ମରଣଯନ୍ତା ପାଲଟିଛି ଦେବୀଦୋଳ-ଏରଡା ରାସ୍ତା

ନାଉଗାଁ (ଆପ୍ର): ନାଉଗାଁ ବ୍ଲକ୍‌ ଅନ୍ତର୍ଗତ ଦେବୀଦୋଳ-ଏରଡା ଦେଇ ନିଆଳିକୁ ଏକ ସଂଯୋଗୀକରଣ ରାସ୍ତା ରହିଛି । ପୂର୍ବରୁ ଏହି ରାସ୍ତାଟି ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନରେ ରହିଥିବା ବେଳେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ରାସ୍ତା କାର୍ଯ୍ୟ କରାଯାଇଥିଲା । ଏହି ରାସ୍ତାଟି ୭ ରୁ ୮ ବର୍ଷ ହେବ ନିର୍ମାଣ କରାଯାଇଥିବା ବେଳେ ବର୍ତ୍ତମାନ ଏହି ରାସ୍ତା ଅବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି । ଏହି ରାସ୍ତା ଦେଇ ନିଆଳି, କଟକ, ଭୂବନେଶ୍ୱର ଆଦିକୁ ଯାତାୟତ କରିବା ସୁବିଧାଜନକ ହୋଇଥିବା ବେଳେ ଗଳଦାରୀ, ଗଜରାଜପୁର, ନୂଆଗାଁ, ରୋହିଆ ଆଦି ପଞ୍ଚାୟତର ଏହି ରାସ୍ତାଟି ମୁଖ୍ୟ ସଂଯୋଗୀକରଣ ଅଟେ । ଦୀର୍ଘ ଦିନ ହେବ ରାସ୍ତା ମରାମତି ହୋଇ ନ ଥିବା ଜଣାଯାଇଛି । ଦେବୀନଦୀରେ ଥିବା ଅରଖକୁଦ ଓ ଗଳଦାରୀ ବାଲି ସୈରାତ ଓ ନିଆଳି ତହସିଲ ଅଧିନରେ ଥିବା ବାଲି ସୈରାତରୁ ପ୍ରତିଦିନ ଶହ ଶହ ଟ୍ରିପ ବାଲି ବୋଝେଇ ଗାଡିÿ ଯିବା ସହ ଅନେକ ଭାରିଯାନ ଏହି ରାସ୍ତା ଦେଇ ଯିବା ଆସିବା କରିଥାନ୍ତି ।
ନିୟମ ମୁତାବକ ଓ ଆବଶ୍ୟକୀୟ ଠାରୁ ଅଧିକ ଓଜନର ଭାରିଯାନ ଯିବା ଆସିବା କରିବା ଦ୍ୱାରା ରାସ୍ତା ସାରା ଖାଲଖମାରେ ପୂର୍ଣ୍ଣ ହୋଇଛି । ସେହିପରି ବର୍ତମାନ ବର୍ଷା ଦିନ ହୋଇଥିବାରୁ ବର୍ଷା ପାଣି ଜମି ରାସ୍ତାରେ ଯିବା ଆସିବା ସମ୍ଭବ ହେଉ ନ ଥିବା ସ୍ଥାନୀୟ ଲୋକ ଡମ୍ବରୁଧର ବସ୍ତିଆ, ଅମରଜିତ ସ୍ୱାଇଁ, ମନୋଜ କୁମାର ମହାନ୍ତି, ନିହାର ରଞ୍ଜନ ସ୍ୱାଇଁ, ଆର୍ତତ୍ରାଣ ନାୟକ ପ୍ରକାଶ କରିଛନ୍ତି । ଗ୍ରାମ୍ୟ ଉନ୍ନୟନ ବିଭାଗର କାର୍ଯ୍ୟାଳୟ ସୂଚନା ଅନୁସାରେ ଏହି ରାସ୍ତାକୁ ୨୦୨୧ ଡିସେମ୍ବର ୨୭ ତାରିଖରୁ ପୂର୍ତ୍ତ ବିଭାଗ ଅଧିନକୁ ହସ୍ତାନ୍ତର କରାଯାଇଛି । ଏହି ରାସ୍ତାର ସମସ୍ତ କାର୍ଯ୍ୟ ପୂର୍ତ୍ତ ବିଭାଗ ପକ୍ଷରୁ କରାଯିବ ବୋଲି କୁହାଯାଇଛି । ଅନ୍ୟପଟରେ ବିଭାଗ ପକ୍ଷରୁ ଅନ୍ୟ ରାସ୍ତା ଗୁଡିକରେ ମନଇଛା ରାସ୍ତା ସଂପ୍ରସାରଣ ଓ ସୁରକ୍ଷା ବାଡା ଆଦି ନିର୍ମାଣ କରାଯାଉଥିବା ବେଳେ ଏ ପର୍ଯ୍ୟନ୍ତ ଏହି ରାସ୍ତା ମରାମତି କରାଯାଉ ନ ଥିବାରୁ ସ୍ଥାନୀୟ ଜନସାଧାରଣଙ୍କ ମନରେ ଅସନ୍ତୋଷ ବୃଦ୍ଧି ପାଇଛି । ଏହି ରାସ୍ତାକୁ ତୁରନ୍ତ ମରାମତି କରିବା ପାଇଁ ଜନସାଧାରଣ ପ୍ରଶାସନ ନିକଟରେ ଦାବି କରିଛନ୍ତି । ଏ ବିଷୟରେ ପୂର୍ତ୍ତ ବିଭାଗର ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଇଂ. ବଳରାମ ସ୍ୱାଇଁଙ୍କୁ ପଚାରିବାରୁ ଉକ୍ତ ରାସ୍ତା ନିର୍ମାଣ ପାଇଁ ଟେଣ୍ଡର ପ୍ରକିୟା ଜାରି ରହିଛି ବୋଲି କହିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *