ମୈରାଜଙ୍କୁ ଐତିହାସିକ ସ୍କୀଟ୍ ସ୍ୱର୍ଣ୍ଣ
ଆଇଏସ୍ଏସ୍ଏଫ୍ ବିଶ୍ୱକପ୍
ଚାଙ୍ଗୱନ, ୧୮ା୭ (ଏଜେନ୍ସି): ଭେଟେରାନ୍ ଭାରତୀୟ ସୁଟର୍ ମୈରାଜ ଅହମ୍ମଦ ଖାଁ ସୋମବାର ଆଇଏସ୍ଏସ୍ଏଫ୍ ବିଶ୍ୱକପ୍ରେ ଦେଶ ପକ୍ଷରୁ ପ୍ରଥମ ଥର ପୁରୁଷ ସ୍କୀଟ୍ରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ଭାରତ ୧୩ ପଦକ ସହ ଅଦ୍ୟାବଧି ତାଲିକାରେ ଶୀର୍ଷ ସ୍ଥାନରେ ରହିଛି । ଏଥିରେ ୫ ସ୍ୱର୍ଣ୍ଣ, ୫ ରୌପ୍ୟ ଓ ୩ କାଂସ୍ୟ ଅନ୍ତର୍ଭୁକ୍ତ ।
୪୦ ସଟ୍ ଫାଇନାଲ୍ରେ ଉତ୍ତର ପ୍ରଦେଶସ୍ଥିତ ବୁଲନ୍ଦଶହର ଜିଲ୍ଲାର ୪୬ବର୍ଷୀୟ ସୁଟର୍ ମୈରାଜ ୩୭ ସ୍କୋର୍ କରି ପ୍ରଥମ ସ୍ଥାନରେ ରହିଥିଲେ । କୋରିଆର ମିନସୁ କିମ୍ (୩୬) ରୌପ୍ୟ ଓ ବ୍ରିଟେନ୍ର ବେନ୍ ଲେୱେଲିନ୍ (୨୬) କାଂସ୍ୟ ପଦକ ପାଇଥିଲେ । ମୈରାଜ ଦୁଇ ଦିନ ଧରି ଚାଲିଥିବା କ୍ୱାଲିଫାଇଙ୍ଗ୍ରେ ୧୧୯/୧୨୫ ସ୍କୋର୍ କରିଥିଲେ ।
ଦୁଇ ଥର ଅଲିମ୍ପିଆନ୍ ଚାଙ୍ଗୱନରେ ଭାରତୀୟ ଦଳର ସର୍ବବରିଷ୍ଠ ସଦସ୍ୟ । ସେ ରିଓ ଡି’ ଜେନିରୋ ଠାରେ ଅନୁଷ୍ଠିତ ୨୦୧୬ ବିଶ୍ୱକପ୍ରେ ରୌପ୍ୟ ପଦକ ଜିତିଥିଲେ । ସେ ଗତ ୧୫ ବର୍ଷ ଧରି ଆନ୍ତର୍ଜାତିକ ଇଭେଣ୍ଟରେ ଭାରତର ପ୍ରତିନିଧିତ୍ୱ କରିଆସୁଛନ୍ତି ।
ଦିନର ଆରମ୍ଭରେ ଅଞ୍ଜୁମ ମୁଦଗିଲ୍, ଅଶୀ ଚୌକସି ଓ ସିଫତ କୌର ଶାମରା ମହିଳାଙ୍କ ୫୦ମି. ରାଇଫଲ୍ ୩ ପୋଜିସନ୍ ଟିମ୍ ଇଭେଣ୍ଟରେ କାଂସ୍ୟ ପଦକ ହାସଲ କରିଥିଲେ । ଭାରତୀୟ ଟିମ୍ କାଂସ୍ୟ ପଦକ ମ୍ୟାଚ୍ରେ ଅଷ୍ଟ୍ରିଆର ଶିଲୀନ ୱେବେଲ, ନଦିନ ଅଙ୍ଗେରାଙ୍କ୍ ଓ ରେବେକା କାଏକଙ୍କୁ ୧୬-୬ରେ ହରାଇ ପୋଡ଼ିୟମ୍ ଫିନିଶ୍ କରିଥିଲେ । ରବିବାର ଅଞ୍ଜୁମ ବ୍ୟକ୍ତିଗତ ବର୍ଗରେ କାଂସ୍ୟ ପାଇଥିଲେ ।
ତେବେ ଦିନଟି ନିଶ୍ଚିତ ରୂପେ ମୈରାଜଙ୍କ ସପକ୍ଷରେ ଥିଲା । ୧୧୯ ସ୍କୋର୍ କରିବା ପରେ ଦୁଇ ଫାଇନାଲ୍ କ୍ୱାଲିଫିକେସନ୍ ସ୍ଥାନ ପାଇଁ ସେ ଅନ୍ୟ ଚାରି ଜଣଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ, ଯେଉଁଥିରେ ଦୁଇ ଥର ଅଲିମ୍ପିକ୍ ପଦକଧାରୀ କୁଏତର ଅବଦୁଲ୍ଲା ଅଲ୍ ରଶିଦି ମଧ୍ୟ ଥିଲେ । କିନ୍ତୁ ମୈରାଜ ସମସ୍ତଙ୍କୁ ଅତିକ୍ରମ କରି ସ୍ୱର୍ଣ୍ଣ ଜିତିଥିଲେ ।
ଅନ୍ୟପଟେ, ପୁରୁଷଙ୍କ ୨୫ମି. ରାପିଡ୍ ଫାୟାର ପିସ୍ତଲ୍ରେ ବିଜୟବୀର ସିଦ୍ଧୁ ରାଙ୍କିଙ୍ଗ୍ ରାଉଣ୍ଡରେ ସ୍ଥାନ ପାଇଥିଲେହେଁ ପଦକ ରାଉଣ୍ଡରେ ପ୍ରବେଶ କରିବାରେ ବିଫଳ ହୋଇଥିଲେ ଯେତେବେଳେକି ଅନୀଶ ଓ ସମୀର ପ୍ରଥମ ବାଧା ଅତିକ୍ରମ କରିପାରି ନ ଥିଲେ । କ୍ୱାଲିଫାଇଙ୍ଗ୍ରେ ବିଜୟବୀର ୫୮୪ ସ୍କୋର୍ କରି ଷଷ୍ଠ, ଅନୀଶ ୫୮୨ ସ୍କୋର୍ ସହ ୧୨ତମ ଓ ସମୀର ୫୬୬ ସ୍କୋର୍ ସହ ୩୦ତମ ସ୍ଥାନରେ ରହିଥିଲେ ।
ମହିଳା ସ୍କୀଟ୍ରେ ମୁଫଦଲ ଦୀସାୱାଲା ୧୦୮ ସ୍କୋର୍ କରି ୨୩ତମ ସ୍ଥାନ ପାଇଥିଲେ ।