ଶ୍ୱଶୁର, ଶାଳକଙ୍କ ଉପରେ କାର୍ ଚଢ଼ାଇଲା ଜ୍ୱାଇଁ

ଦାମ୍ପତ୍ୟ କଳହରୁ ହତ୍ୟା ଉଦ୍ୟମ
ସମ୍ବଲପୁର (ଆପ୍ର): ଦାମ୍ପତ୍ୟ କଳହରୁ ଅଭାବନୀୟ ଘଟଣା ସ୍ୱରୂପ ଜଣେ ଯୁବକ ତାଙ୍କ ଶଶୁରଙ୍କ ସମେତ ଶଶୁରଙ୍କ ପରିବାରକୁ କାର୍ ଚଢ଼ାଇ ହତ୍ୟା ଉଦ୍ୟମ କରିଛନ୍ତି । ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ସନେ୍ଦହ ଏବଂ ପରେ ଏହି ସନେ୍ଦହ କଳିର ଉଗ୍ରରୂପ ଧାରଣା କରିଥିବା ବେଳେ ଏହାକୁ ଭିତ୍ତି କରି ଯୁବକ ଜଣକ ଏହି କାଣ୍ଡ ଭିଆଇଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଲା ବୁର୍ଲା କଚେରୀ ଛକରେ ।
ସୂଚନା ଯୋଗ୍ୟ ପାରିବାରିକ କଳହକୁ ନେଇ ବୁର୍ଲାରେ ରହୁଥିବା ପଞ୍ଚାନନ ଦାଶ ଆଜି କାର୍ ଚଢ଼ାଇ ତାଙ୍କ ଶଶୁର ଏବଂ ସମ୍ପର୍କୀୟ ଶାଳକ ସୌମ୍ୟରଞ୍ଜନ ଦାଶଙ୍କୁ ହତ୍ୟା ଉଦ୍ୟମ କରିଛନ୍ତି । ଏଥିରେ ଶଶୁର ସାମାନ୍ୟ ଆହତ ହୋଇଥିବା ବେଳେ ଶାଳକ ସୌମ୍ୟରଞ୍ଜନଙ୍କ ଗୋଡ଼ ଭାଙ୍ଗି ଯାଇଛି । ଗାଡ଼ିଟି ଦ୍ରୁତ ଗତିରେ ଆସି ଶେଷରେ ଏସ୍ପିଙ୍କ ବାସଭବନକୁ ମାଡ଼ କରିଥିଲେ । ସ୍ଥାନୀୟ ଛକରେ ଲାଗିଥିବା ଏକ ସିସିଟିଭି ଫୁଟେଜ୍ରୁ ଏହି ସବୁ ଦୃଶ୍ୟ ଉତ୍ତୋଳନ କରାଯାଇଛି । ତେବେ ଏହି ଦୁର୍ଘଟଣାରେ ନିକଟରେ ଯା’ଆସ କରୁଥିବା କିଛି ଲୋକ ମଧ୍ୟ ଆହତ ହୋଇଛନ୍ତି । କୌଶଳକ୍ରମେ ସ୍ଥାନୀୟ ଲୋକେ ଜ୍ୱାଇଁ ପଞ୍ଚାନନଙ୍କୁ କାବୁ କରି ମାଡ଼ ମାରିବା ସହ ପୁଲିସ୍ ଜିମା ଦେଇଥିଲେ । ଏନେଇ ବୁର୍ଲା ଥାନାରେ ଅଭିଯୋଗ ହୋଇଥିବା ବେଳେ ପୁଲିସ୍ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।
ପଞ୍ଚାନନଙ୍କ ପତ୍ନୀ ଚିନ୍ମୟୀ ମହାପାତ୍ରଙ୍କ ଅଭିଯୋଗ ଅନୁସାରେ ତାଙ୍କ ଦେଡ଼ଶୁର, ଭାଉଜ ଓ ପୁତୁରାଙ୍କ କଥାରେ ପଡ଼ି ପଞ୍ଚାନନ ତାଙ୍କୁ ମାରପିଟ କରୁଥିଲେ । ଏନେଇ ସେ ଗତ ଜାନୁଆରୀ ୨୪ରେ ବୁର୍ଲା ଥାନାରେ ଏତଲା ଦେବା ପରେ ମାମଲା ହୋଇଥିଲା । ଏହି ଘଟଣା ପରେ ସେ ଦୁଇ ପିଲାଙ୍କୁ ଧରି ୬ ମାସ ହେବ ବାପ ଘରକୁ ଚାଲି ଆସିଥିଲେ । ତେବେ ସେଠାରେ ପିଲାଙ୍କ ପାଠପଢ଼ା ପାଇଁ ବାପର ଉପସ୍ଥିତି ଜରୁରୀ ଥିବାରୁ ସେ ଜଣେ ଓକିଲଙ୍କ ମାଧ୍ୟମରେ ତାଙ୍କୁ ଖବର ଦେଇଥିବା ବେଳେ ବୁର୍ଲା ଆସିଲେ ମୋତେ ଓ ପିଲାଙ୍କୁ ଗାଡ଼ି ଚଢ଼ାଇ ମାରିଦେବେ ବୋଲି ଧମକ ଦେଇଥିଲେ । ଯାହାଫଳରେ ଆଜି ସେ ସେ ବୁର୍ଲା ବାର୍ ଆସୋସିଏସନ କାର୍ଯ୍ୟାଳୟକୁ ଚିନ୍ମୟୀ ତାଙ୍କ ବାପା ଓ ମାମୁଁ ପୁଅଙ୍କ ସହ ଆସିଥିବା ବେଳେ ଏଭଳି ଘଟଣାର ଶିକାର ହୋଇଥିଲେ । ସୂଚନାଯୋଗ୍ୟ ପଞ୍ଚାନନ ପେଶାରେ ଜଣେ ଆଇନଜୀବୀ ହୋଇଥିବା ବେଳେ ପୁଲିସ୍ ମାମଲାର ତଦନ୍ତ ଚଳାଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *