ଭୂସ୍ଖଳନ: ଗାଁ ବାହ୍ୟଜଗତରୁ ଅଲଗା
ମୋହନା(ଆପ୍ର): ଲଗାଣ ବର୍ଷା ଯୋଗୁ ରାଜ୍ୟର ବିଭିନ୍ନ ସ୍ଥାନରେ ମାତ୍ରାଧିକ କ୍ଷତି ହୋଇଥିବା ବେଳେ ମାଲକାନଗିରି, ଗଜପତି ଜିଲ୍ଲାରେ ଏହାର ପ୍ରଭାବ ବେଶୀ ରହିଥିବା ଦେଖିବାକୁ ମିଳିଛି । ଗଜପତି ଜିଲ୍ଲା ନୂଆଗଡ ବ୍ଲକ୍ର ବିଭିନ୍ନସ୍ଥାନରେ ଭୁସ୍ଖଳନ ହୋଇଯିବାରୁ ଗୋଟିଏ ଗାଁରେ ଅନ୍ୟ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ପାହାଡ଼ ଭୁଶୁଡ଼ି ଆଉ କିଛି ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଛି ।
ତେବେ ନୂଆଗଡ ବ୍ଲକ୍ ଏକ ଦୁର୍ଗମ ପାହାଡ଼ିଆ ଅଞ୍ଚଳ ହୋଇଥିବା ଯୋଗୁ ବର୍ଷାଦିନ ଏଭଳି ଘଟଣାମାନ ସ୍ୱାଭାବିକ; କିନ୍ତୁ ଚଳିତ ଥର ଯେଉଁଭଳି ଭାବେ ବିପତ୍ତି ଦେଖା ଦେଇଛି, ଏଥିରେ ଚାଷୀମାନେ ବେଶୀ କ୍ଷତିଗ୍ରସ୍ତ ହୋଇଛନ୍ତି । ପରିମଳ ପଞ୍ଚାୟତର ନୂଆପଲ୍ଲୀ ଠାରେ ଏବଂ ନଦୀମୁଠା ଅଞ୍ଚଳର ଅନୁସାହି, କାକତବନ୍ଧା, ଡୁମୁକୁଲି ରୁବୁଡିସିଂ ଠାରେ ଘଟିଥିବା ଭୁସ୍ଖଳନ ଅଞ୍ଚଳବାସୀଙ୍କୁ ଆତଙ୍କିତ କରିପକାଇଛି । ସ୍ଥିତି ଏପରି ହୋଇଛି ଯେ, ବର୍ତ୍ତମାନର ଲଗାଣ ବର୍ଷାରେ ଚଟାଣ ଉପରେ ମଧ୍ୟ ଝର ବାହାରି ଯାଉଛି । ୨ଦିନ ହେଲା ଗାଁର ଉପର ପାଶ୍ୱର୍ରେ ଥିବା ଚର୍ଚ୍ଚ ନିକଟସ୍ଥ ପାହାଡ଼ରୁ ନଦୀ ସଦୃଶ୍ୟ ବହୁ ମାତ୍ରାରେ ପାଣି ଲୋକଙ୍କ ଘର ଗୁହାଳ ମଧ୍ୟ ଦେଇ ପ୍ରବାହିତ ହେଉଛି । ଫଳରେ ଘର ଭିତରେ, ଚୁଲି ମୁଣ୍ଡରେ ଆଣ୍ଠୁଏ ଲେଖାଏଁ ପାଣି ଭରି ରହୁଛି । ବୋଝ ଉପରେ ନଳିତା ବିଡ଼ା ଭଳି ଲୋକେ ଭୋକରେ ରହୁଥିବା ବେଳେ ରାତିରେ ଶୋଇପାରୁ ନାହାନ୍ତି । ଘରେ ଗଚ୍ଛିତ ଥିବା ଖାଦ୍ୟ ଶସ୍ୟ ମଧ୍ୟ ପାଣିରେ ଧୋଇ ହୋଇ ନଷ୍ଟ ହୋଇଛି । ତେବେ ଏମାନଙ୍କ ପାଇଁ ରନ୍ଧାଖାଦ୍ୟ ବ୍ୟବସ୍ଥା କରିବା ନିହାତି ଆବଶ୍ୟକତା ରହିଥିବା ବେଳେ ଗତକାଲି ଠାରୁ ବିଡିଓଙ୍କୁ ବାରମ୍ବାର ଫୋନ୍ କରିଥିଲେ ମଧ୍ୟ ତାଙ୍କ ମୋବାଇଲ ବନ୍ଦ ଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି ।