ଶ୍ରୀଲଙ୍କା ସଙ୍କଟ ସମ୍ପର୍କରେ ହେବ ଆଲୋଚନା
୧୯ରେ ଆଉ ଏକ ସର୍ବଦଳୀୟ ବୈଠକ
ନୂଆଦିଲ୍ଲୀ (ଏଜେନ୍ସି): ପଡୋଶୀ ଶ୍ରୀଲଙ୍କାରେ ସୃଷ୍ଟିହୋଇଥିବା ଅର୍ଥନୈତିକ ତଥା ରାଜନୈତିକ ଅସ୍ଥିରତା ଉପରେ ଆଲୋଚନା କରିବେ ଭାରତ ସରକାର । ଏସମ୍ପର୍କରେ ବିରୋଧୀ ଦଳଙ୍କ ମତାମତ ମଧ୍ୟ ଲୋଡାଯାଇଛି । ପ୍ରାପ୍ତ ସୂଚନାନୁସାରେ ଆସନ୍ତା ୧୯ ଅର୍ଥାତ୍ ମଙ୍ଗଳବାର ଦିନ ଶ୍ରୀଲଙ୍କା ପରିସ୍ଥିତି ଉପରେ ଆଲୋଚନା କରିବା ପାଇଁ କେନ୍ଦ୍ର ପକ୍ଷରୁ ଏକ ସର୍ବଦଳୀୟ ବୈଠକ ଡକାଯାଇଛି । ଏହାର ଦିନକ ପୂର୍ବରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେଉଥିବା ବେଳେ ଅଧିବେଶନର ଦ୍ୱିତୀୟ ଦିନରେ ଏହି ସର୍ବଦଳୀୟ ବୈଠକ ଅନୁଷ୍ଠିତ ହେବ । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁୂଷ୍ଠିତ ହେବ ବୋଲି ସୂଚନା ମିିଳିଛି ।
ପ୍ରକାଶ, ସୋମବାର ଠାରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ଏହାର ଦିନକ ପୂର୍ବରୁ ଅର୍ଥାତ୍ ରବିବାର ଦିନ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ସର୍ବଦଳୀୟ ବୈଠକ ଆହୂତ ହୋଇଯାଇଛି । ଏଥିରେ ବିଭିନ୍ନ ରାଜନୈତିକ ଦଳର ନେତାମାନେ ସାମିଲ ହୋଇଥିଲେ । ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଥିରେ ସାମିଲ ହୋଇନଥିବାରୁ ଏହାକୁ ନେଇ ବିରୋଧୀ କଂଗ୍ରେସ ପ୍ରଶ୍ନ ଉଠାଇଛି । ଅନ୍ୟପକ୍ଷେ ରବିବାର ଦିନ ବସିଥିବା ଏହି ସର୍ବଦଳୀୟ ବୈଠକ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲାଦ ଯୋଶୀ କହିଛନ୍ତି, ଶ୍ରୀଲଙ୍କାରେ ବର୍ତ୍ତମାନର ସଙ୍କଟ ସମ୍ପର୍କରେ ଆଲୋଚନା ପାଇଁ ଆସନ୍ତା ୧୯ ତାରିଖରେ ଆଉ ଏକ ସର୍ବଦଳୀୟ ବୈଠକ ଡକାଯାଇଛି । ତାମିଲନାଡ଼ୁର ଡିଏମ୍କେ ଏବଂ ଏଆଇଏଡିଏମ୍କେ ଆଦି ରାଜନୈତିକ ଦଳଙ୍କ ପକ୍ଷରୁ ଶ୍ରୀଲଙ୍କାର ଏପ୍ରକାର ସ୍ଥିତିରେ ଭାରତର ହସ୍ତକ୍ଷେପ ନେଇ ଦାବି କରାଯାଇଛି । ବିଶେଷକରି ଶ୍ରୀଲଙ୍କାରେ ଥିବା ତାମିଲ ଭାଷାଭାଷୀ ନାଗରିକଙ୍କ ସ୍ଥିତି ଉପରେ କେନ୍ଦ୍ର ସରକାର ଚିନ୍ତା କରିବା ଉଚିତ୍ ବୋଲି ଏହି ଦୁଇ ଦଳର ସାଂସଦମାନେ ଦାବି କରିଛନ୍ତି । ତେବେ ଏସବୁ ପ୍ରସଙ୍ଗରେ ମଧ୍ୟ ୧୯ ତାରିଖରେ ହେବାକୁ ଥିବା ସର୍ବଦଳୀୟ ବୈଠକରେ ଆଲୋଚନା ହେବ । ତେବେ ଶ୍ରୀଲଙ୍କାକୁ ବର୍ତ୍ତମାନ ସୁଦ୍ଧା ଭାରତ ପକ୍ଷରୁ ସବୁକ୍ଷେତ୍ରରେ ସହାୟତା ଯୋଗାଣ ଅବ୍ୟାହତ ରହିଛି ଏବଂ ଏହାକୁ ଜାରି ରଖିବା ଉପରେ କେନ୍ଦ୍ର ସରକାର ଆଗାମୀ ସର୍ବଦଳୀୟ ବୈଠକରେ ଆଲୋଚନା କରିବେ ବୋଲି ଶ୍ରୀ ଯୋଶୀ କହିଛନ୍ତି ।