ମୋକିମ୍ଙ୍କ କ୍ରସ୍ ଭୋଟିଂ

ଭୁବନେଶ୍ୱର, ୧୮ା୭ (ବୁ୍ୟରୋ): ସରିଛି ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟିଂ । ରାଜ୍ୟର ୧୪୫ ବିଧାୟକ ବିଧାନସଭାରେ ଭୋଟ ଦେଇଥିବା ବେଳେ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ ମଧ୍ୟ ଭୋଟ୍‌ ଦେଇଛନ୍ତି । ହେଲେ ଭୋଟ୍‌ ଦେବା ପରେ ସେ ଗଣମାଧ୍ୟମକୁ ଯାହା କହିଛନ୍ତି, ତାହା ରାଜ୍ୟ କଂଗ୍ରେସରେ କମ୍ପନ ସୃଷ୍ଟି କରିଛି । କାରଣ ଦଳର ନିଦେ୍ର୍ଦଶକୁ ନମାନି ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ୍‌ ଦେଇଥିବା ମୋକିମ୍ ପ୍ରକାଶ କରିଛନ୍ତି । ଯାହାକୁ ନେଇ ଏବେ ଦଳୀୟ ରାଜନୀତି ସରଗରମ ହୋଇଛି । କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ପ୍ରତିକ୍ରିୟା ରଖି କହିଛନ୍ତି, ଦଳ ଯାହା ବିଚାର କରିବ, ସେହି ଅନୁସାରେ ନିଷ୍ପତ୍ତି ନିଆଯିବ । କଂଗ୍ରେସ ଓ ବିଜେପି ଦୁଇ ପରସ୍ପର ବିରାଧୀ ଦଳ । ଦ୍ରୌପଦୀ ମୁର୍ମୁ ବିଜେପି ନେତୃତ୍ୱାଧୀନ ଏନଡିଏ ମେଣ୍ଟର ରାଷ୍ଟ୍ରପତି ପ୍ରାର୍ଥୀ । ତେଣୁ ମିଳିତ ବିରାଧୀ ଦଳର ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କୁ ଭୋଟ୍‌ ଦେବାପାଇଁ ସମସ୍ତ ବିଧାୟକଙ୍କୁ କଂଗ୍ରେସ ପକ୍ଷରୁ ପରାମର୍ଶଳ ଜାରି ହୋଇଥିଲା । ହେଲେ ଦଳର ନିଦେ୍ର୍ଦଶକୁ ନମାନି ଦ୍ରୌପଦୀଙ୍କୁ ମୋକିମ ଭୋଟ୍‌ ଦେଇଥିବାରୁ ଏନେଇ ହାଇକମାଣ୍ଡଙ୍କୁ ଜଣାଇ ଦିଆଯାଇଛି । ଏନେଇ ଏବେ ଯାହା ନିଦେ୍ର୍ଦଶ ଆସିବ ସେହି ଅନୁସାରେ କାର୍ଯ୍ୟାନୁଷ୍ଠାନ ହେବ ବାଲି ସେ ସୂଚନା ଦେଇଛନ୍ତି ।
ସେପଟେ ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, କଂଗ୍ରେସ ଦଳର କେନ୍ଦ୍ରୀୟ ନେତୃତ୍ୱ ଯଶବନ୍ତ ସିହ୍ନାଙ୍କୁ ଭୋଟ ଦେବାକୁ ନିଷ୍ପତି ନେଇଥିଲା । ଏ ସମ୍ପର୍କରେ ଆଲୋଚନା ହେବା ପରେ କଂଗ୍ରେସ ବିଧାୟକଙ୍କୁ ଅବଗତ କରାଯାଇଥିଲା । ସମସ୍ତେ କେନ୍ଦ୍ରୀୟ ନେତୃତ୍ୱର ନିଷ୍ପତି ସହ ଅବଗତ ଥିଲେ । ହେଲେ ବିଧାୟକ ମୋକିମ ନିଜେ ଗଣମାଧ୍ୟମରେ ସେ ଏନଡିଏ ପ୍ରାର୍ଥୀଙ୍କୁ ଭୋଟ ଦେବା କଥା କହିଛନ୍ତି । ତେଣୁ ଏ ସମ୍ପର୍କରେ ଦଳର ହାଇକମାଣ୍ଡଙ୍କୁ ଅବଗତ କରାଯିବ । ଏହା ପରେ କୌଣସି ନିଷ୍ପତ୍ତି କେନ୍ଦ୍ରୀୟ ହାଇକମାଣ୍ଡ ନେବେ । ତେବେ ନିୟମ ଅନୁସାରେ କ୍ରସ ଭୋଟିଂ କରିଥିବାରୁ ମୋକିମଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇପାରିବ ନାହିଁ । ନିର୍ବାଚନ କମିଶନ୍‌ ଏ ସମ୍ପର୍କୀତ ନିୟମ ବାବଦରେ ପୂର୍ବରୁ ସ୍ପଷ୍ଟ କରିଛନ୍ତି । ରାଷ୍ଟ୍ରପତି ନିର୍ବଚନରେ ଦଳୀୟ ହୁଇପ ଜାରି ହୋଇପାରିବ ନାହିଁ । ନିଜ ବିବେକ ଅନୁସାରେ ପ୍ରାର୍ଥୀଙ୍କୁ ସାଂସଦ, ବିଧାୟକ ଭୋଟ୍‌ ଦେଇପାରିବେ । କୌଣସି ଦଳ ଏହାର ଖିଲାପ କରୁଥିବାର ନଜରକୁ ଆସିଲେ ଆଇପିସିର ଧାରା-୧୭୧(ସି)ରେ ଏନେଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କମିଶନ ସ୍ପଷ୍ଟ କରିଛନ୍ତି । ପିସିସି ସଭାପତି ରେସରେ ଥିବା ମୋକିମ୍‌ ଏଥିରୁ ବାଦ୍ ପଡ଼ିବା ପରେ ଦଳ ପ୍ରତି ବିମୁଖ ଥାଇପାରନ୍ତି । କାରଣ ଏହା ପୂର୍ବରୁ ନୂଆ ସଭାପତି ଶରତ ପଟ୍ଟନାୟକଙ୍କ ପ୍ରଥମ ବୈଠକ ନବ ସଂକଳ୍ପ ସମାବେଶରେ ମଧ୍ୟ ସେ ଉପସ୍ଥିତ ନଥିଲେ । ସେହିପରି କଂଗ୍ରେସ ଭବନରେ ଅନୁଷ୍ଠିତ ସଭାପତି ସମ୍ବର୍ଦ୍ଧନା ଉତ୍ସବରେ କଟକରେ ଥାଇ ବି କାର୍ଯ୍ୟକ୍ରମକୁ ଆସିନଥିଲେ । କିଛି ଦିନ ତଳେ କଂଗ୍ରେସ ବିଧାୟକ ଦଳ ସମ୍ପାଦକ ପଦରୁ ଇସ୍ତଫା ଦେଇଥିଲେ । ଏସବୁ ଏକାଧିକ ଘଟଣାକ୍ରମ ପରେ ମୋକିମ୍‌ ଆଉ କଂଗ୍ରେସ ମଧ୍ୟରେ ଯେ କିଛି ଗୋଳମାଳିଆ ଚାଲିଛି, ତାହା ସ୍ପଷ୍ଟ ହେଉଛି । ସେପଟେ ଦଳର ଜଣେ ବରିଷ୍ଠ ବିଧାୟକ ଦଳୀୟ ନିଷ୍ପତ୍ତି ବାହାରକୁ ଯାଇଥିବାରୁ ନୂଆ ସଭାପତି ଆସିବା ପରେ କଂଗ୍ରେସରେ ଯେ ଅସନ୍ତୋଷ ରାଜନୀତି ଜମାରୁ ଥମିନି, ତାହା ଜଳ ଜଳ ଦିଶୁଛି । ବିଧାୟକ ତାରାପ୍ରସାଦ ବାହିନୀ ପତି ମଧ୍ୟ ଏହା ପ୍ରକାଶ କରିଛନ୍ତି । ତାରା କହିଛନ୍ତି, ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ନିନ୍ଦନୀୟ ଘଟଣା । ମୋକିମ ଅସନ୍ତୁଷ୍ଟ ଥିବା ଏହା ପ୍ରମାଣ କଲା । ତା’ ସହ ଦଳର ଏକତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଲା । ସେହିପରି ଦଳୀୟ ବିଧାୟକ ସନ୍ତୋଷ ସିଂହ ସାଲୁଜା କହିଛନ୍ତି, ଜଣେ ଶୃଙ୍ଖଳିତ ସଭ୍ୟ ଭାବେ ସେ ପାର୍ଟି ନିଷ୍ପତି ପ୍ରକାରେ ଭୋଟ୍ ଦେବା କଥା । କିନ୍ତୁ ଯାହା ଘଟିଲା, ତାହା ଦୁର୍ଭାଗ୍ୟଜନକ ଘଟଣା । ହାଇକମାଣ୍ଡଙ୍କୁ ଏ ବିଷୟରେ ଅବଗତ କରାଯିବ ଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ଅନ୍ୟପଟେ, ଦ୍ରୌପଦୀଙ୍କ ପ୍ରାର୍ଥୀତ୍ୱ ନେଇ ଘୋଷଣା ହେବା ପରେ ମୋକିମ୍ଙ୍କ ଝିଅ ସୋଫିଆ ଫିଦେ୍ର୍ଦାଶ ସୁଦର୍ଶନ ଦାସଙ୍କ ବାଲୁକା କଳାର ଏକ ଫଟୋକୁ ଟ୍ୱିଟ୍ କରିଥିଲେ । ବ୍ୟକ୍ତିଗତ କ୍ଷତି ସତ୍ତ୍ୱେ ଦ୍ରୌପଦୀ ଖୁବ୍ ଉଚ୍ଚକୁ ଯାଇପାରିଛନ୍ତି ବୋଲି ସୋଫିଆ ଉକ୍ତ ଟୁଇଟ୍ରେ ଉଲ୍ଲେଖ କରିଥିଲେ । ଉକ୍ତ ପୋଷ୍ଟରେ ଜଣେ ପ୍ରଶଂସକ ତାଙ୍କୁ ଦ୍ରୌପଦୀଙ୍କୁ ଭୋଟ୍ ଦେବା ପାଇଁ ବାପା (ମୋକିମ୍)ଙ୍କୁ ମନେଇବା ପାଇଁ ପ୍ରଶ୍ନ କରିଥିବାବେଳେ ଉତ୍ତରରେ ସୋଫିଆ ସମ୍ପୃକ୍ତ ପ୍ରଶଂସକଙ୍କୁ ‘ହଁ’ରେ ଉତ୍ତର ଦେଇଥିଲେ । ତେଣୁ ନିଜ ସନ୍ତାନ ପ୍ରତି ଭଲପାଇବା ନା ପିସିସି ସଭାପତିଙ୍କ ସହ ମତଭେଦ କାରଣରୁ ମୋକିମ୍ କ୍ରସ୍ ଭୋଟିଂ କଲେ ସେ ନେଇ ଏବେ ସବୁଠି ଚର୍ଚ୍ଚା ଜୋର ଧରିଥିବାବେଳେ ଉଭୟ ବିଜେଡ଼ି ଓ ବିଜେପି ମୋକିମ୍ଙ୍କର ଏହି ପଦକ୍ଷେପଙ୍କୁ ସ୍ୱାଗତ କରିଛନ୍ତି ।

‘ମାଟିର ଝିଅକୁ ଭୋଟ୍ ଦେଲି’
ଭୁବନେଶ୍ୱର, ୧୮ା୭ (ବୁ୍ୟରୋ): ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ୍‌ ଦେଇଛନ୍ତି କଂଗ୍ରେସ ବିଧାୟକ ମହମ୍ମଦ ମୋକିମ୍‌ । ଦଳର ନିଷ୍ପତ୍ତି ବିରୋଧରେ ଯାଇ ଏନଡିଏ ପ୍ରାର୍ଥୀଙ୍କୁ ଭୋଟ ଦେଇଛନ୍ତି ବିଧାୟକ ମୋକିମ୍‌ । ଦ୍ରୌପଦୀଙ୍କୁ ଭୋଟ ଦେବା ପରେ ବିଧାୟକ ମୋକିମ କହିଛନ୍ତି, ସେ ମାଟିର ଝିଅଙ୍କୁ ଭୋଟ ଦେଇଛନ୍ତି । ନିଜ ବିବେକ ଅନୁସାରେ ଭୋଟ ଦେଇଛି, ଦଳ ଆଗକୁ କଣ ନିଷ୍ପତ୍ତି ନେବ ସେ କଥା ପରେ ବୁଝାଯିବ । ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି, ଜଣେ ଓଡ଼ିଆ ଓ ଆଦିବାସୀ ମହିଳା ହୋଇଥିବାରୁ ମୁଁ ଦ୍ରୌପଦୀଙ୍କୁ ଭୋଟ ଦେଇଛି । ସମ୍ବିଧାନର ସର୍ବୋଚ୍ଚ ପଦରେ ଜଣେ ଓଡ଼ିଆ ବସିବାକୁ ଯାଉଥିବାରୁ ଓଡ଼ିଆଙ୍କ ଭାବାବେଗକୁ ଦୃଷ୍ଟିରେ ରଖି ଦ୍ରୌପଦୀଙ୍କୁ ଭୋଟ ଦେଇଛି । ଆଉ ଭାବୁଛି ଭୋଟ ଦେଇ ମୁଁ ଠିକ୍‌ କରିଛି । ଏ ପ୍ରସଙ୍ଗରେ ଦଳୀୟ ଭିତ୍ତିରେ ଆଲାଚନା କରିଛି । ମୁଁ କିନ୍ତୁ ବ୍ୟକ୍ତିଗତ ଭାବେ ଏଭଳି ନିଷ୍ପତ୍ତି ନେଇଛି । ସୂଚନାଯୋଗ୍ୟ, ପୂର୍ବରୁ ପିସିସି ସଭାପତି ମିଳିତ ବିରାଧୀ ରାଷ୍ଟ୍ରପତି ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କୁ ଭୋଟ ଦେବାକୁ ନିଦେ୍ର୍ଦଶ ଦେଇଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *