ଗଜପତିରେ ଭୂସ୍ଖଳନ
ମୋହନା (ଆପ୍ର): ଗଜପତି ଜିଲ୍ଲାରେ ରାତି ତମାମ ଲଗାଣ ବର୍ଷା ହୋଇ ବ୍ୟାପକ କ୍ଷୟକ୍ଷତି ଘଟାଇଛି । ଗୁମ୍ମା ବ୍ଲକ୍ ଓ ନୂଆଗଡ଼ ବ୍ଲକ୍ରେ ଭସ୍ଖଳନ ଘଟି ବହୁ କ୍ଷୟକ୍ଷତି ହୋଇଥବବା ଖବର ମିଳିଛି । ଗୁମ୍ମାର କେତେକ ପାହାଡିଆ ଅଞ୍ଚଳରେ ଭୁସ୍ଖଳନ ହୋଇଛି ଘରଦ୍ୱାର ନଷ୍ଟ ହୋଇଥିବା ଖବର ମିଳିଛି । ପ୍ରବଳ ବର୍ଷା ହେବାରୁ ବିଳମ୍ବିତ ରାତିରେ କଳକୋଟ ପଞ୍ଚାୟତର ଜାଙ୍ଗିରତୁଲ ଗ୍ରାମ ନିକଟସ୍ଥ ପାହାଡରୁ ଝରଣା ପାଣି ଖୁବ ଜୋରରେ ମାଡି ଆସିଥିଲା । ଗାଁରେ ପାଣି ପଶି ରାସ୍ତା ଧୋଇଯିବା ସହ ମାଟି ଅତଡା ଖସିଛି । ପାଣି ସହିତ ମାଟି ଧୋଇ ଆସି ଏକ ଘର ଏବଂ ବ୍ୟାପକ ଧାନ ଫସଲ ନଷ୍ଟ କରିଛି ।
ସନ୍ଧ୍ୟା ସୁଦ୍ଧା ଜାଙ୍ଗିରତୁଲକୁ ଯୋଗାଯୋଗ ସମ୍ବ ହୋଇପାରିନାହିଁ । ସରକାରୀ ଭାବେ କ୍ଷୟକ୍ଷତିର ବିବରଣୀ ମିଳି ନ ଥିଲେ ବି ବହୁ ଜମି ପୋତି ହୋଇଯାଇ ଥିବା ବେସରକାରୀ ଭାବେ କୁହାଯାଇଛି ।
ସେହିପରି ନୂଆଗଡ ବ୍ଲକ୍ର ରୁବୁଡିସିଂ ଗ୍ରାମ ରାସ୍ତାରେ ମାଟି ଅତଡା ଆସି ରାସ୍ତା ଅବରୋଧ ହେବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି । ଆଲିଶିଙ୍ଗି ଗ୍ରାମ ମୁଖ୍ୟରାସ୍ତା ଉପରେ ପାହାଡ ଉପରୁ ବଡ ପଥର ପଡି ରାସ୍ତା ଅବରୋଧ ହୋଇଛି । ମଣ୍ଡିଡି ଗ୍ରାମକୁ ସଂଯୋଗ କରୁଥିବା ଗ୍ରାମ୍ୟ ଉନ୍ନୟନ ରାସ୍ତାଟି ମାଟି ଧୋଇ ହୋଇ ରାସ୍ତାରେ ବିରାଟ ଖାଲ ହୋଇଥିବାରୁ ଗ୍ରାମକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ନୂଆପଳି ଗ୍ରାମରେ କିଛିଦିନ ତଳେ ମଧ୍ୟ ପାହାଡରୁ ମାଟି ଅତଡା ଖସି ବାଇକ୍ ଓ କିଛି ଘର ନଷ୍ଟ ହୋଇଥିଲା । ସେଠି ମଧ୍ୟ ପୁଣି ପାଣି ଆସି ରାସ୍ତା ଅବରୋଧ କରିଛି । ଅଧିକ କ୍ଷୟକ୍ଷତି ଘଟିବା ଆଶଙ୍କା ଥିବାରୁ ଗ୍୍ରାମବାସୀଙ୍କୁ ପଞ୍ଚାୟତ ଗୃହରେ ରଖାଯାଇଛି । ନୂଆଗଡ ବ୍ଲକ୍ର କ୍ଷତିଗସ୍ତ ଅଞ୍ଚଳରେ ଅତିରିକ୍ତ ତହସିଲଦାର ଆଶିଷ କୁମାର ପ୍ରଧାନ ପହଞ୍ଚି ସରଜମିନ ଅନୁଧ୍ୟାନ କରିଛନ୍ତି । ଜିଲ୍ଲା ପ୍ରଶାସନକୁ କ୍ଷୟକ୍ଷତି ସଂପର୍କରେ ଅବଗତ କରାଯାଇଛି ।