ହୀରାକୁଦରୁ ଛଡ଼ାଗଲା ପ୍ରଥମ ବନ୍ୟାଜଳ
ସମ୍ବଲପୁର, ୧୮ା୭(ଆପ୍ର): ହୀରାକୁଦ ଡ୍ୟାମରୁ ଛଡ଼ାଯାଇଛି ବର୍ଷର ପ୍ରଥମ ବନ୍ୟାଜଳ । ରୀତିନୀତି ଅନୁଯାୟୀ ସୋମବାର ପୂଜାର୍ଚ୍ଚନା କରାଯିବା ପରେ ପୂର୍ବାହ୍ନ ୧୧ଟାରେ ପ୍ରଥମେ ୭ ନମ୍ବର ଗେଟ୍ ଖୋଲା ଯାଇଥିଲା । ଏହାର ସ୍ୱଳ୍ପ ସମୟ ପରେ ଆଉ ୪ଟି ଗେଟ୍ ଖୋଳାଯାଇଥିଲା । ଲେଫ୍ଟ ସ୍ପିଲୱେରୁ ୩ ଓ ରାଇଟ ସ୍ପିଲୱେରୁ ୨ଟି ସ୍ଲୁଇସ ଗେଟ ଦେଇ ବନ୍ୟା ଜଳ ନିଷ୍କାସନ ହେଉଛି ।
ଡ୍ୟାମର ସର୍ବାଧିକ ଜଳଧାରଣ କ୍ଷମତା ୬୩୦ ଫୁଟ । ଗେଟ୍ ଖୋଲାଯିବା ସମୟରେ ଜଳପତ୍ତନ ୬୧୩.୧୫ ଫୁଟ୍ ରହିଥିଲା । ଡ୍ୟାମ୍ ଭିତରକୁ ମିନିଟକୁ ୧ ଲକ୍ଷ ୩୫ ହଜାର ୧୪୧ କ୍ୟୁସେକ୍ ପାଣି ପ୍ରବେଶ କରୁଥିବାବେଳେ ୩୯ ହଜାର ୩୪୮ କ୍ୟୁସେକ୍ ପାଣି ନିଷ୍କାସିତ ହେଉଛି । ପାଣି ଛଡ଼ା ଯିବାରୁ ମହାନଦୀ ଓ ତାର ଶାଖା ନଦୀ ସମେତ ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଇବାର ସମ୍ଭାବନା ରହିଥିବାରୁ ତଳମୁଣ୍ଡରେ ଥିବା ୧୨ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସତର୍କ ସୂଚନା ଜାରି କରାଯାଇଛି । ହୀରାକୁଦ ବନ୍ୟାଜଳ ଆସନ୍ତା ୩୬ ଘଣ୍ଟା ମଧ୍ୟରେ ମୁଣ୍ଡଳୀରେ ପହଞ୍ଚିବା ସମ୍ଭାବନା ରହିଛି । କଟକ ଜିଲ୍ଲା ପ୍ରଶାସନ ମଧ୍ୟ ସଜାଗ ରହିଥିବରା ସୂଚନା ମିଳିଛି । ଅନ୍ୟପକ୍ଷରେ ବନ୍ୟା ସମ୍ଭାବନା ଥିବାରୁ ନଦୀକୂଳ ବାସିନ୍ଦାମାନଙ୍କୁ ସତର୍କ କରାଇ ଦିଆଯାଇଛି ।