ବେଗୁନିଆପଡ଼ାରେ ୨୨ ପଞ୍ଚାୟତ ଜଳବନ୍ଦୀ
କୋଦଳା (ଆପ୍ର):ଲଘୁଚାପ ଜନିତ ଲଗାଣ ବର୍ଷାରେ ବେଗୁନିଆପଡ଼ା ବ୍ଲକର ପାଖାପାଖି ୬ହଜାର ହେକ୍ଟରରୁ ଅଧିକ ଧାନ ଚାଷ ପ୍ରଭାବିତ ହୋଇଛି । ପ୍ରାୟ ସମସ୍ତ ଖାଲୁଆ ଜମିରେ ପାଣି ଭର୍ତ୍ତି ହେବା ସହ ଧାନ ତଳି ଓ ରୁଆ ଧାନ ବୁଡ଼ି ରହିଛି । ସମସ୍ତ ପଞ୍ଚାୟତରେ ଚାଷ ଜମି ଜଳମଗ୍ନ ହୋଇଛି । ଖରଖରୀ ନଦୀ ପାଶ୍ୱର୍ରେ ଥିବା ଧାନ ଜମିରେ ପାଣି ସୁଅ କାଟୁଛି । ଧାନ ତଳି ନଷ୍ଟ ହୋଇଥିବାରୁ ଚାଷୀଙ୍କ ଚିନ୍ତା ବଢ଼ିଛି ।
ଶନିବାର ରାତିରେ ବର୍ଷା ପରିସ୍ଥିତିକୁ ଆହୁରି ଜଟିଳ କରିଛି । ବ୍ଲକର ତାଳସରକୁ ସଂଯୋଗ କରୁଥିବା ସବୁ ରାସ୍ତା ସମେତ ଅଙ୍ଗାରଗାଁ, କୁମ୍ଭାରଗାଁ, ସାଙ୍କୁଡ଼ା, ଷଣ୍ଢମୂଳ, ବଡ଼ଖଇଣଖୋମା, ସୁମଣ୍ଡଳ, ବୁରୁଝରୀ, ଏସ୍. ଛଚିନା, ଚନ୍ଦନପୁର, ଦିଗାପଡ଼ା, କେ.ବରିଡ଼ା, ବେଗୁନିଆପଡ଼ା, ଖଣ୍ଡିଆନଈ, ମର୍ଦ୍ଦକୋଟ, ମର୍ଦ୍ଦମେଖ, ଫାସୀ, କାଳିମେଘୀ, ସାନଉସ୍ତାପଡ଼ା, ବେରୁଆଁବାଡ଼ି, ଚିଙ୍ଗୁଡ଼ିଖୋଲ, ମଠସରସିଂ, ଘୋଡ଼ାପଡ଼ା ପଞ୍ଚାୟତ ସମେତ କୋଦଳା ଏନ୍ଏସିର ଅଞ୍ଚଳରେ ଚାଷ ଜମି ଜଳମଗ୍ନ ହୋଇଛି । ରାସ୍ତା ଗୁଡ଼ିକରେ ବର୍ଷା ଜଳ ପ୍ରବାହିତ ହେବାରୁ କନିଆରୀ ବାଡ଼ି ରାସ୍ତା, ଉଜ୍ୱଳପଲ୍ଲୀଠାରୁ ମୁଣ୍ଡୁଳା ଓ ଚନ୍ଦନପୁର ରାସ୍ତା, ତାଳସରଠାରୁ ଦ୍ୱାରାଶୁଣି ରାସ୍ତା ଓଡ଼ନଈ ଚିଙ୍ଗୁଡ଼ିଖୋଲ ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚତର ପାଣି ଚାଲିବା ସହ ଯାତାୟାତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି ।