ରାଜ୍ୟ ସାରା ଜଳଯନ୍ତ୍ରଣା
ଭୁବନେଶ୍ୱର/ମୋହନା/ରାୟଗଡ଼ା, ୧୭ା୭ (ବୁ୍ୟରୋ): ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ଏହାର ପାଶ୍ୱର୍ବର୍ତ୍ତୀ ସମୁଦ୍ର ମଧ୍ୟରେ ସୃଷ୍ଟ ଲଘୁଚାପ କ୍ଷେତ୍ର ଏବେ ମଧ୍ୟ ସକ୍ରିୟ ଅଛି । ଏହା ସହ ଜଡିତ ଘୂର୍ଣ୍ଣିବଳୟ ବାୟୁମଣ୍ଡଳରେ ୭.୬ କିମି ଉଚ୍ଚତା ଯାଏ ବ୍ୟାପିଛି । ଫଳରେ ରାଜ୍ୟରେ ଗତ କିଛି ଦିନ ହେବ ଲଗାଣ ବର୍ଷା ଜାରି ରହିଛି । ଗତ ୨୪ ଘଣ୍ଟାରେ ରାଜ୍ୟର ଗଜପତି ଜିଲ୍ଲା ନୂଆଗଡ଼ରେ ସର୍ବାଧିକ ୨୩୭ ମିମି ଓ ଆର. ଉଦୟଗିରିରେ ୨୩୩.୪ ମିମି ବର୍ଷା ରେକର୍ଡ ହୋଇଥିବାବେଳେ ଏକାଧିକ ସ୍ଥାନରେ ୧୦୦ ମିମିରୁ ଊଦ୍ଧ୍ୱର୍ ବର୍ଷା ରେକର୍ଡ କରାଯାଇଛି । ଫଳରେ ରାଜ୍ୟର ଏକାଧିକ ନଦୀର ଜଳସ୍ତର ହଠାତ ବୃଦ୍ଧିପାଇବା ସହ ବହୁ ଅଞ୍ଚଳରେ ଜଳ ଉପଦ୍ରବ ନଜରକୁ ଆସିଛି ।
ମିଳିଥିବା ସୂଚନା ମୂତାବକ, ଗତ ୯ ତାରିଖରୁ ରାଜ୍ୟ ଉପକୂଳରେ ସୃଷ୍ଟ ଲଘୁଚାପ ଫଳରେ ଲଗାଣ ବର୍ଷା ଜାରି ରହିଛି । ଫଳରେ ରାଜ୍ୟର ମୁଖ୍ୟ ନଦୀ ତଥା ତାର ଶାଖା ନଦୀଗୁଡ଼ିକର ଜଳସ୍ତର ବୃଦ୍ଧିପାଉଛି । ଲଗାଣ ବର୍ଷା ସାଧାରଣ ଲୋକଙ୍କ ଧନଜୀବନ ଅସ୍ତବ୍ୟସ୍ତ କରିଦେଇଛି । କିଛିଦିନ ପୂର୍ବରୁ ଗଜପତି ଜିଲ୍ଲାରେ ଭୂସ୍ଖଳନ ଘଟିଥିବା ନଜରକୁ ଆସିଥିବାବେଳେ ଶନିବାର ବିଳମ୍ବିତ ରାତିରୁ ପୁନର୍ବାର ଭୂସ୍ଖଳନ ଘଟିଛି । ଫଳରେ ଲୋକେ ଘରଦ୍ୱାର ଛାଡି ଭୟଭୀତ ଅବସ୍ଥାରେ ଅଛନ୍ତି । ଭୁସ୍କଳନ ଫଳରେ ପାହାଡ଼ରୁ ପଥର ଖସି ରାସ୍ତା ଅବରୋଧ ହୋଇଛି । ୫୦ରୁ ୬୦ ଏକର ଜମିରେ ବାଲି ଓ ପଥର ଭର୍ତ୍ତି ହୋଇଯାଇଛି । ଜମିରେ ୬ ଫୁଟରୁ ଊଦ୍ଧ୍ୱର୍ ପାଣି ଜମିଥିବାବେଳେ ଶହେରୁ ଅଧିକ ଚାଷୀଙ୍କ ଜୀବନ ଜୀବିକା ବିପନ୍ନ ହୋଇଛି ।
ସେପଟେ ଲଘୁଚାପ ଜନିତ ଲଗାଣ ବର୍ଷାରେ ବେଗୁନିଆପଡ଼ା ବ୍ଳକର ପାଖାପାଖି ୬ହଜାର ହେକ୍ଟରରୁ ଅଧିକ ଧାନ ଚାଷ ପ୍ରଭାବିତ ହୋଇଛି । ପ୍ରାୟ ସମସ୍ତ ଖାଲୁଆ ଜମିରେ ପାଣି ଭର୍ତ୍ତି ହେବା ସହ ଧାନ ତଳି ଓ ରୁଆ ହୋଇଥିବା ଧାନ ବୁଡ଼ି ରହିଛି । ଏହା ସହିତ ପାଣି ସୁଅରେ ଧାନ ତଳି ବିଡ଼ା ମଧ୍ୟ ଭାସି ଚାଲିଯାଇଛି । ଏହି ବ୍ଳକର ସମସ୍ତ ପଞ୍ଚାୟତରେ ବିଭିନ୍ନ ଚାଷ ଜମି ଜଳମଗ୍ନ ହୋଇଛି । ଏପରିକି ଖରଖରୀ ନଦୀ ପାଶ୍ୱର୍ରେ ଥିବା ସମସ୍ତ ଧାନ ଜମି ସମ୍ପୂର୍ଣ୍ଣ ବୁଡ଼ି ଯାଇ ତାହା ଉପରେ ପାଣି ସୁଅ କାଟି ଚାଲିଛି । ଧାନ ତଳି ପକାଇଥିବା ଚାଷୀ ଚିନ୍ତାରେ ଥିବା ପ୍ରକାଶ କରିଛନ୍ତି । ଭଞ୍ଜନଗରରେ ମଧ୍ୟ ବର୍ଷା ବିତ୍ପାତ୍ତ ଦେଖିବାକୁ ମିଳିଛି । ଗତ ୨ ଦିନ ହେବ ତଳିଆ ଅଞ୍ଚଳରେ ପାଣି ପଶିଥିବାବେଳେ ଚଳପ୍ରଚଳ କରିବା ସମ୍ଭବପର ହୋଇପାରୁନାହିଁ । ପ୍ରଶାସନ ପକ୍ଷରୁ ଏନେଇ କିଛଇ ବ୍ୟବସ୍ଥା କରାଯାଇନଥିବାରୁ ଗ୍ରାମବାସୀ ବ୍ରହ୍ମପୁର-ଭଞ୍ଜନଗର ରାସ୍ତା ଅବରୋଧ କରିଥିବା ନଜରକୁ ଆସିଛି । କନ୍ଧମାଳ ଜିଲ୍ଲାର ପିଲାସାଲକା ନଦୀରେ ବନ୍ୟା ଆସି ରାସ୍ତାଘାଟ ଜଳମଗ୍ନ ହୋଇଛି । ନୟାଗଡ଼ ଜିଲ୍ଲା ଗଦାଧରପ୍ରସାଦ ପଞ୍ଚାୟତ ଅଞ୍ଚଳରେ ଲୁଣିଝରା ନଦୀରେ ୭ଠ ଫୁଟର ଘାଇ ହୋଇ ଶହ ଶହ ଏକ ଧାନଜମି ବୁଡ଼ିରହିଛି ।
ସେହିପରି ଉପରମୁଣ୍ଡରେ କ୍ରମାଗତ ବର୍ଷା ହେବା ଫଳରେ ଚଳିତ ମୌସୁମୀ ଋତୁର ପ୍ରଥମ ଜଳ ବୈତରଣୀ ନଦୀରେ ରବିବାର ପ୍ରବେଶ କରିଛି । ଏଥିଯୋଗୁଁ ନଦୀ କ୍ରମେ ଉୁଛୁଳିବାରେ ଲାଗିଛି । ଆଖୁଆପଦାରେ ବିପଦସଙ୍କେତ ୧୭.୮୩ ମିଟର ଥିବାବେଳେ ରବିବାର ସନ୍ଧ୍ୟା ସୁଦ୍ଧା ନଦୀର ଜଳସ୍ତର ନଦୀର ଜଳସ୍ତର ୧୭.୪୨ ମିଟରରେ ପ୍ରବାହିତ ହେଉଛି । ଉପରମୁଣ୍ଡରେ ବଡଧରଣର ବର୍ଷା ନଥିବାରୁ ନଦୀରେ ବନ୍ୟା ଆଶଙ୍କା ନାହିଁ ବୋଲି ଜଳସେଚନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହି ମଧ୍ୟରେ ମାଲକାକାନାଗିରି ମୋଟୁ ଅଞ୍ଚଳରେ ସ୍ଥିତି ସାମାନ୍ୟ ସୁଧୁରିଛି । ଶନିବାର ଗୋଦାବରୀ ନଦୀର ଜଳସ୍ତର ୮୦ ଫୁଟ୍ରେ ପ୍ରବାହିତ ହେଉଥିବାବେଳେ ରବିବାର ଏହା ୬୩ ଫୁଟକୁ ଖସିଛି । ହେଲେ ଏବେ ବି ତିନି ନମ୍ବର ବିପଦ ସଙ୍କେତଠାରୁ ୧୨ ଫୁଟ ଉପରେ ପ୍ରବାହିତ ହେଉଛି । ୧୫ ପରିବାରକୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି । ସେହିପରି ନୂଆ ମାଟୁ ଓ ବିନାୟକପୁର ଗାଁର ମୋଟ୍ ୫୦ ପରିବାରକୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିବାର ଖବର ମିଳିଛି ।
ଅନ୍ୟପଟେ ମାଲକାନଗିରି ଜିଲ୍ଲା ସୀମାନ୍ତ ଆନ୍ଧ୍ରପ୍ରଦେଶର ଇଷ୍ଟ ଗୋଦାବରୀ ନଦୀରେ ପାଖାପାଖି ୩୦୦ ହରିଣ ବନ୍ୟା ଜଳରେ ଫସି ରହିଛନ୍ତି । ହଠାତ୍ ବନ୍ୟା ଆସିବା ଫଳରେ ଏହି ୩୦୦ ହରିଣ ଏକ ଟାପୁରେ ଫସିଯାଇଛନ୍ତି । ପୂର୍ବ ଗୋଦାବରୀ ଜିଲ୍ଲାର ଧବଲେଶ୍ୱରମ୍ ବ୍ୟାରେଜ ନିକଟରେ ଏହି ୩୦୦ରୁ ଊଦ୍ଧ୍ୱର୍ ହରିଣ ଚାଲିଆସିଛନ୍ତି । ପାଟିଲଙ୍କା ନିକଟରେ ଚାଷୀମାନେ ହରିଣଙ୍କୁ ଧରି ବାହାରକୁ ଆଣିବାକୁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ । ତେବେ ଗୋଟିଏ ହରିଣ ବ୍ୟାରେଜ ପହଞ୍ଚିବା ବେଳକୁ କୁକୁରଙ୍କ ଆକ୍ରମଣରେ ମୃତୁ୍ୟ ହୋଇଥିବା ସୂଚନା ମିଳିଛି ।