ମହଙ୍ଗା ମାଡ଼ ପରେ ଜିଏସ୍ଟି ଚଡ଼କ

ନୂଆଦିଲ୍ଲୀ (ଏଜେନ୍ସି): ଦେଶବାସୀଙ୍କ ଉପରେ ଜିଏସ୍ଟି ରୂପୀ ଆଉ ଏକ ବଡ଼ ଚଡ଼କ ପଡ଼ିବାକୁ ଯାଉଛି । ରବିବାର ଜିଏସ୍ଟି କାଉନସିଲଙ୍କ ନିଷ୍ପତ୍ତି ସାମ୍ନାକୁ ଆସିବା ପରେ ଦେଶବାସୀଙ୍କ ଉପରେ ଜିଏସ୍ଟି ଆଳରେ କୋରଡା ମାଡ଼ ପଡ଼ିବା ଆଶଙ୍କା ସୃଷ୍ଟି ହୋଇଛି । ପ୍ରାପ୍ତ ସୂଚନାନୁସାରେ ଆସନ୍ତାକାଲି ଠାରୁ ଅର୍ଥାତ୍ ସୋମବାର ଠାରୁ ଦେଶବ୍ୟାପୀ ନୂଆ ଜିଏସ୍ଟି ସ୍ଲାବ୍ ଲାଗୁ ହେବ । ରବିବାର ବସିଥିବା ଜିଏସ୍ଟି ପରିଷଦ ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି । ବୈଠକରେ ଅନେକ ନିତ୍ୟ ବ୍ୟବହାର୍ଯ୍ୟ ଓ ଜରୁରୀ ସେବା ସାମଗ୍ରୀକୁ ଜିଏସ୍ଟି ଅନ୍ତର୍ଭୂକ୍ତ କରାଯାଇଥିବାରୁ ସେସବୁ ସାମଗ୍ରୀ ମହଙ୍ଗା ହେବା ନିଶ୍ଚିତ ହୋଇଯାଇଛି । ସବୁଠୁ ବଡ଼ ପରିତାପର ବିଷୟ ଏଥିରୁ ଖାଦ୍ୟପଦାର୍ଥ ବି ବାଦ୍ ପଡିନି । ଖାଦ୍ୟ ଓ ସାମଗ୍ରୀ ମହଙ୍ଗା ହେବାକୁ ଯାଉଥିବାରୁ ଏହା ଖାଉଟିଙ୍କୁ ବିଶେଷ ଭାବେ ପ୍ରଭାବିତ କରିବ ବୋଲି ବିଶେଷଜ୍ଞମାନେ ମତପୋଷଣ କରିଛନ୍ତି ।
ପ୍ରାପ୍ତ ସୂଚନାନୁସାରେ ଖାଦ୍ୟ ସାମଗ୍ରୀ ମଧ୍ୟରେ କ୍ଷୀର ଠାରୁ ଆରମ୍ଭ କରି ଅଟା ପର୍ଯ୍ୟନ୍ତ, ସେବା କ୍ଷେତ୍ରରେ ହସ୍ପିଟାଲ ଠାରୁ ଆରମ୍ଭ କରି ହୋଟେଲ ରହଣୀ ପର୍ଯ୍ୟନ୍ତ ସବୁୂକିଛି ମହଙ୍ଗା ହେବାକୁ ଯାଉଛି । ଖାଦ୍ୟ ସାମଗ୍ରୀ ମଧ୍ୟରେ ପୂର୍ବରୁ ପ୍ୟାକ୍ ହୋଇଥିବା ତଥା ଲେବୁଲ ଲଗା ସମସ୍ତ ଖାଦ୍ୟ ସାମଗ୍ରୀ ଉପରେ ୫% ଜିଏସ୍ଟି ଲାଗୁ ହେବ । ତେବେ ଖୋଲାରେ ବିକ୍ରି ହେଉଥିବା ସାମଗ୍ରୀ ପୂର୍ବ ପରି ଜିଏସ୍ଟି ପରିସରରୁ ବାଦ୍ ଦିଆଯାଇଛି । ପୂର୍ବରୁ ଅନେକ ସାମଗ୍ରୀଗୁଡ଼ିକୁ ଜିଏସ୍ଟିରୁ ବାଦ୍ ଦିଆଯାଇଥିବା ବେଳେ ପ୍ରଥମ ଥର ପାଇଁ ଏସବୁ ସାମଗ୍ରୀକୁ ଜିଏସ୍ଟି ପରିସରଭୁକ୍ତ କରାଯାଇଛି । ସେହିପରି ପୂର୍ବରୁ ଜିଏସ୍ଟି ପରିସରଭୁକ୍ତ ସାମଗ୍ରୀ ଉପରେ ଜିଏସ୍ଟି ସ୍ଲାବ୍କୁ ମଧ୍ୟ ଜିଏସ୍ଟି କାଉନ୍ସିଲ ବୃଦ୍ଧି କରିଛି । ଉଦାହରଣ ସ୍ୱରୂପ ୫ ହଜାରରୁ ଅଧିକ ଭଡାର ହସ୍ପିଟାଲ କ୍ୟାବିନ୍ ଲାଗି ମଧ୍ୟ ଜିଏସ୍ଟି ଆଦାୟ କରାଯିବ । ଦୈନିକ ୧ଠଠଠ ଟଙ୍କାରୁ କମ୍ ମୂଲ୍ୟର ହୋଟେଲ ରୁମ୍ ପାଇଁ ମଧ୍ୟ ୧୨ ପ୍ରତିଶତ ଜିଏସ୍ଟି ପୈଠ କରିବାକୁ ହେବ । ଏପର୍ଯ୍ୟନ୍ତ ଏହି ସବୁ ସେବା ଓ ସାମଗ୍ରୀ ଉପରେ କୌଣସି ଟିକସ ଦେବାକୁ ପଡୁନଥିଲା । ସେହିପରି ନୂଆ ଜିଏସ୍ଟି ନିୟମ ଅନୁସାରେ ଟ୍ରେଟ୍ରା ପ୍ୟାକ୍, ବ୍ୟାଙ୍କ ପକ୍ଷରୁ ଜାରି ଚେକ୍ ଉପରେ ୧୮% ଓ ଶିକ୍ଷା ଉପକରଣ ଆଟ୍ଲାସ ସମେତ ନକ୍ସା ଓ ଚାର୍ଟ ଉପରେ ୧୨% ଜିଏସଟି ଲାଗିବ । ଏହା ଛଡା ପ୍ରିଣ୍ଟିଂ, ଡ୍ରଇଂ କାଳି, ଧାରୁଆ ଛୁରୀ, କାଗଜ କଟା ଛୁରୀ, ପେନସିଲ କଟର, ଏଲଇଡି ଲ୍ୟାମ୍ପ, ଡ୍ରଇଂ ଓ ମାର୍କିଂ ହେଉଥିବା ଉତ୍ପାଦ ଉପରେ କର ଦର ବଢାଇ ୧୮% କରିଦିଆଯାଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *