ରାଷ୍ଟ୍ରପତି ନିର୍ବାଚନରେ କ୍ରସ୍ ଭୋଟିଂ

ନୂଆଦିଲ୍ଲୀ (ଏଜେନ୍ସି): ଦେଶର ୧୫ଦଶ ରାଷ୍ଟ୍ରପତି ଲାଗି ମତଦାନ ପ୍ରକ୍ରିୟା ଅନୁଷ୍ଠିତ ହୋଇଯାଇଛି । ତେବେ ଦେଶର ସବୁଠାରୁ ମର୍ଯ୍ୟାଦାଜନକ ପଦ ପାଇଁ ହୋଇଥିବା ଏହି ନିର୍ବାଚନରେ ଖୁଲମ୍ଖୁଲ୍ଲା କ୍ରସ୍ ଭୋଟିଂ ହୋଇଥିବା ଜାଣିବାକୁ ମିଳିଛି । ଦ୍ରୌପଦୀ ମୁର୍ମୁ, ଏନ୍ଡିଏ ପକ୍ଷରୁ ରାଷ୍ଟ୍ରପତି ପ୍ରାର୍ଥୀ ହୋଇଥିବା ବେଳେ ବିରୋଧୀ ଦଳଙ୍କ ପକ୍ଷରୁ ଯଶୱନ୍ତ ସିହ୍ନା ପ୍ରାର୍ଥୀ ହୋଇଛନ୍ତି । ତେବେ ସଂଖ୍ୟାଗଣିତ ଆଧାରରେ ସିହ୍ନାଙ୍କ ତୁଳନାରେ ମୁର୍ମୁଙ୍କ ପଲ୍ଲା ପ୍ରଥମରୁ ହିଁ ଭାରି ଥିବା ବେଳେ ସୋମବାର ହୋଇଥିବା ନିର୍ବାଚନରେ କେତେକ ବିରୋଧୀ ଦଳର ନେତାମାନେ ଏନ୍ଡିଏ ପ୍ରାର୍ଥୀଙ୍କ ଉଦେ୍ଦଶ୍ୟରେ କ୍ରସ୍ ଭୋଟିଂ କରିଥିବା ଜଣାପଡ଼ିଛି । ଦଳୀୟ ହ୍ୱିପ୍କୁ ଅବମାନନା କରି ନେତାମାନେ କ୍ରସ୍ ଭୋଟିଂ କରିବାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ସବୁଜ ରଙ୍ଗର ବାଲାଟ୍ ପେପରରେ ଅନୁଷ୍ଠିତ ହେଉଥିବା ରାଷ୍ଟ୍ରପତି ନିର୍ବାଚନରେ ପ୍ରତ୍ୟେକ ବିଧାୟକ ତଥା ସାଂସଦଙ୍କ ଭୋଟ୍ ମୂଲ୍ୟବାନ୍ ହୋଇଥିବା ବେଳେ ନିଜ ବିଧାୟକ ତଥା ସାଂସଦଙ୍କ ଏପ୍ରକାର କ୍ରସ ଭୋଟିଂ ବିରୋଧୀ ଦଳର ପୁରା ଗଣିତକୁ ହିଁ ଖରାପ କରିଦେଇଥିବା କୁହାଯାଉଛି ।
ପ୍ରାପ୍ତ ସୂଚନାନୁସାରେ ଉତ୍ତରପ୍ରଦେଶ, ଗୁଜରାଟ, ଓଡିଶାରୁ ନେଇ ଆସାମ ପର୍ଯ୍ୟନ୍ତ ସବୁ ଅଞ୍ଚଳରେ କ୍ରସ୍ ଭୋଟିଂ ଦେଖିବାକୁ ମିଳିଛି । ୟୁପିର ବରେଲୀରୁ ସମାଜବାଦୀ ପାର୍ଟି (ଏସ୍ପି) ବିଧାୟକ ଶହଜିଲ ଇସଲାମ୍, ଓଡିଶାରୁ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ୍, ଦ୍ରୌପଦୀ ମୁର୍ମୁଙ୍କ ସମର୍ଥନରେ ଭୋଟ୍ ଦେଇଛନ୍ତି । ସେହିପରି ଗୁଜରାଟରେ ଏନ୍ସିପି ଏବଂ ଆସାମରେ କଂଗ୍ରେସ ବିଧାୟକଙ୍କ ଦ୍ୱାରା କ୍ରସ ଭୋଟିଂ ହୋଇଥିବା ଦାବି କରାଯାଉଛି । ଗୁଜରାଟରେ ଶରଦ ପାୱାରଙ୍କ ପାର୍ଟି ଏନ୍ସିପିର ବିଧାୟକ କନ୍ଧାଲ ଏସ୍ ଜାଡେଜା, ଦଳୀୟ ହ୍ୱିପ୍କୁ ଅବମାନ କରିବା ପୂର୍ବକ ଏନ୍ଡିଏ ପ୍ରାର୍ଥୀ ମୁର୍ମୁଙ୍କୁ ଭୋଟ୍ ଦେଇଛନ୍ତି । ସେ ଖୋଦ୍ ମୁର୍ମୁଙ୍କୁ ଭୋଟ୍ ଦେଇଥିବା ସ୍ୱୀକାର କରିଛନ୍ତି । ଏତଦ୍ବ୍ୟତୀତ ଆସାମରେ ମଧ୍ୟ କଂଗ୍ରେସର ଅନେକ ବିଧାୟକ କ୍ରସ୍ ଭୋଟିଂ କରିଥିବା ଦାବି କରାଯାଉଛି ।
ଏସବୁ ମଧ୍ୟରେ କେତେକ ଦଳରେ ଥିବା ଅର୍ନ୍ତକନ୍ଦଳ ବା ବିଦ୍ରୋହ ମଧ୍ୟ ସାମ୍ନାକୁ ଆସିଯାଇଛି । ପଞ୍ଜାବରେ ଶିରୋମଣୀ ଅକାଳୀ ଦଳର ଜଣେ ବିଧାୟକ ଦଳୀୟ ହ୍ୱିପ୍ ବିରୋଧରେ ଯାଇ ରାଷ୍ଟ୍ରପତି ନିର୍ବାଚନକୁ ବୟକଟ୍ କରିଛନ୍ତି । ପଞ୍ଜାବର ମୋଟ୍ ୧୧୭ ବିଧାୟକଙ୍କ ମଧ୍ୟରୁ ୧୧୪ ବିଧାୟକ ଭୋଟ୍ ଦେଇଛନ୍ତି । ସେହିପରି ସମାଜବାଦୀ ପାର୍ଟିରେ ଅଖିଳେଶ ଯାଦବ ଏବଂ ତାଙ୍କ ଦାଦା ଶିବପାଲ ଯାଦବଙ୍କ ମଧ୍ୟରେ ଥିବା ବିବାଦ ମଧ୍ୟ ପୁଣିଥରେ ପଦାକୁ ଆସିଛି । ଅଖିଳେଶ, ନିଜ ଦଳର ନେତାମାନଙ୍କୁ ସିହ୍ନାଙ୍କୁ ଭୋଟ୍ କରିବାକୁ ହ୍ୱିପ୍ ଜାରି କରିଥିବା ବେଳେ ଶିବପାଲ ଏବଂ ତାଙ୍କର କେତେକ ଅନୁଗାମୀ ବିଧାୟକ ଏନ୍ଡିଏ ପ୍ରାର୍ଥୀ ମୁର୍ମୁଙ୍କୁ ସମର୍ଥନ କରି ଭୋଟ୍ ଦେଇଛନ୍ତି ।
ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଆସିଥିବା ସୂଚନାନୁସାରେ ରାଷ୍ଟ୍ରପତି ନିର୍ବାଚନରେ ଦେଶର ୧ଠ ରାଜ୍ୟ ତଥା ପୁଡୁଚେରୀରୁ ଶତପ୍ରତିଶତ ଭୋଟିଂ ହୋଇଛି । ଏସବୁ ରାଜ୍ୟଗୁଡ଼ିକ ମଧ୍ୟରେ ଛତିଶଗଡ଼, ଗୋଆ, ଗୁଜରାଟ, ହିମାଚଳପ୍ରଦେଶ, କେରଳ, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ମଣିପୁର, ସିକ୍କିମ୍, ତାମିଲନାଡୁ ଏବଂ ପୁଡୁଚେରୀ ଆଦି ସାମିଲ ରହିଛନ୍ତି । ଚଳିତ ରାଷ୍ଟ୍ରପତି ନିର୍ବାଚନରେ ମୋଟ୍ ୪୭୯୬ ନିର୍ବାଚିତ ଜନ ପ୍ରତିନିଧି (ଲୋକସଭା ସାଂସଦ ଏବଂ ବିଧାୟକ)ଙ୍କ ମତଦାନ କରିବାକୁ ଥିବା ବେଳେ ଭୋଟ୍ ହାର ୯୯% ରହିଛି । ପ୍ରକାଶ ଆସନ୍ତା ୨୧ରେ ରାଷ୍ଟ୍ରପତି ନିର୍ବାଚନର ଫଳାଫଳ ପ୍ରକାଶ ପାଇବ ।
ରାଷ୍ଟ୍ରପତି ନିର୍ବାଚନ ପରିପ୍ରେକ୍ଷୀରେ ୟୁପିଏ ପକ୍ଷରୁ ରାଷ୍ଟ୍ରପତି ପ୍ରାର୍ଥୀ ହୋଇଥିବା ଯଶୱନ୍ତ ସିହ୍ନା ଏକ ବଡ଼ ବୟାନ ଦେଇଛନ୍ତି । ସେ କହିଛନ୍ତି, ରାଷ୍ଟ୍ରପତି ନିର୍ବାଚନରେ ମଧ୍ୟ ଘୋଡା ବେପାର ହୋଇଛି । କ୍ରସ ଭୋଟିଂ ପଛରେ ଟଙ୍କା ବଳ କାମ କରିଛି । ଏଥିପାଇଁ ସରକାରୀ କଳକୁ ନିୟୋଜିତ କରାଯାଇଛି । ଅର୍ଥ ମୋହମାୟାରେ ନପଡ଼ି ଏବଂ ନିଜ ଅନ୍ତର ଆତ୍ମାର ଆହ୍ୱାନ୍କୁ ଶୁଣି ତଥା ଦେଶର ସମ୍ବିଧାନକୁ ସୁରକ୍ଷା ଦେବା ପାଇଁ ତାଙ୍କୁ ଭୋଟ୍ ଦେବାକୁ ସିହ୍ନା ସମସ୍ତ ନିର୍ବାଚିତ ଜନପ୍ରତିନିଧିମାନଙ୍କୁ ଅପିଲ୍ କରିଛନ୍ତି । ରାଷ୍ଟ୍ରପତି ନିର୍ବାଚନରେ ବିଜେପି ଏବଂ ଶିବସେନା (ସିନେ୍ଦ ଗୋଷ୍ଠୀ)ର ୨ଜଣ ଲେଖାଏ ସାଂସଦ, କଂଗ୍ରେସ, ଶିବସେନା (ଉଦ୍ଧବ ଗୋଷ୍ଠୀ), ସମାଜବାଦୀ ପାର୍ଟି, ବହୁଜନ ସମାଜ ପାର୍ଟି, ଏଆଇଏମ୍ଆଇଏମ୍ ଆଦି ଦଳର ଜଣେ ଲେଖାଏ ସାଂସଦ ଭୋଟ୍ଦାନରୁ ବିରତ ରହିଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *