ଜାଳିଦେଲେ ସ୍କୁଲ ବସ୍
ଛାତ୍ରୀଙ୍କ ସନେ୍ଦହଜନକ ମୃତୁ୍ୟ: ଉତ୍ତ୍ୟକ୍ତଙ୍କ ଉନ୍ମତ୍ତକାଣ୍ଡ
କଲ୍ଲାକୁରିଚି/ ତାମିଲନାଡୁ (ଏଜେନ୍ସି): ତାମିଲନାଡୁ କଲ୍ଲାକୁରିଚି ଠାରେ ଜଣେ ୧୭ ବର୍ଷୀୟା ସ୍କୁଲ ଛାତ୍ରୀଙ୍କ ସନେ୍ଦହଜନକ ମୃତୁ୍ୟକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ଦେଖାଦେଇଛି । ଉତ୍ତ୍ୟକ୍ତ ଲୋକେ ରବିବାର ଦିନ ଛାତ୍ରୀ ପଢ଼ୁଥିବା ଏକ ଘରୋଇ ସ୍କୁଲ ପରିସରରେ ବ୍ୟାପକ ଭଙ୍ଗାରୁଜା ସହ ଜଳାପୋଡା କରିଛନ୍ତି । ସ୍କୁଲ ପରିସରରେ ଛିଡା ହୋଇଥିବା ଅନେକ ସ୍କୁଲ ବସ୍କୁ ଉତ୍ତ୍ୟକ୍ତ ଜନତା ପୋଡିଦେଇଛନ୍ତି । ପରିସ୍ଥିତି ସମ୍ଭାଳିବାକୁ ଆସିଥିବା ପୁଲିସ୍ ଏମାନଙ୍କୁ ଘଉଡାଇବାକୁ ଲାଠି ଚାର୍ଜ କରିଥିବା ବେଳେ ଏମାନେ ପୁଲିସ୍ ଉପରକୁୂ ମଧ୍ୟ ଟେକାପଥର ମାଡ଼ କରିଛନ୍ତି ।
ମୃତ ଛାତ୍ରୀଜଣକ ଆତ୍ମହତ୍ୟା କରିଥିବା ସ୍କୁଲ କର୍ତ୍ତୃପକ୍ଷ କହୁଥିବା ବେଳେ ପରିବାର ଲୋକେ ଏହାକୁ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଛନ୍ତି । ନ୍ୟାୟ ପ୍ରଦାନ ଦାବିରେ ପରିବାର ଲୋକଙ୍କ ସହ ସ୍ଥାନୀୟ ଲୋକେ ମଧ୍ୟ ଏକଜୁଟ୍ ହୋଇ ରବିବାର ଦିନ ହିଂସାପୂର୍ଣ୍ଣ ପ୍ରତିବାଦ ତଥା ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଅନ୍ୟପକ୍ଷେ ପରିସ୍ଥିତିକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଏମ୍କେ ଷ୍ଟାଲିନ୍ ଉତ୍ତ୍ୟକ୍ତ ଜନତାଙ୍କୁ ଶାନ୍ତି ବଜାୟ ରଖିବାକୁ ଅପିଲ୍ କରିଛନ୍ତି । ଏଥିସହ ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ତଥା ଅଭିଯୁକ୍ତଙ୍କୁ କଠୋର ଦଣ୍ଡବିଧାନ କରାଯିବା ନେଇ ପ୍ରତିଶ୍ରୁତି ଦେଇଛନ୍ତି ।
ଚିନା ସାଲେମ୍ର କନିଆମୁର ଅଞ୍ଚଳରେ ଥିବା ଏହି ଘରୋଇ ସ୍କୁଲରେ ମୃତ ଛାତ୍ରୀଜଣକ ପଢ଼ୁଥିବା ବେଳେ ହଷ୍ଟେଲ୍ରେ ରହୁଥିଲେ । କିନ୍ତୁ ଗତ ୧୩ତାରିଖରେ ଛାତ୍ରୀଜଣକୁ ନିଜ ରୁମ୍ ମଧ୍ୟରେ ମୃତ ଅବସ୍ଥାରେ ଠାବ କରାଯାଇଥିଲା । ପ୍ରଥମେ ପୁଲିସ୍ ଏହାକୁ ଆତ୍ମହତ୍ୟା ମାମଲା କହିଥିବା ବେଳେ ପୋଷ୍ଟମର୍ଟମ ରିପୋର୍ଟ କିନ୍ତୁ ଏହାକୁ ହତ୍ୟାକାଣ୍ଡ ଭାବେ ଦର୍ଶାଉଛି । ଫଳରେ ପରିବାର ଲୋକେ ନ୍ୟାୟ ଦାବିରେ ଉତ୍ତେଜନାପୂର୍ଣ୍ଣ ଆଚରଣ ପ୍ରଦର୍ଶନ କରିବାରେ ଲାଗିଛନ୍ତି । ଘଟଣାସ୍ଥଳରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଦିଆଯାଇଛି ଏବଂ ସ୍ଥିତି ନିୟନ୍ତ୍ରଣରେ ରହିଛି ବୋଲି ରାଜ୍ୟ ପୁଲିସ୍ ଡିଜି କହିଛନ୍ତି । ଆଇନ୍ କାନୁନ୍କୁ ହାତକୁ ନେଇଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଧମକ ଦେଇଛନ୍ତି ପୁଲିସ୍ ଡିଜି ।