ତଳିଆ ବସ୍ତିବାସିନ୍ଦାଙ୍କ ଦୁଃଖ ବଢ଼ାଇଲା ବର୍ଷା

ପୁରୀ (ବୁ୍ୟରୋ): ଚଳିତବର୍ଷ ରାଜ୍ୟରେ ମୌସୁମୀ ଅତ୍ୟନ୍ତ ଦୁର୍ବଳ ଥିବାରୁ ଲଘୁଚାପ ବର୍ଷା ଉପରେ ଚାହିଁ ବସିଥିଲେ ଚାଷୀକୁଳ । ବର୍ଷା ହେବା ପରେ ଚାଷୀମାନଙ୍କ ମହଲରେ ଖୁସି ଦେଖାଦେଇଛି । ଏହି ଲଘୁଚାପ ବର୍ଷା ଅଭିଶାପ ପାଲଟିଛି ସହରାଞ୍ଚଳରେ ବସବାସ କରୁଥିବା ବସ୍ତିବାସିନ୍ଦାଙ୍କ ପାଇଁ । ପ୍ରଶାସନର ଅବହେଳା ପାଇଁ ଦୁର୍ଦ୍ଦଶା ଭୋଗୁଛନ୍ତି । ରାଜ୍ୟ ସରକାର ବସ୍ତିବାସିନ୍ଦାଙ୍କ ଅସୁବିଧାକୁ ଅନୁଭବ କରି ସେମାନଙ୍କୁ ଥଇଥାନ କରିବା ପାଇଁ ମାଗଣାରେ ଜମି ସହିତ ପଟ୍ଟା ମଧ୍ୟ ଯୋଗାଇଥିଲେ । ହେଲେ ସେମାନଙ୍କୁ ଆଜିପର୍ଯ୍ୟନ୍ତ ଜମି ଯୋଗାଇ ଦିଆଗଲା ନାହିଁ । ଫଳରେ ସ୍ଥାନୀୟ ପ୍ରଶାସନର ଅବହେଳା ପାଇଁ ସରକାର ବଦ୍ନାମ ହେବା ସହିତ କଷ୍ଟ ଭୋଗୁଛନ୍ତି ବସ୍ତିବାସିନ୍ଦା । ଏହାକୁ ନେଇ ବସ୍ତିବାସିନ୍ଦାଙ୍କ ମନରେ ଘୋର ଅସନ୍ତୋଷ ଦେଖାଦେଇଛି ।
ଅନ୍ୟପକ୍ଷରେ ସହରରେ ଦୀର୍ଘବର୍ଷ ହେଲା ଡ୍ରେନେଜ୍ ଓ ସ୍ୱରେଜ୍ ବ୍ୟବସ୍ଥା କାର୍ଯ୍ୟ ଚାଲୁଥିଲା ବେଳେ ତାହା ଆଜିପର୍ଯ୍ୟନ୍ତ ଶେଷ ହୋଇନାହିଁ । ଯାହାଦ୍ୱାରା ବର୍ଷା ଲାଗି ରହିବା ଫଳରେ ସହରରେ ହୋଇଥିବା ସମସ୍ତ ସ୍ୱରେଜ୍ ଚ୍ୟାମ୍ବର ଫୁଲ ହୋଇ ପାଣି ରାସ୍ତାରେ ଭାସୁଛି । ସେହିପରି ତଳିଆ ବସ୍ତିବାସିନ୍ଦାଙ୍କ ଦୁଃଖ ବଢ଼େଇ ଦେଇଛି ଲଘୁଚାପ ବର୍ଷା । ପାଣିପାଗ ସୂଚନାନୁଯାୟୀ ଶୁକ୍ରବାର ଓ ଶନିବାର ପୁରୀରେ ଅଜାଡ଼ି ଥିଲା ବର୍ଷା । ଦିନତମାମ ବର୍ଷା ଲାଗି ରହିବା ଫଳରେ ସହରର ବଡ଼ଦାଣ୍ଡ ସମେତ ସହର ଗଳିକନ୍ଦିରେ ନଳା ପାଣିର ସୁଅ ସୁଟୁଛି । ବଡ଼ଦାଣ୍ଡ ସମେତ ସହରରେ ନଳାପାଣି ରାସ୍ତାରେ ଭାସିବା ଦ୍ୱାରା ଦୁର୍ଗନ୍ଧରେ ଫାଟିପଡୁଛି । ପର୍ଯ୍ୟଟକଙ୍କ ଠାରୁ ଆରମ୍ଭ କରି ସ୍ଥାନୀୟ ବାସିନ୍ଦାମାନେ ଦୁର୍ଗନ୍ଧରେ ଅସ୍ତବ୍ୟସ୍ତ ହୋଇଛନ୍ତି ।
ବିଶେଷ ଭାବରେ ଲଘୁଚାପ ବର୍ଷାରେ ସହରର ସିଦ୍ଧମହାବୀର, ତାଳବଣିଆ, ଭାରତୀପୁର, ବାଲିଘାଟ, ସୁଜାତାନଗର, ଧୋବାଖାଲ, ବଳିଆପଣ୍ଡା ବସ୍ତି, ଆଇଆଇଟି ଛକ ସମେତ ଅନ୍ୟାନ୍ୟ ବସ୍ତି ଅଞ୍ଚଳରେ ଲହଡ଼ି ମାରୁଛି ପାଣି । ଏପରିକି ସେମାନଙ୍କ ଘର ଭିତରେ ପାଣି ପଶୁଛି । ଫଳରେ ଲୋକମାନେ ନିଜ ଖଟ ଉପରେ ନିଜ ପରିବାର ସହିତ ରହିଛନ୍ତି । ବିଗତ ଦିନରେ ବର୍ଷାରେ ବସ୍ତି ଅଞ୍ଚଳରେ ପାଣି କମି ନ ଥିଲା ବେଳେ ଆଜି ଲଘୁଚାପ ବର୍ଷା ସେମାନଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ସୁଜତାନଗରର ବାସିନ୍ଦାମାନେ ଦୀର୍ଘଦିନ ହେଲା ପାଣିଘେରରେ ରହିବା ପରେ ଆଜି ବର୍ଷାରେ ପୁଣି ବେହାଲ ହୋଇଯାଇଛି ବସ୍ତି । ବସ୍ତିବାସିନ୍ଦାଙ୍କ ମନରେ ଅସନ୍ତୋଷ କୁହୁଳିଥିବା ବେଳେ ଏହା ଆଗକୁ ବଡ଼ଧରଣର ବିବାଦ ହେବ ବୋଲି ଶୁଣିବାକୁ ମିଳୁଛି । ସୁଜାତାନଗର ବାସିନ୍ଦାଙ୍କ ସମସ୍ୟା ଆଜିର ନୁହେଁ ଏହା ଦୀର୍ଘ ୨ବର୍ଷ ତଳେ ହେଉଥିଲେ ସୁଦ୍ଧା ତାହାକୁ ସମାଧାନ କରିବା ପାଇଁ ପ୍ରଶାସନ ପକ୍ଷରୁ କୌଣସି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରୁନାହାନ୍ତି । ଫଳରେ ବର୍ଷା ହେଲେ ଦୁର୍ଦ୍ଦଶା ଭୋଗୁଛନ୍ତି ସହରର ବସ୍ତିବାସିନ୍ଦା ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *