ଦିନିକିଆରୁ ଷ୍ଟୋକ୍ସଙ୍କ ଅବସର
ଲଣ୍ଡନ, ୧୮ା୭ (ଏଜେନ୍ସି): ଇଂଲଣ୍ଡର ତାରକା ଅଲ୍ରାଉଣ୍ଡର୍ ବେନ୍ ଷ୍ଟୋକ୍ସ ଦିନିକିଆ ଆନ୍ତର୍ଜାତିକରୁ ଅବସର ନେଇଛନ୍ତି । ସେ ମଙ୍ଗଳବାର ଦକ୍ଷିଣ ଆଫ୍ରିକା ବିପକ୍ଷରେ ଠାରେ ହେବାକୁ ଥିବା ଦିନିକିଆ ପରେ ଏହି ଫର୍ମାଟ୍ରେ ଆଉ ଦେଖିବାକୁ ମିଳିବେନି । ସେ ୨୦୧୯ ବିଶ୍ୱକପ୍ ବିଜେତା ଟିମ୍ର ସଦସ୍ୟ ଥିଲେ ।
ଷ୍ଟୋକ୍ସ ଏ ଯାବତ୍ ୧୦୪ ଦିନିକିଆ ଆନ୍ତର୍ଜାତିକ ମ୍ୟାଚ୍ ଖେଳିଛନ୍ତି । ୩୧ବର୍ଷୀୟ ଷ୍ଟୋକ୍ସ ୨୦୧୯ ଦିନିକିଆ ବିଶ୍ୱକପ୍ ଫାଇନାଲ୍ରେ ପ୍ଲେୟାର୍ ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଥିଲେ । ଏହି ମ୍ୟାଚ୍ ଲର୍ଡ୍ସ ଖେଳାଯାଇଥିଲା ଏବଂ ଇଂଲଣ୍ଡ ପ୍ରଥମ ଥର ଦିନିକିଆ ବିଶ୍ୱକପ୍ ଜିତିଥିଲା । ୨୦୧୧ରେ ସେ ଆୟରଲାଣ୍ଡ ବିପକ୍ଷରେ ଦିନିକିଆ ପଦାର୍ପଣ କରିଥିଲେ । ଏହି ଫର୍ମାଟ୍ରେ ସେ ୨୯୧୯ ରନ୍ କରିବା ସହ ୭୪ ୱିକେଟ୍ ଅକ୍ତିଆର କରିଛନ୍ତି । ଷ୍ଟୋକ୍ସଙ୍କ ନେତୃତ୍ୱରେ ଇଂଲଣ୍ଡ ଟିମ୍ ପାକିସ୍ତାନକୁ ୩-୦ରେ ମାତ୍ ଦେଇଥିଲା ।
ସବୁ ଫର୍ମାଟ୍ରେ ଖେଳିବା କଷ୍ଟକର
ଷ୍ଟୋକ୍ସ ଇନ୍ଷ୍ଟାଗ୍ରାମ୍ ପୋଷ୍ଟରେ ଅବସର ସଂକ୍ରାନ୍ତରେ ଘୋଷଣା କରି ଲେଖିଥିଲେ, “ମୁଁ ଡର୍ହାମ୍ ଠାରେ ମଙ୍ଗଳବାର ଦିନିକିଆ କ୍ରିକେଟ୍ରେ ଇଂଲଣ୍ଡ ପାଇଁ ଶେଷ ମ୍ୟାଚ୍ ଖେଳିବି । ମୁଁ ଏହି ଫର୍ମାଟ୍ରୁ ଅବସର ନେବାକୁ ନିଷ୍ପତ୍ତି ନେଇଛି । ଏହା ମୋ ପାଇଁ ଏକ କଠିନ ନିଷ୍ପତ୍ତି ଥିଲା । ମତେ ନିଜ ସାଥୀ ଖେଳାଳିଙ୍କ ସହ ଖେଳିବା ନେଇ ବହୁତ ଗର୍ବ ଅନୁଭବ ହୋଇଛି ।
କ୍ରିକେଟ୍ର ତିନି ଫର୍ମାଟ୍ରେ ଖେଳିବା ମୋ ପାଇଁ ବହୁତ କଷ୍ଟକର । ମତେ ଲାଗୁଛି ଯେ ମୋ ଶରୀର ମଧ୍ୟ ଏବେ ଜବାବ ଦେଉଛି । ମୁଁ ନିଜେ ଜଣେ ଖେଳାଳିର ସ୍ଥାନ ନେଉଛି । ମୁଁ ଚାହୁଁଛି ମୋ ସ୍ଥାନରେ ଅନ୍ୟ କେହି ଏହି ଫର୍ମାଟ୍ରେ ଖେଳନ୍ତୁ ଏବଂ ମୋ ଠାରୁ ଭଲ ପ୍ରଦର୍ଶନ କରନ୍ତୁ ।”
ଷ୍ଟୋକ୍ସ ଆହୁରି ମଧ୍ୟ କହିଛନ୍ତି, “ମୋ ପାଖରେ ଏବେ ଟେଷ୍ଟ କ୍ରିକେଟ୍ ଖେଳିବା ପାଇଁ ସମୟ ରହିବ ଏବଂ ଏଥିପାଇଁ ମୁଁ ସବୁ କିଛି ଲଗେଇଦେବି । ତା’ଛଡ଼ା ଟି-୨୦ ଫର୍ମାଟ୍ ପାଇଁ ମଧ୍ୟ ମୁଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିବ ।”
ଭାରତ ବିପକ୍ଷ ଶୃଙ୍ଖଳାରେ ବିଫଳ ହୋଇଥିଲେ
ସଦ୍ୟ ସମାପ୍ତ ହୋଇଥିବା ଭାରତ ବିପକ୍ଷ ଦିନିକିଆ ଶୃଙ୍ଖଳାରେ ବେନ୍ ଷ୍ଟୋକ୍ସ ଖାସ୍ ପ୍ରଦର୍ଶନ କରିପାରି ନ ଥିଲେ । ବ୍ୟାଟ୍ ଓ ବଲ୍ ଉଭୟରେ ସେ ବିଫଳ ହୋଇଥିଲେ । ସେ ତିନି ମ୍ୟାଚ୍ରୁ ୧୬ ଆଭରେଜ୍ରେ ମାତ୍ର ୪୮ ରନ୍ କରିଥିବା ବେଳେ ପୂରା ଶୃଙ୍ଖଳାରେ ଗୋଟିଏ ବି ୱିକେଟ୍ ନେଇପାରି ନ ଥିଲେ ।