ସରିଲା ରାଷ୍ଟ୍ରପତି ନିର୍ବାଚନ
ବିଧାନସଭାରେ ୧୪୫ ବିଧାୟକଙ୍କ ମତଦାନ
ଭୁବନେଶ୍ୱର, ୧୭ା୭ (ବୁ୍ୟରୋ): ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟିଂ ସରିଛି । ରାଜ୍ୟର ସମୁଦାୟ ୧୪୭ ଜଣ ବିଧାୟକଙ୍କ ମଧ୍ୟରୁ ୧୪୫ ଜଣ ବିଧାୟକ ବିଧାନସଭାରେ ସୋମବାର ମତଦାନ କରିଛନ୍ତି । ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ ଅସୁସ୍ଥତା ଯୋଗୁ ଦିଲ୍ଲୀରେ ଥିବାରୁ ସେ ଚିକିତ୍ସାଳୟରୁ ଭୋଟ୍ ଦେଇଥିଲେ । ବିଜେଡ଼ି ବିଧାୟକ ପ୍ରଶାନ୍ତ ଜଗଦେବ ଅନୁପସ୍ଥିତ ଥିବାରୁ ରାଜ୍ୟ ବିଧାନସଭାରେ ସୋମବାର ୧୪୫ ଜଣ ବିଧାୟକ ନିଜ ମତ ସାବ୍ୟସ୍ଥ କରିଛନ୍ତି ।
ସୂଚନା ମୂତାବକ, ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରଥମେ ବିଜେପି ବିଧାୟକ ମୁକେଶ ମହାଲିଙ୍ଗ ଭୋଟ୍ ଦେଇଥିଲେ । ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ଅନ୍ୟ ବିଧାୟକମାନେ ଭୋଟ ଦେଇଥିଲେ । ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ମତଦାନ ପ୍ରକ୍ରିୟା ଚାଲୁ ରହିଥିଲା । ବିଧାନସଭାରେ କେବଳ ଓଡ଼ିଶାର ବିଧାୟକମାନେ ଭୋଟ ଦେଇଛନ୍ତି । କିଡନୀ ରୋଗରେ ପିଡୀତ ହେବା ସତ୍ତ୍ୱେ ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ବିଧାନସଭା ଆସି ନିଜ ମତ ସାବ୍ୟସ୍ଥ କରିଛନ୍ତି । ଅନ୍ୟପକ୍ଷରେ ଜନ ବିରାଧୀ କାର୍ଯ୍ୟକଳାପ ଯୋଗୁଁ ବିଜେଡିତୁ ନିଲମ୍ବିତ ବିଧାୟକ ପ୍ରଦୀପ ପାଣିଗ୍ରାହୀ ମଧ୍ୟ ଭୋଟ ଦେଇଛନ୍ତି ।
ଅନ୍ୟପଟେ ଓଡ଼ିଶାର ସମସ୍ତ ସାଂସଦ (ଲୋକସଭା ଓ ରାଜ୍ୟସଭା) ଦିଲ୍ଲୀରେ ଭୋଟ ଦେଇଛନ୍ତି । ଓଡ଼ିଶାରେ ଭୋଟ ଦେବାକୁ କୌଣସି ସାଂସଦ ଅନୁମତି ଆଣିନାହାନ୍ତି । ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେବା ପାଇଁ ବିଜେଡି ଦଳର ସମସ୍ତ ସାଂସଦ ଓ ବିଧାୟକଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପରାମର୍ଶ ଦେଇଥିଲେ । ଏହାସହ ରାୟଗଡ଼ାର ସ୍ୱାଧୀନ ବିଧାୟକ ମକରନ୍ଦ ମୁଦୁଲିଙ୍କୁ ଦ୍ରୌପଦୀଙ୍କୁ ଭୋଟ ଦେବାକୁ ନବୀନ ପରାମର୍ଶ ଦେଇଥିବା କଥା ଜଣାପଡ଼ିଛି ।
ଅନ୍ୟପଟେ ରାଜ୍ୟ କଂଗ୍ରେସ ପକ୍ଷରୁ ରାଷ୍ଟ୍ରପତି ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କୁ ଭୋଟ ଦିଆଯାଇଛି । କିନ୍ତୁ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ ଯଶୱନ୍ତଙ୍କ ବଦଳରେ ଦ୍ରୌପଦୀଙ୍କୁ ଭୋଟ ଦେଇଥିବା ନେଇ ଘୋଷଣା କରିଛନ୍ତି । ସୂଚନାଯୋଗ୍ୟ, ଓଡ଼ିଶାର ଜଣେ ବିଧାୟକଙ୍କ ଭୋଟ ମୂଲ୍ୟ ୧୪୯ ଥିବାବେଳେ ସାଂସଦଙ୍କ ଭୋଟ ମୂଲ୍ୟ ୭୦୦ ରହିଛି । ସମୁଦାୟ ବିଜେଡି ବିଧାୟକଙ୍କ ଭୋଟ ମୂଲ୍ୟ ୧୬,୬୮୮ ହୋଇଥିବାବେଳେ ବିଜେଡି ସାଂସଦଙ୍କ ମୂଲ୍ୟ ୧୪,୭୦୦ । ବିଜେଡିର ସମୁଦାୟ ଭୋଟ ମୂଲ୍ୟ ୩୧,୪୮୮ ହୋଇଥିବାବେଳେ ବିଜେପିର ୨୨ବିଧାୟକ ଏବଂ ୯ ଜଣ ସାଂସଦଙ୍କ ଭୋଟ ମୂଲ୍ୟ ୯,୫୭୮ । ସେହିପରି କଂଗ୍ରେସର ୯ ଜଣ ବିଧାୟକ ଏବଂ ଜଣେ ସାଂସଦଙ୍କ ଭୋଟ ମୂଲ୍ୟ ୨,୦୪୧ ଥିବା ସୂଚନା ମିଳିଛି ।