ଇଂଲଣ୍ଡରେ ଭାରତର ଦ୍ୱୈତ ଶୃଙ୍ଖଳା ବିଜୟ

ମାଞ୍ଚେଷ୍ଟର, ୧୭ା୭ (ଏଜେନ୍ସି): ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଲ୍ରାଉଣ୍ଡ୍ ପ୍ରଦର୍ଶନ (୪ ୱିକେଟ୍ ଓ ୭୧ ରନ୍) ଓ ରିଷଭ ପନ୍ତଙ୍କ ପ୍ରଥମ (ଦିନିକିଆ) ଶତକ ବଳରେ ଟିମ୍ ଇଣ୍ଡିଆ ତୃତୀୟ ତଥା ଶେଷ ଦିନିକିଆରେ ଇଂଲଣ୍ଡକୁ ୫ ୱିକେଟ୍ରେ ପରାସ୍ତ କରିଛି । ଏଥି ସହିତ ରୋହିତ ସେନା ୨-୧ରେ ତିନି ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳା ଜିତିଛି । ଏହି ଗସ୍ତରେ ଭାରତ ୨-୧ରେ ଟି-୨୦ ଶୃଙ୍ଖଳା ଉପରେ କବ୍ଜା କରିଥିଲା । ପନ୍ତ ପ୍ଲେୟାର୍ ଅଫ୍ ଦ ମ୍ୟାଚ୍ ଓ ପାଣ୍ଡ୍ୟା ପ୍ଲେୟାର୍ ଅଫ୍ ଦ ସିରିଜ୍ ବିବେଚିତ ହୋଇଛନ୍ତି ।
ଆଠ ବର୍ଷ ପରେ ଭାରତୀୟ ଟିମ୍ ଇଂଲଣ୍ଡକୁ ତା’ରି ମାଟିରେ ଦିନିକିଆ ଶୃଙ୍ଖଳାରେ ପରାଜିତ କରିଛି । ୨୦୧୪ରେ ଖେଳାଯାଇଥିବା ପାଞ୍ଚ ମ୍ୟାଚ୍ର ଏହି ଶୃଙ୍ଖଳାରେ ଭ୍ରମଣକାରୀ ଟିମ୍ ୩-୧ରେ ବିଜୟୀ ହୋଇଥିଲା ।
୨୫୯ ରନ୍ର ବିଜୟଲକ୍ଷ୍ୟ ନେଇ ଖେଳିଥିବା ଭାରତୀୟ ଟିମ୍ ୪୨.୧ ଓଭର୍ରେ ୫ ୱିକେଟ୍ ହରାଇ ୨୬୧ ରନ୍ କରି ବିଜୟୀ ହୋଇଥିଲା । ପନ୍ତ ୧୧୩ ବଲ୍ରୁ ୧୨୫ (୧୬ ଚୌକା ଓ ୨ ଛକା ସହାୟତାରେ) ଓ ରବୀନ୍ଦ୍ର ଜାଡ଼େଜା ୭ ରନ୍ କରି ଅପରାଜିତ ଥିଲେ । ବିପକ୍ଷ ବୋଲର୍ ରିସି ଟପ୍ଲେ ୩ଟି ଏବଂ ବ୍ରାଇଡନ୍ କାର୍ସ ଓ କ୍ରେଗ୍ ଓଭର୍ଟନ୍ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।
ମାତ୍ର ୩୮ ରନ୍ରେ ୩ ୱିକେଟ୍ ହରାଇ ଭ୍ରମଣକାରୀ ଟିମ୍ ସଙ୍କଟରେ ପଡ଼ିଥିଲା । ଅଧିନାୟକ ରୋହିତ ଶର୍ମା ୧୭, ଶିଖର ଧାବନ୍ ୧ ଓ ବିରାଟ କୋହଲି ୧୭ ରନ୍ କରି ଟପ୍ଲେଙ୍କ ବଲ୍ରେ ପାଭିଲିଅନ୍ ଫେରିଥିଲେ । ପୂର୍ବ ମ୍ୟାଚ୍ ଭଳି ଏଥର ବି ଏହି ତିନି ବ୍ୟାଟର୍ ନିରାଶ କରିଥିଲେ । ଏହାପରେ ପନ୍ତ ଓ ସୂର୍ଯ୍ୟକୁମାର ଯାଦବ ମିଶି ସ୍ଥିତି ସମ୍ଭାଳିବାକୁ ପ୍ରୟାସ କରିଥିଲେ । ତେବେ ଟିମ୍ର ସ୍କୋର୍ ୭୨ ହୋଇଥିବା ବେଳେ ସୂର୍ଯ୍ୟକୁମାର ୧୬ ରନ୍ କରି ଓଭର୍ଟନ୍ଙ୍କ ଶିକାର ହୋଇଥିଲେ ।
ଏହାପରେ ମ୍ୟାଚ୍ର ମୋଡ଼ ବଦଳିଥିଲା । ପନ୍ତ ଓ ପାଣ୍ଡ୍ୟା ଇନିଂସ୍ ସମ୍ଭାଳିଥିଲେ । ଧୀରେ ଧୀରେ ଉଭୟ କ୍ରିଜ୍ରେ ଆସ୍ଥାନ ଜମାଇଥିଲେ । ଇନିଂସ୍ ୧୦୦, ୧୫୦ ଓ ଏହାପରେ ୨୦୦ ଅତିକ୍ରମ କରିଥିଲା । ଭାରତୀୟ ଟିମ୍ ପରାଜୟ ଆଶଙ୍କାକୁ ପଛରେ ପକାଇ ବିଜୟ ଆଡ଼କୁ ଅଗ୍ରସର ହୋଇଥିଲା । ପାଣ୍ଡ୍ୟା (୭୧)ଙ୍କୁ ଆଉଟ୍ କରି କାର୍ସ ଏହି ଯୋଡ଼ି ଭାଙ୍ଗିଥିଲେ । ପାଣ୍ଡ୍ୟା ୫୫ ବଲ୍ରୁ ୧୦ ଚୌକା ଲଗାଇଥିଲେ । ଉଭୟଙ୍କ ମଧ୍ୟରେ ୧୩୩ (୧୧୫ ବଲ୍ରୁ) ରନ୍ର ଭାଗୀଦାରୀ ହୋଇଥିଲା ।
ଏହାପରେ କ୍ରିଜ୍ରେ ଯୋଗ ଦେଇଥିଲେ ଜାଡ଼େଜା । କିନ୍ତୁ ଅବଶିଷ୍ଟ କାମ ପୂରା କରିଥିଲେ ପନ୍ତ ବେଶ୍ ବିସ୍ଫୋରକ ଶୈଳୀରେ । ୪୭ ବଲ୍ ବାକି ଥାଇ ଟିମ୍ ଲକ୍ଷ୍ୟସ୍ଥଳରେ ପହଞ୍ଚିଥିଲା ।
ଏଥି ପୂର୍ବରୁ ଭାରତୀୟ ଅଧିନାୟକ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଆଘାତଜନିତ କାରଣରୁ ପେସର୍ ଯଶପ୍ରୀତ ବୁମ୍ରା ବାଦ୍ ପଡ଼ିଥିଲେ । ତାଙ୍କ ସ୍ଥାନରେ ମହମ୍ମଦ ସିରାଜଙ୍କୁ ସ୍ଥାନ ମିଳିଥିଲା । ଅନ୍ୟପଟେ, ଇଂଲଣ୍ଡର ଚୂଡ଼ାନ୍ତ ଏକାଦଶ ଅପରିବର୍ତ୍ତିତ ରହିଥିଲା ।
ପ୍ରଥମେ ବ୍ୟାଟିଂ କରିଥିବା ଇଂଲଣ୍ଡ ଟିମ୍ ୪୫.୫ ଓଭର୍ରେ ୨୫୯ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା । ମହମ୍ମଦ ସିରାଜ ଓପନର୍ ଜନି ବେଆରଷ୍ଟୋ ଓ ଜୋ ରୁଟ୍ଙ୍କୁ ବିନା ସ୍କୋର୍ରେ ପାଭିଲିଅନ୍ ପଠାଇ ଇଂଲଣ୍ଡକୁ ପ୍ରାରମ୍ଭିକ ଝଟ୍କା ଦେଇଥିଲେ । ଏହାପରେ ଜାସନ୍ ରୟ ଓ ବେନ୍ ଷ୍ଟୋକ୍ସ ତୃତୀୟ ୱିକେଟ୍ ପାଇଁ ୫୪ ରନ୍ର ଭାଗୀଦାରୀ କରି ସ୍ଥିତିରେ ସୁଧାର ଆଣିଥିଲେ । ରୟ (୪୧)ଙ୍କୁ ଆଉଟ୍ କରି ପାଣ୍ଡ୍ୟା ଏହି ଯୋଡ଼ି ଭାଙ୍ଗିଥିଲେ । ଷ୍ଟୋକ୍ସ (୨୭) ମଧ୍ୟ ପାଣ୍ଡ୍ୟାଙ୍କ ଶିକାର ହୋଇଥିଲା ।
୭୪ ରନ୍ରେ ୪ ୱିକେଟ୍ ପଡ଼ିବା ପରେ ଟିମ୍ ପୁଣି ସଙ୍କଟରେ ପଡ଼ିଥିଲା । ଏହାପରେ ଅଧିନାୟକ ଜୋସ୍ ବଟ୍ଲର୍ ଓ ମୋଇନ୍ ଅଲୀ ମିଶି ଇନିଂସ୍କୁ ୧୪୯ ଯାଏଁ ପହଞ୍ଚାଇଥିଲେ । ମୋଇନ୍ ୩୪ ରନ୍ କରି ଜାଡ଼େଜାଙ୍କ ବଲ୍ରେ ଆଉଟ୍ ହୋଇଥିଲେ । ପରବର୍ତ୍ତୀ ବ୍ୟାଟର୍ ଲିଆମ୍ ଲିଭିଙ୍ଗ୍ଷ୍ଟୋନ୍ ୨୭ ରନ୍ କରି ପାଣ୍ଡ୍ୟାଙ୍କ ବଲ୍ରେ ପାଭିଲିଅନ୍ ଫେରୁଥିବା ବେଳେ ବଟ୍ଲର୍ (୬୦) ବି ପାଣ୍ଡ୍ୟାଙ୍କ ଶିକାର ହୋଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଡେଭିଡ୍ ୱିଲୀ ୧୮, ଓଭର୍ଟନ୍ ୩୨ ଓ ଟପ୍ଲେ ବିନା ସ୍କୋର୍ରେ ଆଉଟ୍ ହୋଇଥିଲେ ।
ଭାରତ ପକ୍ଷରୁ ପାଣ୍ଡ୍ୟା ୨୪ ରନ୍ ଦେଇ ୪ଟି, ଯୁଜବେନ୍ଦ୍ର ଚହଲ ୩ଟି, ସିରାଜ ୨ଟି ଓ ଜାଡ଼େଜା ଗୋଟିଏ ୱିକେଟ୍ ନେଇଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *