ବାଙ୍ଗରିପୋଷି-ଭୁବନେଶ୍ୱର ସୁପରଫାଷ୍ଟ୍ ଅଟକ
ବୁଢ଼ାମରା ଷ୍ଟେସନ୍ରେ ଟ୍ରେନ୍ ରହଣି ଦାବି
ବାରିପଦା (ଆପ୍ର): ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ସ୍ଥିତ ବୁଢ଼ାମରା ଷ୍ଟେସନ୍ରେ ଏକ୍ସପ୍ରେସ୍ ଟ୍ରେନ୍ ରହଣି ଦାବିରେ ରେଳରୋକ ହୋଇଛି । ବାଙ୍ଗିରିପୋଷି-ଭୁବନେଶ୍ୱର ଟ୍ରେନ ବୁଢ଼ାମରା ରେଳ ଷ୍ଟେସନରେ ରହଣି ଦାବିରେ ଏହି ରେଳରୋକ ହୋଇଥିବା ଜଣାପଡ଼ିଛି । ରେଳ ବିକାଶ ମଞ୍ଚ ତରଫରୁ ଶତାଧିକ ପୁରୁଷ ଓ ମହିଳା ରବିବାର ରେଳରୋକ କରିଛନ୍ତି । ଫଳରେ ବୁଢ଼ାମରା ଷ୍ଟେସନରେ ଭୋର ୪.୩୦ରୁ ବାଙ୍ଗିରିପୋଷି-ଭୁବନେଶ୍ୱର ସୁପରଫାଷ୍ଟ ଏକ୍ସପ୍ରେସ ଟ୍ରେନ ଅଟକି ରହିଛି । ଅଞ୍ଚଳବାସୀ ଟ୍ରେନ ରହଣି ପାଇଁ ଦୀର୍ଘଦିନ ଧରି ଦାବି କରି ଆସୁଥିଲେ ମଧ୍ୟ ପ୍ରଶାସନ ଏ ଦିଗରେ କର୍ଣ୍ଣପାତ କରି ନ ଥିଲା । ଫଳରେ ସ୍ଥାନୀୟ ଜନ ସାଧାରଣ ରେଳରୋକ କରିବାକୁ ବାଧ୍ୟ ହୋଇଥିଲେ ।
ବୁଢ଼ାମରା ଷ୍ଟେସନ ରାଜା ରାଜୁଡ଼ା ଅମଳରୁ ଥିବାବେଳେ, ଏହି ଷ୍ଟେସନ ଉପରେ ଝାଡ଼ଖଣ୍ଡ, ବେଙ୍ଗଲ ଏବଂ ଓଡ଼ିଶାର ବହୁ ଯାତ୍ରୀ ନିର୍ଭର କରିଥାନ୍ତି । ଅଳ୍ପ ଦିନ ମଧ୍ୟରେ ସ୍ଥାୟୀ ରହଣି ସହିତ ଟିକେଟ୍ କାଉଣ୍ଟର ହେବାର ପ୍ରତିଶ୍ରୁତି ମଧ୍ୟ ଦେଇଥିଲା ରେଳ ବିଭାଗ । ବର୍ତ୍ତମାନ ବୁଦାମୋରା ନିକଟରେ ଟ୍ରେନ୍ ନ ରହିବା ଓ ଟିକେଟ୍ କାଉଣ୍ଟର ନ ଥିବା ଯୋଗୁଁ ବାରିପଦାରେ ଟିକେଟ୍ କାଟୁଥିଲେ । ଫଳରେ ଲୋକଙ୍କୁ କୌଣସି ସମସ୍ୟା ହେଉ ନ ଥିଲା । କିନ୍ତୁ ଜାତୀୟ ରାଜପଥ ୧୮ ଦିଗ ପରିବର୍ତ୍ତନ ପରେ ବୁଢ଼ାମରା ରେଳକ୍ରସିଂ ସ୍ଥାନରେ ଓଭରବ୍ରିଜ୍ ନିର୍ମାଣ ହୋଇ ଗାଡ଼ି ଚଳାଚଳ ହେଲାପରେ ରେଳ ବିଭାଗ ଫାଟକକୁ ସମ୍ପୂର୍ଣ୍ଣ ବନ୍ଦ କରି ଦେଲା । ଫାଟକ ବନ୍ଦ ପରେ ଫେବ୍ରୁଆରୀ ଦୁଇ ତାରିଖରୁ ଟ୍ରେନ୍ ବୁଢ଼ÿାମରା ଷ୍ଟେସନରେ ରହୁ ନାହିଁ । ଯାହାଫଳରେ ଭୁବନେଶ୍ୱରରୁ ଆସୁଥିବା ଯାତ୍ରୀ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସମସ୍ତ ସମସ୍ୟା ଜିଲ୍ଲାପାଳ ବିନୀତ ଭରଦ୍ୱାଜଙ୍କୁ ବୁଢ଼ÿାମରା ରେଳ ବିକାଶ ମଞ୍ଚ ତରଫରୁ ଲିଖିତ ଭାବେ ଅବଗତ କରିଥିଲେ ସୁଦ୍ଧା ଜନସାଧାରଣଙ୍କ ସମସ୍ୟାକୁ ଅଣଦେଖା କରିବାକୁ ନେଇ ଜିଲ୍ଲା ପ୍ରଶାସନର କର୍ତ୍ତବ୍ୟ ଉପରେ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।