ପଞ୍ଚାୟତ ଭବନ ଓ କଲ୍ୟାଣମଣ୍ଡପର ଭିତ୍ତିପ୍ରସ୍ତର
ବ୍ରହ୍ମଗିରି (ଆପ୍ର): ଆଜି ପୂର୍ବତନ ମନ୍ତ୍ରୀ ସଞ୍ଜୟ କୁମାର ଦାସବର୍ମାଙ୍କ କରକମଳରେ ବ୍ରହ୍ମଗିରି ବ୍ଲକ୍ ନିଆଜପୁର ପଞ୍ଚାୟତ ନିଆଜପୁର ଗ୍ରାମ ଠାରେ ନୂତନ ପଞ୍ଚାୟତ ଭବନ ଏବଂ ମା’ ବସନ୍ତାଇଙ୍କ ପୀଠରେ କଲ୍ୟାଣ ମଣ୍ଡପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି । ଏହି ଅବସରରେ ମନ୍ଦିର ପ୍ରାଙ୍ଗଣରେ ଏକ ବୈଠକ ବିଜେଡି ବ୍ଲକ୍ ସଭାପତି ବିଦ୍ୟାଧର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ସାଂସଦଙ୍କ ପ୍ରତିନିଧି ଯୁଧିଷ୍ଠିର ନାୟକ, ମୁଖ୍ୟ ଅତିଥି ଭାବେ ପୁରୀ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସ୍ୱପ୍ନାରାଣୀ ସ୍ୱାଇଁ, ସମ୍ମାନିତ ଅତିଥି ଭାବେ ବ୍ରହ୍ମଗିରି ବ୍ଲକ୍ ଅଧ୍ୟକ୍ଷା ରତ୍ନମାଳା ବେହେରା, ଉପାଧ୍ୟକ୍ଷା ମାଳିନୀ ଦଲାଇ, ଜିଲ୍ଲା ପରିଷଦ ସଦସ୍ୟ କୈଳାସ ଚନ୍ଦ୍ର ପରିଡ଼ା, ସରପଞ୍ଚ ସୁରେନ୍ଦ୍ର କାଣ୍ଡି, ସମିତି ସଭ୍ୟ ଶୁକଦେବ ପଟ୍ଟନାୟକ ଓ ନିଆଜପୁର ପଞ୍ଚାୟତର ମହିଳା ଏବଂ ମୁରବି ପ୍ରମୁଖ ଉପସ୍ଥିତ ଥିଲେ । ସେମାନେ କହିଥିଲେ ମା’ ବସନ୍ତେଇଙ୍କ ନିକଟକୁ ବ୍ଲକ୍ର ବିଭିନ୍ନ ଗ୍ରାମରୁ ଲୋକମାନେ ବିବାହ ଓ ଜନ୍ମଦିନ ଆଦି କାର୍ଯ୍ୟରେ ଆସୁଛନ୍ତି । କଲ୍ୟାଣ ମଣ୍ଡପ ହେଲେ ସ୍ଥାନୀୟ ଅଞ୍ଚଳର ଲୋକମାନେ ମା’ଙ୍କ ନିକଟରେ ବିଭିନ୍ନ ମାଙ୍ଗଳିକ କାର୍ଯ୍ୟକ୍ରମ କରିପାରିବେ ବୋଲି କହିଥିଲେ । ସ୍ଥାନୀୟ ପଞ୍ଚାୟତର ଶତାଧିକ ଲୋକ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।