ଅର୍ଥବ୍ୟବସ୍ଥା ଅସ୍ଥିର
କ୍ରମାଗତ କମୁଛି ବିଦେଶୀ ମୁଦ୍ରା ଭଣ୍ଡାର
ମୁମ୍ବାଇ/ନୂଆଦିଲ୍ଲୀ, ୧୬ା୭: ଭାରତର ବିଦେଶୀ ମୁଦ୍ରା ଭଣ୍ଡାର କ୍ରମାଗତ କମିବାରେ ଲାଗିଛି । ଜୁଲାଇ ୮ରେ ସମାପ୍ତ ସପ୍ତାହରେ ୮.୦୬୨ ବିଲିୟନ୍ ଡଲାର ଶୂନ୍ୟ ହୋଇଯିବା ଫଳରେ ବିଦେଶୀ ମୁଦ୍ରା ଭଣ୍ଡାରରେ ଗଚ୍ଛିତ ଧନରାଶି ୫୮୦.୨୫୨ ବିଲିୟନ୍ ଡଲାରକୁ ହ୍ରାସ ପାଇଛି । ଏହା ୧୫ ମାସର ସର୍ବନିମ୍ନ ସ୍ତର । ଉଲ୍ଲେଖଯୋଗ୍ୟ ଯେ, ଏପ୍ରିଲ ୧ରେ ସମାପ୍ତ ସପ୍ତାହ ପରେ ଏହା ସବୁଠାରୁ ବଡ଼ ସାପ୍ତାହିକ ହ୍ରାସ । ଏହି ସପ୍ତାହରେ ବିଦେଶୀ ମୁଦ୍ରା ଭଣ୍ଡାରରୁ ୧୧.୧୭ ଶହ କୋଟି ଡଲାର କମିଯାଇଛି ।
ବିଦେଶୀ ମୁଦ୍ରା ଭଣ୍ଡାର ଏପରି ସମୟରେ ଏତେ ଅଧିକ ହ୍ରାସ ପାଇଛି ଯେତେବେଳେକି ଭାରତୀୟ ମୁଦ୍ରା ଡଲାର ତୁଳନାରେ ଅତ୍ୟଧିକ ଦୁର୍ବଳ ହୋଇ ସର୍ବକାଳୀନ ନିମ୍ନ ସ୍ତରକୁ ଚାଲିଯାଇଛି । ୧ ଡଲାରର ମୂଲ୍ୟ ପ୍ରାୟ ୮୦ ଟଙ୍କା ହୋଇଛି ।
ଟଙ୍କାର ମୂଲ୍ୟ ହ୍ରାସ ସହ ବିଦେଶୀ ମୁଦ୍ରା ଭଣ୍ଡାର ଦ୍ରୁତ ବେଗରେ ନିଶେଷ ହେବା ଦ୍ୱାରା ଭାରତର ଅର୍ଥ ବ୍ୟବସ୍ଥା ଗୁରୁତର ଭାବେ ପ୍ରଭାବିତ ହେବ । ବିଦେଶୀ ମୁଦ୍ରା ଭଣ୍ଡାର ଯେତେ କମେ, ତା’ର ପ୍ରଥମ ପ୍ରଭାବ ପଡିଥାଏ ଟଙ୍କାର ବିନିମୟ ମୂଲ୍ୟ ଉପରେ । ଏହାର ଜଳ୍ୱନ୍ତ ଉଦାହରଣ ଶୁକ୍ରବାର ୧ ଡଲାରର ମୂଲ୍ୟ ହୋଇଥିଲା ୭୯ ଟଙ୍କା ୭୨ ପଇସା । ପୁନଶ୍ଚ ଏହି କାରଣରୁ ବ୍ୟାପାର କ୍ଷତି ବଢ଼ିଥାଏ । ତା’ର କାରଣ ବିଦେଶରୁ ଆମଦାନୀ ପାଇଁ ଅଧିକ ଅର୍ଥ ବ୍ୟୟ ହେବା ସହ ରପ୍ତାନୀ ମୂଲ୍ୟ କମିଥାଏ । ଗତ କିଛିମାସ ହେଲା ଭାରତ ଏହି ସ୍ଥିତିର ସମ୍ମୁଖୀନ ହୋଇଆସୁଛି । ଜୁନ୍ ମାସରେ ବ୍ୟାପର କ୍ଷତି ବଢ଼ି ରେକର୍ଡ ସ୍ତର (୨୫.୬ ବିଲିୟନ୍ ଡଲାର) ହୋଇଥିଲା ।
ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପକ୍ଷରୁ ଜାରି କରାଯାଇଥିବା ତାଜା ସୂଚନା ଅନୁଯାୟୀ ଫରେନ୍ସ କରେନ୍ସି ଆସେଟ୍ସ୍ (ଏଫ୍ସିଏ)ରେ ଦ୍ରୁତ ହ୍ରାସ କାରଣରୁ ବିଦେଶୀ ମୁଦ୍ରା ଭଣ୍ଡାର କ୍ରମାଗତ ଶୂନ୍ୟ ହୋଇଚାଲିଛି ।
ସମୀକ୍ଷାଧୀନ (ଗତ) ସପ୍ତାହରେ ଏଫ୍ସିଏରୁ ୬.୬୫୬ ବିଲିୟନ୍ ଡଲାର କମିଯିବା ଫଳରେ ରହିଥିଲା ମାତ୍ର ୫୧୮୦୯ ବିଲିୟନ୍ ଡଲାର । ଏଫ୍ସିଏରେ ଥାଏ ୟୁରୋ, ପାଉଣ୍ଡ୍, ୟେନ୍ ଆଦି ଅଣଆମେରିକୀୟ କରେନ୍ସି । ଏହି ସବୁ ବଢ଼ିଲେ ବା କମିଲେ ବିଦେଶୀ ମୁଦ୍ରା ଭଣ୍ଡାର ପ୍ରଭାବିତ ହୋଇଥାଏ ।
ଇତିମଧ୍ୟରେ ଦେଶର ସ୍ୱର୍ଣ୍ଣ ଭଣ୍ଡାର ଗଚ୍ଛିତ ସ୍ୱର୍ଣ୍ଣ ରାଶି ମଧ୍ୟ କମିଛି । ପୂର୍ବକ୍ତ ସପ୍ତାହରେ ୧.୨୩୬ ବିଲିୟନ୍ ଡଲାର ମୂଲ୍ୟର ସୁନା କମିଯିବା ଫଳରେ ତାହା ୩୯.୧୮୬ ବିଲିୟନ୍ ଡଲାରରେ ପହଞ୍ଚôଛି ।
ସେହିପରି ଗତ ସପ୍ତାହରେ ଆନ୍ତର୍ଜାତିକ ମୁଦ୍ରାପାଣ୍ଠି ସହ ସ୍ପେଶାଲ୍ ଡ୍ରଇଂ ରାଇଟ୍ସ (ଏସ୍ଡିଆର୍) ୧୨ କୋଟି ୨୦ ଲକ୍ଷ ଡଲାର କମିଥିଲା । ଏହା ଯୋଗୁ ଏସ୍ଡିଆର୍ ୧୮.୦୧୨ ବିଲିୟନ୍ ଡଲାରକୁ ଖସି ଯାଇଛି ।
ରିଜର୍ଭ ବ୍ୟାଙ୍କ ସୂଚନା ଅନୁଯାୟୀ ଜୁଲାଇ ୮ରେ ସମାପ୍ତ ସପ୍ତାହରେ ଆଇଏମ୍ଏଫ୍ର ରିଜର୍ଭ ପୋଜିସନ୍ ୪ କୋଟି ୯୦ ଲକ୍ଷ ଡଲାର କମିଥିଲା । ଫଳତଃ ସେଥିରେ ରହିଛି ୪.୯୬୬ ବିଲିୟନ୍ ଡଲାର । ଜୁଲାଇ ୧ରେ ସମାପ୍ତ ସପ୍ତାହରେ ଏହି ଭଣ୍ଡାରରୁ ୫.୦୮୮ ବିଲିୟନ୍ ଡଲାର କମିଯାଇ ଏହି ଭଣ୍ଡାରରେ ଥିଲା ୫୮୮.୩୧୪ ବିଲିୟନ୍ ଡଲାର ।
ବିଦେଶୀ ମୁଦ୍ରା ଭଣ୍ଡାର ହେଉଛି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ପାଖରେ ରଖାଯାଇଥିବା ଧନରାଶି ଓ ପରିସମ୍ପତ୍ତି (ଆସେଟ୍ସ) । ଏଥିରେ ବିଦେଶୀ ମୁଦ୍ରା ପରିସମ୍ପତ୍ତି, ସ୍ୱର୍ଣ୍ଣ ଭଣ୍ଡାର, ବିଶେଷ ଆହରଣ ଅଧିକାର (ଏସ୍ଡିଆର୍) ଓ ଆନ୍ତର୍ଜାତୀକ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍) ସହ ରିଜର୍ଭ ଟ୍ରେଞ୍ଚ୍ ଅନ୍ତର୍ଭୁକ୍ତ ।
ବ୍ୟାପାର କ୍ଷତି କମାଇବା ଲକ୍ଷ୍ୟରେ ଆରବିଆଇ ଜୁଲାଇ ୧୧ ତାରିଖ ଦିନ ବିଦେଶରେ ଟଙ୍କା ମାଧ୍ୟମରେ ବ୍ୟବସାୟ କରିବା ସୁବିଧା ଉପଲବ୍ଧ କରାଇଥିଲେ । ଏହି ସୁବିଧାର ଉପଯୋଗ କରି ଏବେ ରୁଷ, ଶ୍ରୀଲଙ୍କା ଆଦି ଦେଶ ସହ ବ୍ୟାପାର କରାଗଲେ ବିଦେଶୀ ମୁଦ୍ରା ଭଣ୍ଡାରରୁ ଅଧିକ ଡଲାର ଶୂନ୍ୟ ହେବ ନାହିଁ । ଭାରତ ସବୁଠାରୁ ଅଧିକ ଅଶୋଧିତ ପେଟ୍ରୋଲିୟମ୍ ଆମଦାନୀ କରୁଛି । ଏଥିପାଇଁ ରୁଷ ସହ ଟଙ୍କା ମାଧ୍ୟମରେ କାରବାର ହେଲେ ଟଙ୍କାର ମୂଲ୍ୟ ଦୃଢ଼ ହୋଇପାରିବ ।