ସ୍ଥାନୀୟଙ୍କୁ ‘ନା’, ବାହାର ଲୋକଙ୍କୁ ‘ହଁ’

ଶ୍ରୀମନ୍ଦିର ପ୍ରଶାସନର ବିଚିତ୍ର ନୀତି
ପୁରୀ (ବୁ୍ୟରୋ): ଚଳିତବର୍ଷ ଭକ୍ତଙ୍କ ଗହଣରେ ରଥଯାତ୍ରା ଶାନ୍ତିଶୃଙ୍ଖଳା ସହ ସମ୍ପନ୍ନ ହୋଇଛି । ଏପରିକି ପ୍ରଶାସନ ଓ ସେବାୟତ ସମେତ ସମସ୍ତଙ୍କ ସହଯୋଗରେ ମହାପ୍ରଭୁଙ୍କ ଘୋଷଯାତ୍ରା ଶେଷ ହୋଇଛି । ଏହି ଅବସରରେ ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ଏସ୍ପି ପର୍ଯ୍ୟନ୍ତ ସମସ୍ତେ ସେବାୟତଙ୍କ ଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀ, ଗଣମାଧ୍ୟମ, ସ୍ଥାନୀୟ ବାସିନ୍ଦାଙ୍କ ସହଯୋଗରୁ ରଥଯାତ୍ରା ଶୃଙ୍ଖଳିତ ଭାବେ ସମ୍ପନ୍ନ ହୋଇଥିବାରୁ ଧନ୍ୟବାଦ ଦେଇଥିଲେ । ମହାପ୍ରଭୁଙ୍କ ଘୋଷଯାତ୍ରା ଲାଗି ପୁରୀରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିଲେ । ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ସେଥିମଧ୍ୟରୁ ଟ୍ରାଫିକ୍ ପରିଚାଳନା ଥିଲା ଗୁରୁଦାୟିତ୍ୱ । ଟ୍ରାଫିକ୍ କଟକଣାରେ ଅସ୍ତବ୍ୟସ୍ତ ହୋଇପଡ଼ିଥିଲେ ସ୍ଥାନୀୟ ବାସିନ୍ଦା । ରଥଯାତ୍ରାରେ ସମସ୍ତ ସହଯୋଗ ଓ କଷ୍ଟ ସହୁଛନ୍ତି ସ୍ଥାନୀୟ ଲୋକେ । ସ୍ଥାନୀୟ ଲୋକଙ୍କୁ ଅଣଦେଖା କରୁଛି ଶ୍ରୀମନ୍ଦିର ପ୍ରଶାସନ ।
ରଥଯାତ୍ରା ଶେଷ ହେବା ପରେ ପ୍ରତ୍ୟେକ ବର୍ଷ ଭଳି ଚଳିତବର୍ଷ ମଧ୍ୟ ତିନି ରଥର ଚକ ବିକ୍ରି ଆରମ୍ଭ ହୋଇଛି । ଏଥିରେ ସ୍ଥାନୀୟ ଲୋକଙ୍କୁ ଅଣଦେଖା କରାଯାଇ ବାହାର ଲୋକଙ୍କୁ ଗୁରୁତ୍ୱ ଦେଉଛି ଶ୍ରୀମନ୍ଦିର ପ୍ରଶାସନ । ମହାପ୍ରଭୁଙ୍କ ନନ୍ଦିଘୋଷ ରଥ ଚକ ଲାଗି ସ୍ଥାନୀୟ ଜଣେ ବ୍ୟକ୍ତି ଶ୍ରୀମନ୍ଦିର କାର୍ଯ୍ୟାଳୟକୁ ଯାଇଥିବା ବେଳେ ଜଣାପଡ଼ିଥିଲା ଯେ, ନନ୍ଦିଘୋଷ ରଥର ସମସ୍ତ ଚକ ବିକ୍ରି ଶେଷ ହୋଇଛି । ଏପରିକି ନୀଳାଦି୍ରବିଜେ ଠାରୁ ଚକ ନେବା ଲାଗି ଭକ୍ତ ଦରଖାସ୍ତ ଦେବା ସହ ଏକ ହଜାର ଟଙ୍କା ଡିପୋଜିଟ୍ ମଧ୍ୟ କରିଛନ୍ତି । ହେଲେ ଆଉ ଚକ ନାହିଁ । ନନ୍ଦିଘୋଷ ରଥ ଚକ ଶେଷ ହୋଇଯାଇଛି । ନନ୍ଦିଘୋଷ ରଥର ୧୬ଟି ଚକ ରହିଥିବା ବେଳେ ସମସ୍ତ ଚକ ବିକ୍ରି ଶେଷ ହୋଇଛି ।
ଅନ୍ୟପକ୍ଷରେ ଗୋଟିଏ ଚକର ଦାମ ୫୦ହଜାର ଟଙ୍କା ରଖାଯାଇଛି । ସବୁଠାରୁ ବଡ଼ କଥା ହେଲା ଚକ କିଣିଥିବା ସମସ୍ତ ଭକ୍ତ ବାହାର ରାଜ୍ୟର । ଓଡ଼ିଶାର ଜଣେ ଭକ୍ତଙ୍କ ନାଁ ନାହିଁ । ଏହି ଘଟଣାରୁ ସ୍ପଷ୍ଟ ହେଉଛି ଯେ, ଶ୍ରୀମନ୍ଦିର ପ୍ରଶାସନ ସ୍ଥାନୀୟ ତଥା ନିଜ ରାଜ୍ୟର ଭକ୍ତଙ୍କୁ କେତେ ଗୁରୁତ୍ୱ ଦେଉଛି । ଫଳରେ ଚକ ବିକ୍ରି ଲାଗି ତଞ୍ଚକତା କରିଛି ଶ୍ରୀମନ୍ଦିର ପ୍ରଶାସନ । ଚକ ବିକ୍ରି ଲାଗି ଶ୍ରୀମନ୍ଦିର ପ୍ରଶାସନ ବିଜ୍ଞପ୍ତି ପ୍ରକାଶ କରିଛି କି ନାହିଁ ତାହା ବି ସ୍ପଷ୍ଟ ଜଣାପଡ଼ି ନାହିଁ । ଅନ୍ୟପଟରେ ସ୍ଥାନୀୟ ଭକ୍ତ ମହାପ୍ରଭୁଙ୍କ ନନ୍ଦିଘୋଷ ରଥର ଚକ ନେବା ଲାଗି ଆଗ୍ରହ ରହିଥିଲେ ସୁଦ୍ଧା ତାଙ୍କୁ ଅଣଦେଖା କରାଯାଉଛି । ବାହାର ରାଜ୍ୟର ଭକ୍ତଙ୍କୁ ଚକ ବିକ୍ରି କରାଯାଉଛି । ଏହାକୁ ନେଇ ସ୍ଥାନୀୟ ଭକ୍ତଙ୍କ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଏ ସମ୍ପର୍କରେ ମତାମତ ଲାଗି ଶ୍ରୀମନ୍ଦିର କାର୍ଯ୍ୟାଳୟର ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁଙ୍କ ମୋବାଇଲକୁ ବାରମ୍ବାର ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ସୁଦ୍ଧା ସେ ଫୋନ୍ କଲ୍ ରିସିଭ୍ କରି ନ ଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *