଡ଼ ରାକେଟ୍ କାମ କରୁଥିବା ଜାଣିବାକୁ ମିଳିଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *