ଚାଷ ଜମିରେ ମାଡ଼ୁଛି ଲୁଣିପାଣି

ପଟ୍ଟାମୁଣ୍ଡାଇ (ଆପ୍ର): ପଟ୍ଟାମୁଣ୍ଡାଇ ବ୍ଲକ୍ ଦିହୁଡିପୁର ପଞ୍ଚାୟତ ସୁଜନପୁରର ଦୁଇ ମୁଣ୍ଡରେ ଥିବା ପଥରପୋଲି ଓ ମରାଖାଇ ପୋଲ ନିର୍ମାଣ ବାତିଲ ପାଇଁ ଚାଷୀମାନେ ଦାବି କରିଛନ୍ତି । ଏହି ଦୁଇ ପୋଲ ନିର୍ମାଣ ପାଇଁ ଶହ ଶହ ଏକର ଚାଷଜମିରେ ଲୁଣାପାଣି ମାଡୁଥିବା ଚାଷୀମାନେ ଗୁରୁତର ଅଭିଯୋଗ କରିଛନ୍ତି । ଏଥିଯୋଗୁ ଫସଲହାନୀ ହେବା ସହିତ କୃଷି ଉପରେ ନିର୍ଭର କରୁଥିବା ଅଞ୍ଚଳର ୭୦ ଭାଗରୁ ଊଦ୍ଧ୍ୱର୍ ଲୋକ ଏବେ ଜୀବିକା ହରାଇ ଦୂର୍ଦ୍ଦିନରେ କାଳାତିପାତ କରୁଛନ୍ତି ।
ଦିହୁଡିପୁର ପଞ୍ଚାୟତର ସୁଜନପୁରର ୨ ମୁଣ୍ଡରେ ଥିବା ପଥରପୋଲି ଓ ମରାଖାଇ କଲଭର୍ଟ ସହିତ ପଞ୍ଚାୟତର ସମସ୍ତ କେନାଲ ଓ ପାଟନାଳୀ ଗୁଡିକର ସଂଯୋଗ ହୋଇଛି । ଏହି ୨ କଲଭର୍ଟ ମାଧ୍ୟମରେ ଉଦ୍ବୃତ ବର୍ଷାଜଳ ଲୁଣାନଦୀକୁ ନିଷ୍କାସିତ ହୋଇଥାଏ । ଅନ୍ୟ ସମୟରେ କେନାଲ ମଧ୍ୟରେ ବର୍ଷାଜଳକୁ ସଂରକ୍ଷିତ ରଖି ଏହାକୁ କୃଷି କାର୍ଯ୍ୟରେ ବିନିଯୋଗ କରାଯାଏ । କିନ୍ତୁ ଏହି ୨ କଲଭର୍ଟକୁ ନିଲାମଧାରୀଙ୍କୁ ନିଲାମ ଦିଆଯାଉଥିବାରୁ ଖରାଦିନେ ଚିଙ୍ଗୁଡି ଓ ମାଛ ଧରିବା ପାଇଁ ନିଲାମଧାରୀମାନେ ଲୁଣାପାଣିକୁ କଲଭର୍ଟ ଦେଇ କେନାଲ ମଧ୍ୟକୁ ଛାଡ଼ି ଦେଉଛନ୍ତି । ଫଳରେ ଖରାଦିନେ କେନାଲ ପାଣି ଲୁଣା ହୋଇ ରହୁଛି । କେନାଲରେ ଲୁଣା ପାଣି ଥିବାରୁ ରବି ଫସଲ ଚାଷରେ ବାଧା ଉପୁଜୁଛି । ସେହିପରି ନିଲାଧାରୀମାନେ ଚିଙ୍ଗୁଡି ମାଛ ଧରିବା ପାଇଁ କେନାଲ ମଧ୍ୟରେ ଲୁଣାପାଣିକୁ ଆଷାଢ ମାସ ପର୍ଯ୍ୟନ୍ତ ଛାଡି ଦେଉଥିବାରୁ ବର୍ଷା ହେଲେ ମଧ୍ୟ କେନାଲ ପାଣି ମିଠା ପାଣିରେ ପରିବର୍ତ୍ତନ ହେଉନାହିଁ । ଫଳରେ କେନାଲରୁ ପାଣି ମଡାଇ ଲୋକମାନେ ଚାଷ ପାଇଁ ତଳି ପ୍ରସ୍ତୁତ କରିବାରୁ ବଞ୍ଚିତ ହେଉଛନ୍ତି ।
ଅଞ୍ଚଳର କୃଷିର ବିକାଶ ଓ କୃଷକଙ୍କ ହିତ ପାଇଁ ସରକାର କେନାଲ ଗୁଡିକ ଖନନ କରି ଚାଷଜମିକୁ ଜଳସେଚନର ସୁବିଧା କରାଇଛନ୍ତି । କିନ୍ତୁ ମୌଳିକ ବ୍ୟବସ୍ଥାକୁ ଭୁଲି ପ୍ରଶାସନ ପକ୍ଷରୁ କେନାଲ ଗୁଡିକୁ ନିଲାମଧାରୀମାନଙ୍କ ହାତରେ ଟେକି ଦେଉଥିବାରୁ ଏବେ ତାହା ଚାଷୀଙ୍କ ପାଇଁ ବିପଦ ହୋଇଛି । ଦିହୁଡିପୁର ପଞ୍ଚାୟତର କୃଷକମାନଙ୍କ ସମସ୍ୟା ପ୍ରତି ସରକାର ଓ ପ୍ରଶାସନ ଆଖିବୁଜି ଦେଇ ମାଛ ଧରାଳୀଙ୍କୁ କଲଭର୍ଟ ଓ ତତ୍ସଂଲଗ୍ନ କେନାଲ ନିଲାମ ଦେବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ପଞ୍ଚାୟତର ଶହ ଶହ ଚାଷୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହି ଦୁଇ କେନାଲ ପୋଲ ନିଲାମକୁ ବାତିଲ କରାଯିବାକୁ ସାଧାରଣରେ ଦାବି ହେଉଛି । ଅନ୍ୟଥା ଚାଷୀମାନେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧାରଣାରେ ବସିବେ ବୋଲି କେନ୍ଦ୍ରାପଡା ଜିଲ୍ଲାପାଳ, କେନ୍ଦ୍ରାପଡା ଉପଜିଲ୍ଲାପାଳ, ପଟ୍ଟାମୁଣ୍ଡାଇ ବିଡିଓ ଓ ପଟ୍ଟାମୁଣ୍ଡାଇ ତହସିଲଦାରଙ୍କୁ ଦାବିପତ୍ର ଜରିଆରେ ଚେତାବନୀ ଦିଆଯାଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *