ମୁକୁଟଠୁ ପାଦେ ଦୂରରେ ସିନ୍ଧୁ

ସିଙ୍ଗାପୁର, ୧୬ା୭ (ଏଜେନ୍ସି): ଭାରତୀୟ ସଟ୍ଲର୍ ପିଭି ସିନ୍ଧୁ ଶନିବାର ନିଜଠାରୁ ନିମ୍ନ ମାନ୍ୟତାଧାରିଣୀ ଜାପାନ୍ର ସାଏନା କାୱାକାମୀଙ୍କୁ ହରାଇ ସିଙ୍ଗାପୁର ଓପନ୍ ମହିଳା ଏକକ ଫାଇନାଲ୍ରେ ପ୍ରବେଶ କରିଛନ୍ତି ।
ଦୁଇ ଥର ଅଲିମ୍ପିକ୍ ପଦକଧାରିଣୀ ତୃତୀୟ ସିଡ୍ ସିନ୍ଧୁ ସେମିଫାଇନାଲ୍ରେ ବିଶ୍ୱର ୩୮ତମ ଖେଳାଳି କାୱାକାମୀଙ୍କୁ ୨୧-୧୫, ୨୧-୭ରେ ପରାସ୍ତ କରିଥିଲେ । ଏହି ମ୍ୟାଚ୍ ୩୨ ମିନିଟ୍ ଧରି ଚାଲିଥିଲା । ଚଳିତ ବର୍ଷ ସୟଦ ମୋଦି ଇଣ୍ଟରନାସ୍ନାଲ୍ ଓ ସ୍ୱିସ୍ ଓପନ୍ରେ ଦୁଇଟି ସୁପର୍ ୩୦୦ ମୁକୁଟ ଜିତିଥିବା ୨୭ବର୍ଷୀୟା ସିନ୍ଧୁ ସିଜନ୍ର ପ୍ରଥମ ସୁପର୍ ୫୦୦ ମୁକୁଟ ଠାରୁ ମାତ୍ର ଗୋଟିଏ ପାଦ ଦୂରରେ ଅଛନ୍ତି ।
ସିନ୍ଧୁ ଫାଇନାଲ୍ରେ ଚୀନ୍ର ୱାଙ୍ଗ୍ ଝି’ ୟି’ଙ୍କ ଆହ୍ୱାନର ସମ୍ମୁଖୀନ ହେବେ । ଝାଙ୍ଗ୍ ଏସୀୟ ଚାମ୍ପିଅନ୍ସିପ୍ସର ସ୍ୱର୍ଣ୍ଣ ପଦକଧାରୀ । ସେ ମଧ୍ୟ ରୌପ୍ୟ ପଦକ ଜିତିଥିବା ଉବେର କପ୍ ଟିମ୍ର ଅଂଶବିଶେଷ ଥିଲେ । ୱାଙ୍ଗ୍ ଜାପାନ୍ର ଓହୋରୀ ଅୟାଙ୍କୁ ୨୧-୧୪, ୨୧-୧୪ରେ ପରାସ୍ତ କରିଥିଲେ ।
ସିନ୍ଧୁ ବିଶ୍ୱର ୧୧ତମ ଖେଳାଳି ୱାଙ୍ଗ୍ଙ୍କ ବିପକ୍ଷରେ ମାତ୍ର ଥରେ ଚଳିତ ବର୍ଷ ଅଲ୍ ଇଂଲଣ୍ଡ ଓପନ୍ରେ ଖେଳିଥିଲେ, ଯେଉଁଥିରେ ଭାରତୀୟ ଖେଳାଳି ବାଜିମାତ୍ କରିଥିଲେ । ଦୁଇ ଥର ବିଶ୍ୱ କନିଷ୍ଠ ବିଜୟିନୀ ୱାଙ୍ଗ୍ ଜୁନ୍ରେ ଇଣ୍ଡୋନେସିଆ ଓପନ୍ ସୁପର୍ ୧୦୦୦ର ଫାଇନାଲ୍ରେ ବି ସ୍ଥାନ ପାଇଥିଲେ ।
ସେମିଫାଇନାଲ୍ରେ ସିନ୍ଧୁ ୨-୦ ଜୟ-ପରାଜୟ ରେକର୍ଡ ସହ କୋର୍ଟକୁ ଓହ୍ଲାଇଥିଲେ । ଶେଷ ଥର ସେ କାୱାକାମୀଙ୍କୁ ୨୦୧୮ ଚାଇନା ଓପନ୍ରେ ଭେଟିଥିଲେ । ଏହି ଜାପାନୀ ଖେଳାଳି ଦ୍ୱିତୀୟ ରାଉଣ୍ଡରେ ଟପ୍ ସିଡ୍ ତାଇ ଜୁ’ ୟିଙ୍ଗ୍ଙ୍କ ଠାରୁ ୱାକ୍ ଓଭର୍ ପାଇଥିଲେ । ସେ ୨୦୧୯ ଓର୍ଲିନ୍ସ ମାଷ୍ଟର୍ସ ଜିତିଥିବା ବେଳେ ସେହି ବର୍ଷ ସ୍ୱିସ୍ ଓପନ୍ର ଫାଇନାଲ୍ରେ ପହଞ୍ଚିଥିଲେ । ପୂର୍ବତନ ବିଶ୍ୱ ବିଜୟିନୀ ସିନ୍ଧୁ ଉଭୟ ଗେମ୍ରେ କାୱାକାମୀଙ୍କ ବିପକ୍ଷରେ ସମ୍ପୂର୍ଣ୍ଣ ଆଧିପତ୍ୟ ବିସ୍ତାର କରିଥିଲେ, ଯିଏକି ସଟଲ୍କୁ ନିୟନ୍ତ୍ରଣ କରିପାରି ନ ଥିଲେ ଓ ବହୁ ତ୍ରୁଟି କରିଥିଲେ । ଭାରତୀୟଙ୍କ ଶକ୍ତିଶାଳୀ ସ୍ମାଶ୍ର କାୱାକାମୀଙ୍କ ପାଖରେ କୌଣସି ଜବାବ ନ ଥିଲା ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *