ବାଇଶି ପାହାଚରେ ଶ୍ରାଦ୍ଧ ଲାଗି ଅନୁମତି ମିଳିବ କେବେ?

ଭକ୍ତଙ୍କ ମହଲରେ ଘୋର ଅସନ୍ତୋଷ
ପୁରୀ (ବୁ୍ୟରୋ): ମହାପ୍ରଭୁଙ୍କ ଦର୍ଶନ ଲାଗି ଶ୍ରୀମନ୍ଦିରରେ ଭକ୍ତଙ୍କ ଲାଗି କଟକଣା ହଟିଛି । ଏପରିକି ଭକ୍ତଙ୍କ ଗହଣରେ ଠାକୁରଙ୍କ ସମସ୍ତ ଯାତ୍ରା ସମ୍ପନ୍ନ ହୋଇଛି । ଏପର୍ଯ୍ୟନ୍ତ ବାଇଶି ପାହାଚରେ ଭକ୍ତଙ୍କୁ ଶ୍ରାଦ୍ଧ ଦେବା ଲାଗି ଅନୁମତି ମିଳିନି । ଫଳରେ ଭକ୍ତମାନେ ଶ୍ରୀମନ୍ଦିର ବାହାରେ ପିଣ୍ଡଦାନ କରୁଛନ୍ତି । ଯାହାକୁ ନେଇ ଭକ୍ତଙ୍କ ମହଲରେ ଅସନ୍ତୋଷ ଦେଖାଦେଇଛି । ହିନ୍ଦୁମାନେ ସନାତନ ଧର୍ମର ଶାସ୍ତ୍ରୀୟ ଆଧାରରେ ନିଜ ପିତୃପୁରୁଷଙ୍କ ଉଦେ୍ଦଶ୍ୟରେ ପିଣ୍ଡଦାନ କରିବାର ବିଧି ରହିଛି । ଏପରିକି ସ୍ଥାନୀୟ ଭକ୍ତଙ୍କ ସହ ବାହାରୁ ଆସୁଥିବା ଶ୍ରଦ୍ଧାଳୁଙ୍କ ମନରେ ଦୃଢ଼ ବିଶ୍ୱାସ ରହିଛି ଯେ, ଶ୍ରୀମନ୍ଦିରସ୍ଥ ବାଇଶି ପାହାଚରେ ପିତୃପୁରୁଷଙ୍କୁ ପିଣ୍ଡଦାନ କଲେ ପିତୃପୁରୁଷମାନେ ସନ୍ତୋଷ ଲାଭ କରିବା ସହ ଆଶୀର୍ବାଦ ପ୍ରଦାନ କରିଥାନ୍ତି ।
କରୋନା ଲାଗି ଦୀର୍ଘ ୨ବର୍ଷ ଧରି ବାଇଶି ପାହାଚରେ ଶ୍ରାଦ୍ଧ ଦେବା ଲାଗି ବ୍ରାହ୍ମଣଙ୍କୁ ବାରଣ କରାଯାଇଥିଲା । କଟକଣା ହଟିଲା ପରେ ଏପର୍ଯ୍ୟନ୍ତ ବ୍ରାହ୍ମଣମାନଙ୍କୁ ବାଇଶିପାହାଚରେ ପିଣ୍ଡଦାନ କରିବାକୁ ଅନୁମତି ମିଳିନାହିଁ । ଫଳରେ ବ୍ରାହ୍ମଣମାନେ ଶ୍ରୀମନ୍ଦିର ବାହାରେ ଖୋଲାରେ ପିଣ୍ଡଦାନ କରୁଛନ୍ତି । ସେମାନଙ୍କ ମନରେ ପବିତ୍ରତା ଆସୁ ନ ଥିବାବେଳେ ଶ୍ରଦ୍ଧାଳୁଙ୍କ ମନରେ ମଧ୍ୟ ସନ୍ତୋଷ ଆସୁନାହିଁ ।
ଏ ସମ୍ପର୍କରେ ସନ୍ତୋଷ କୁମାର ମହାନ୍ତି ନାମକ ଜଣେ ଶ୍ରଦ୍ଧାଳୁ କୁହନ୍ତି, କରୋନା ଲାଗି କଟକଣା ହୋଇଥିଲା । ତାହାକୁ ଆମ୍ଭେ ସ୍ୱାଗତ କରୁଛୁ । ଏବେ କଟକଣା ହଟିଛି, ଭକ୍ତଙ୍କ ଲାଗି ଖୋଲିଛି ଶ୍ରୀମନ୍ଦିର । ଭକ୍ତଙ୍କ ଗହଣରେ ଅନୁଷ୍ଠିତ ହେଲା ରଥଯାତ୍ରା । ଏହା ସତ୍ତ୍ୱେ ବାଇଶି ପାହାଚରେ ଶ୍ରାଦ୍ଧଦେବା ଲାଗି ଅନୁମତି ନ ମିଳିବା ଅତ୍ୟନ୍ତ ଦୁଃଖଦାୟକ ଘଟଣା । ଶ୍ରୀମନ୍ଦିର ବାହାରେ ବାଧ୍ୟ ହୋଇ ପିଣ୍ଡଦାନ କଲୁ କିନ୍ତୁ ମନ ଆତ୍ମସନ୍ତୋଷ ଲାଗିଲା ନାହିଁ । ତେଣୁ ପ୍ରଶାସନ ତୁରନ୍ତ ଭକ୍ତଙ୍କ ଲାଗି ବାଇଶି ପାହାଚରେ ଶ୍ରାଦ୍ଧ ଦେବା ଲାଗି ବ୍ରାହ୍ମଣମାନଙ୍କୁ ଅନୁମତି ଦେବାକୁ ଦାବି କରିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *