ଭରା ନଈରେ ଭବିଷ୍ୟତ

ପାଣିରେ ପଶି ସ୍କୁଲ୍ ଯାଉଛନ୍ତି ପିଲା
ରେଢ଼ାଖୋଲ (ଆପ୍ର): ଲଗାଣ ବର୍ଷାକୁ ନେଇ ରାଜ୍ୟର ବିଭିନ୍ନ ଅଞ୍ଚଳ ଲୋକେ ହୀନସ୍ତା ଭୋଗୁଛନ୍ତି । କେଉଁଠି ପାହାଡ଼ ଧସିଲାଣି, ତ ଆଉ କେଉଁଠି ବିରାଟ ଘାଇ ହେଲାଣି । ତ ଆଉ କେଉଁଠି ନଈରେ ବନ୍ୟା ପାଣି ପଶି ଗାଁ ବୁଡ଼ାଇଲାଣି । ଏଭଳି ସ୍ଥିତିରେ ଦୈନନ୍ଦିନ ଜୀବନ ବ୍ୟାହତ ହେବା ସାଙ୍ଗକୁ ପିଲାଙ୍କ ପାଠପଢ଼ା ନେଇ ଅଭିଭାବକମାନେ ଚିନ୍ତାରେ ପଡ଼ିଛନ୍ତି । ଜୀବନକୁ ବାଜି ଲଗାଇ ପିଲାଏ ଭରା ନଈରେ ପାଠ ପଢ଼ିବାକୁ ଯାଉଛନ୍ତି । ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକ୍ ବଡ଼ମାଳ ପଞ୍ଚାୟତ ଦେବାହାଳି ଗାଁର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଏ ହେଉଛି ବିକଳ ଚିତ୍ର । କିଏ ବାପ କାନ୍ଧରେ ତ କିଏ ମା ହାତ ଧରି ବନ୍ୟାପାଣି ସ୍ରୋତରେ ନଦୀ ପାର୍ ହେଉଛନ୍ତି ।
ଗାଁରେ ଶିକ୍ଷାକେନ୍ଦ୍ର ନଥିବାରୁ ପିଲାଏ ହରିହର ଯୋର ପାର ହୋଇ ଭାଲିଆକଟା ପଞ୍ଚାୟତ ବୁଢିଖମାର ଗାଁକୁ ପଢ଼ିବାକୁ ଯାଉଛନ୍ତି । ପ୍ରତିଦିନ ଏହି ନାଳ ଦେଇ ପ୍ରାୟ ୨୦ ଛାତ୍ରଛାତ୍ରୀ ଓ ଅଙ୍ଗନବାଡ଼ି ଶିଶୁ ଯା’ଆସ କରୁଛନ୍ତି । ଭବିଷ୍ୟତ ଗଢ଼ିବା ପାଇଁ ବର୍ଷ ତମାମ ଏଭଳି କସରତ କରୁଛନ୍ତି । ବର୍ଷା ଦିନ ଆସିଲେ ଏହି ସମସ୍ୟା ଦ୍ୱିଗୁଣିତ ହୋଇ ଯାଉଛି । ସୋମବାର ପିଲାଏ ପଢ଼ିବା ପାଇଁ ନଦୀ ପାର ହେବାକୁ ଆସିଥିଲେ ମଧ୍ୟ ଉଛୁଳା ନଦୀର ସ୍ରୋତ ଦେଖି ଭୟରେ ଅନେକ ପିଲା ଫେରି ଯାଇଥିଲେ ।
ନଈ ବଢ଼ି ଯୋଗୁ ୭ ଦିନ ହେଲାଣି ଦେବାହାଳି ଗାଁର ଛାତ୍ରଛାତ୍ରୀମାନେ ପାଠପଢ଼ାରୁ ବଞ୍ଚିତ ହୋଇଛନ୍ତି । ଏହି ନଦୀ ଉପରେ ବ୍ରିଜ୍ କରିବାକୁ ଜନପ୍ରତିନିଧିଙ୍କ ଠାରୁ ଆରମ୍ଭ କରି ପ୍ରଶାସନିକ ସ୍ତରରେ ସମସ୍ତଙ୍କୁ ଜଣାଇଥିଲେ ମଧ୍ୟ ଫଳ ଶୂନ । ଏଣୁ ଜିଲ୍ଲାପାଳ ଏହି ସମସ୍ୟା ପ୍ରତି ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ଦୃଢ଼ ଦାବି ହେଉଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *