ଚିନ୍ତା ବଢ଼ାଇଲା ମଙ୍କିପକ୍ସ

ଥିରୁଅନନ୍ତପୁରମ୍ (ଏଜେନ୍ସି): ଗତ ୪ ଦିନ ମଧ୍ୟରେ ଦେଶରେ ୨ୟ ମଙ୍କିପକ୍ସ ସଂକ୍ରମିତ ଚିହ୍ନଟ ହେବା ପରେ ଏହାକୁ ନେଇ ଭୟ ସଂଞ୍ଚାର ହୋଇଛି । ତେବେ ପ୍ରଥମ ମଙ୍କିପକ୍ସ ସଂକ୍ରମିତ କେରଳରୁ ଚିହ୍ନଟ ହୋଇଥିବା ବେଳେ ୨ୟ ଆକ୍ରାନ୍ତଜଣକ ମଧ୍ୟ କେରଳ ନାଗରିକ ବୋଲି ଜଣାପଡିଛି । ଏସମ୍ପର୍କରେ କେରଳର ସ୍ୱାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ ସୋମବାର ସୂଚନା ଦେଇଛନ୍ତି ।
ବୀଣା ଜର୍ଜଙ୍କ କହବାନୁସାରେ ୨ୟ ମଙ୍କିପକ୍ସ ସଂକ୍ରମିତ ବ୍ୟକ୍ତିଜଣକଙ୍କ ବୟସ ୩୧ ବର୍ଷ ଏବଂ ସେ କନ୍ନୁର ଜିଲ୍ଲାର ସ୍ଥାୟୀ ନାଗରିକ । ସେ ଗତ ୧୩ରେ ଦୁବାଇରୁ କେରଳ ଫେରିଥିଲେ । ଦୁବାଇ ଏୟାରପୋର୍ଟରୁ ସେ ପ୍ରଥମେ କର୍ଣ୍ଣାଟକର ମାଙ୍ଗାଲୋର ଏୟାରପୋର୍ଟରେ ଅବତର କରିଥିଲେ ଏବଂ ଏଠାରେ ନିଜ ଜିଲ୍ଲା କନ୍ନୁର ଗସ୍ତ କରିଥିଲେ । ସେହିପରି କେରଳ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନାନୁସାରେ ମଙ୍କିପକ୍ସ ସଂକ୍ରମିତଙ୍କ ଠାରୁ ନମୁନା ସଂଗ୍ରହ କରାଯବା ପରେ ଏହାକୁ ପୁଣେ ସ୍ଥିତ ନ୍ୟାସନାଲ ଇନ୍ଷ୍ଟିଚୁ୍ୟଟ୍ ଅଫ୍ ଭାଇରୋଲୋଜି (ଏନ୍ଆଇଭି)କୁ ପଠାଇଦିଆଯାଇଥିଲା । ତେବେ ଏନ୍ଆଇଭି ରିପୋର୍ଟରେ ବ୍ୟକ୍ତିଜଣକ ମଙ୍କିପକ୍ସ ସଂକ୍ରମିତ ଥିବା ସ୍ପଷ୍ଟ ହୋଇଛି । ସମ୍ପ୍ରତି ଏହି ସଂକ୍ରମିତ ବ୍ୟକ୍ତିଙ୍କୁ କନ୍ନୁର ସ୍ଥିତ ପରିୟାରାମ୍ ମେଡିକାଲ କଲେଜରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ତେବେ ରିପୋର୍ଟ ଲେଖାହେବା ସୁଦ୍ଧା ସଂକ୍ରମିତ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ସ୍ୱାସ୍ଥ୍ୟ ବିଭାଗ ଦର୍ଶାଇଛି ।
ଅନ୍ୟପକ୍ଷେ କେରଳରୁ ମଙ୍କିପକ୍ସର ଦୁଇଟି ମାମଲା ସାମ୍ନାକୁ ଆସିବା ପରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ବିମାନ ବନ୍ଦରରେ ସୁରକ୍ଷା କଡାକଡି କରିବାକୁ ନିଦେ୍ର୍ଦଶ ଦେଇଛି । ବିଦେଶରୁ ଫେରୁଥିବା ଲୋକଙ୍କ ଯାଞ୍ଚ୍ କରାଯାଉଛି । କୁନ୍ନୁର ଏୟାରପୋର୍ଟରେ ସ୍ୱତନ୍ତ୍ର ସୁବିଧା ମଧ୍ୟ ଉପଲବ୍ଧ କରାଯାଇଛି । ସେହିପରି କେନ୍ଦ୍ର ପକ୍ଷରୁ ନ୍ୟାସ୍ନାଲ ସେଣ୍ଟର ଫର୍ ଡିଜିଜ୍ କଣ୍ଟ୍ରୋଲ (ଏନ୍ସିଡିସି)ର ଏକ ବିଶେଷଜ୍ଞ ଦଳ ମଙ୍କିପକ୍ସ ସଂକ୍ରମଣଜନିତ ସ୍ଥିତି ଉପରେ ସମୀକ୍ଷା କରିବା ପାଇଁ କେରଳ ଗସ୍ତ କରିଥିବା ସୂଚନା ମିଳିଛି । ପ୍ରକାଶ, ଗତ ମେ ପ୍ରଥମ ସପ୍ତାହରେ ପଶ୍ଚିମ ଏବଂ କେନ୍ଦ୍ରୀୟ ଆଫ୍ରିକୀୟ ଦେଶଗୁଡ଼ିକରେ ମଙ୍କିପକ୍ସ ସଂକ୍ରମଣ ଠାବ କରାଯାଇଥିଲା । ତେବେ ବର୍ତ୍ତମାନ ସୁଦ୍ଧା ଅଧିକାଂଶ କ୍ଷେତ୍ରରେ ପୁରୁଷଙ୍କ ଠାରେ ଏହି ସଂକ୍ରମଣ ଦେଖିବାକୁ ମିଳିଛି । ୧୯୫୮ରେ ପ୍ରଥମେ ମାଙ୍କଡଙ୍କ ଠାରେ ଏହି ଭୂତାଣୁ ଠାବ କରାଯାଇଥିବାରୁ ଏହାକୁ ମଙ୍କିପକ୍ସ ଭାବେ ବିବେଚନା କରାଯାଇଆସୁଛି । ଏହା ଏକ ଛୁଆଁ ଛୁଇଁଜନିତ ଭୂତାଣୁ ହୋଇଥିବାରୁ କ୍ଷୀପ୍ରଗତିରେ ଏହା ବ୍ୟାପିବାର ଆଶଙ୍କା କରାଯାଉଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ପକ୍ଷରୁ ମଙ୍କିପକ୍ସକୁ ବିଶ୍ୱ ସ୍ୱାସ୍ଥ୍ୟ ଏମର୍ଜେନ୍ସି ବିବେଚନା କରାଯିବ କି ନାହିଁ ସେସମ୍ପର୍କରେ ନିଜ ବିଶେଷଜ୍ଞ ଟିମ୍କୁ ଏକ ଯାଞ୍ଚ୍ ରିପୋର୍ଟ ପ୍ରସ୍ତୁତ କରିବାକୁ କହିଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *