୨ଠ ମିନିଟ୍ରେ ଫେରାଇ ଆଣିବି କୋହଲିଙ୍କ ଫର୍ମ
ସନ୍ନିଙ୍କ ଦୃଢ଼ୋକ୍ତି
ନୂଆଦିଲ୍ଲୀ, ୧୯ା୭ (ଏଜେନ୍ସି): କିମ୍ବଦନ୍ତୀ ବ୍ୟାଟର୍ ସୁନୀଲ୍ ଗାଭାସ୍କରଙ୍କ କହିବାନୁଯାୟୀ ସେ ମାତ୍ର ୨୦ ମିନିଟ୍ରେ ବିରାଟ କୋହଲିଙ୍କ ଫର୍ମ ଫେରାଇ ଆଣିପାରିବେ । ତାଙ୍କୁ କୋହଲିଙ୍କୁ ନେଇ କିଛି ଇନ୍ପୁଟ୍ ମିଳିଛି, ଯାହା ରନ୍ ମେସିନ୍ଙ୍କୁ ପୁଣି ଥରେ ଟ୍ରାକ୍କୁ ଆଣିବାରେ ସହାୟତା କରିବ ।
୭୩ ବର୍ଷୀୟ ପୂର୍ବତନ ବ୍ୟାଟର୍ କହିଛନ୍ତି, “ଯଦି ମତେ ତାଙ୍କ ସହିତ ମାତ୍ର ୨୦ ମିନିଟ୍ ମିଳିଯାଏ, ମୁଁ ତାଙ୍କୁ ଏ କଥା କହିପାରିବି ଯାହା ତାଙ୍କୁ ଫର୍ମକୁ ଫେରାଇ ଆଣିପାରିବ । ଖାଲି ସେତିକି ନୁହେଁ, ମୁଁ ତାଙ୍କର ଅଫ୍ ଷ୍ଟମ୍ପ୍ ବାହାରକୁ ଯାଉଥିବା ବଲ୍ରେ ଆଉଟ୍ ହେବାର ସମସ୍ୟାକୁ ସମ୍ପୂର୍ଣ୍ଣ ରୂପେ ଶେଷ କରିପାରିବି ।”
ଗାଭାସ୍କର ଆହୁରି ମଧ୍ୟ କହିଛନ୍ତି ଯେ ଏହି ଲାଇନ୍ରେ ଚିନ୍ତିତ ହେବାର କିଛି କାରଣ ରହିଛି, ଯାହା ଆପଣ କରୁଛନ୍ତି । ଯେତେବେଳେ ଫର୍ମ ଭଲ ନ ଥାଏ, ସବୁ ବ୍ୟାଟର୍ ଅଫ୍ଷ୍ଟମ୍ପ୍ ବାହାରକୁ ଯାଉଥିବା ବଲ୍ରେ ରନ୍ କରିବାକୁ ଚାହାନ୍ତି ଏବଂ ସମସ୍ୟା ଏହିଠାରୁ ଆରମ୍ଭ ହୋଇଥାଏ ।
ଇଂଲଣ୍ଡ ଗସ୍ତରେ ମାତ୍ର ୭୬ ରନ୍ କରିଥିଲେ କୋହଲି
ବିରାଟ କୋହଲି ଗତ ତିନି ବର୍ଷ ହେଲା ଖରାପ ଫର୍ମ ଦେଇ ଗତି କରୁଛନ୍ତି । ସେ ଇଂଲଣ୍ଡ ପିଚ୍ରେ ବି ସଂଘର୍ଷ କରୁଥିବାର ଦେଖୁବାକୁ ମିଳିଥିଲେ । ଇଂଲଣ୍ଡ ଗସ୍ତରେ କୋହଲି ଗୋଟିଏ ଟେଷ୍ଟ, ୨ଟି ଟି-୨୦ ଓ ୨ଟି ଦିନିକିଆର ମୋଟ୍ ୬ ଇନିଂସ୍ରେ ମାତ୍ର ୭୬ ରନ୍ କରିବାକୁ ସମର୍ଥ ହୋଇଥିଲେ । ସେ ଯଥାକ୍ରମେ ୧୧, ୨୦, ୧, ୧୧, ୧୬ ଓ ୧୭ ରନ୍ର ଇନିଂସ୍ ଖେଳିଥିଲେ । ସେ ଆଇପିଏଲ୍ରେ ବି କିଛି ଖାସ୍ କରିପାରି ନ ଥିଲେ । ଗତ ସିଜନ୍ରେ କୋହଲି ୧୬ ଇନିଂସ୍ରେ ୨୯୪ ରନ୍ ସଂଗ୍ରହ କରିଥିଲେ ।
ୱେଷ୍ଟଇଣ୍ଡିଜ୍ ଗସ୍ତରୁ କୋହଲିଙ୍କ ବ୍ରେକ୍
ଇଂଲଣ୍ଡ ଠାରୁ ଟି-୨୦ ଓ ଦିନିକିଆ ଶୃଙ୍ଖଳା ଜିତିବା ପରେ ଟିମ୍ ଇଣ୍ଡିଆ କୋହଲିଙ୍କୁ ବିଶ୍ରାମ ଦେଇଛି । ଏହି ଗସ୍ତରେ ଟିମ୍ ତିନି ଦିନିକିଆ ଓ ଏହାପରେ ପାଞ୍ଚ ଟି-୨୦ ଆନ୍ତର୍ଜାତିକ ମ୍ୟାଚ୍ର ଶୃଙ୍ଖଳା ଖେଳିବ । କୋହଲି ଏହି ଗସ୍ତରୁ ବିଶ୍ରାମ ମାଗିଥିଲେ ।