ଧନଖଡ଼ ଏନ୍ଡିଏ ଉପରାଷ୍ଟ୍ରପତି ପ୍ରାର୍ଥୀ
ନୂଆଦିଲ୍ଲୀ, ୧୬ା୭: ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦ୍ଦୀପ ଧନଖଡ଼ଙ୍କୁ କେନ୍ଦ୍ରରେ କ୍ଷମତାସୀନ ଏନ୍ଡିଏ ପକ୍ଷରୁ ଉପରାଷ୍ଟ୍ରପତି ପ୍ରାର୍ଥୀ କରାଯାଇଛି । ଶନିବାର ସନ୍ଧ୍ୟାରେ ନୂଆଦିଲ୍ଲୀରେ ଅନୁଷ୍ଠିତ ବିଜେପି ସଂସଦୀୟ ବୋର୍ଡ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ବୈଠକ ପରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା ଧନଖଡ଼ଙ୍କ ନାମ ଘୋଷଣା କରିଥିଲେ । ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ୍ ଶାହଙ୍କ ସମେତ ଦଳର ସବୁ ପ୍ରମୁଖ ନେତା ଉପସ୍ଥିତ ଥିଲେ ।
ବିରୋଧୀ ମେଣ୍ଟ ପକ୍ଷରୁ ରବିବାର ଉପରାଷ୍ଟ୍ରପତି ପ୍ରାର୍ଥୀଙ୍କ ନାମ ଘୋଷଣା କରାଯିବ । ରାଜ୍ୟସଭାରେ ବିରୋଧୀ ଦଳ ନେତା ତଥା କଂଗ୍ରେସର ବରିଷ୍ଠ ସଦସ୍ୟ ମଲ୍ଲିକାର୍ଜ୍ଜୁନ ଖଡ୍ଗେ ଏହି ସୂଚନା ଦେଇଛନ୍ତି ।
ବର୍ତ୍ତମାନର ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁଙ୍କ କାର୍ଯ୍ୟକାଳ ଅଗଷ୍ଟ ୧ଠରେ ଶେଷ ହେବ । ଉପରାଷ୍ଟ୍ରପତି ନିର୍ବାଚନ ଅଧିସୂଚନା ପୂର୍ବରୁ ଜାରି କରାଯାଇଛି । ନାମାଙ୍କନର ଶେଷ ତାରିଖ ଜୁଲାଇ ୧୯ । ନିର୍ବାଚନ ଅଗଷ୍ଟ ୬ରେ ହେବ । ଉପରାଷ୍ଟ୍ରପତି ଚୟନ ପାଇଁ ଉଦ୍ଦିଷ୍ଟ ନିର୍ବାଚକ ମଣ୍ଡଳରେ ଏବେ ଅଛନ୍ତି ୭୮ଠ ସଦସ୍ୟ । ସେଥିରୁ କେବଳ ବିଜେପି ପାଖରେ ଅଛନ୍ତି ୩୯୪ ସାଂସଦ, ଯାହାକି ସଂଖ୍ୟାଗରିଷ୍ଠତା ପାଇଁ ଆବଶ୍ୟକ ୩୯ଠରୁ ଅଧିକ ।
ବିଜେପି ସଂସଦୀୟ ଦଳ ବୈଠକ ପୂର୍ବରୁ ଧନଖଡ଼ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଥିଲେ । ପ୍ରଧାନମନ୍ତ୍ରୀଙ୍କ କାର୍ଯର୍୍ୟାଳୟ ପକ୍ଷରୁ ମୋଦି ଓ ଧନଖଡ଼ଙ୍କ ଫଟୋ ପୋଷ୍ଟ କରାଯାଇଥିଲା ।
ବିଜେପିର ଜାଠ ନେତା ଧନଖଡ଼ ରାଜସ୍ଥାନର ମୂଳ ବାସିନ୍ଦା । ୭ଠ ବର୍ଷୀୟ ଧନଖଡ଼ଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ୨ଠ୧୯ ଜୁଲାଇ ୩ଠରେ ପଶ୍ଚିମବଙ୍ଗର ୨୮ତମ ରାଜ୍ୟପାଳ ନିଯୁକ୍ତ କରିଥିଲେ । ଧନଖଡ଼ ୧୮୮୯ରୁ ୧୯୯୧ ପର୍ଯ୍ୟନ୍ତ ରାଜସ୍ଥାନର ଝୁନ୍ଝନୁ ଆସନରୁ ଲୋକସଭା ସାଂସଦ ଥିବା ମଧ୍ୟରେ ବିଶ୍ୱନାଥ ପ୍ରତାପ ସିଂହ ଓ ଚନ୍ଦ୍ରଶେଖରଙ୍କ ସରକାରରେ କେନ୍ଦ୍ରମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ ।
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ତାଙ୍କର ଘୋର ମତଭେଦ ରହିଆସିଛି । ବିବାଦ ଏତେ ବଢ଼ିଯାଇଛି ଯେ, ଗତବର୍ଷ ଡିସେମ୍ବରରେ ଟିଏମ୍ସିର ୫ଜଣ ପ୍ରତିନିଧି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟି ରାଜ୍ୟପାଳ ପଦରୁ ଧନଖଡ଼ଙ୍କୁ ହଟାଇବା ଲାଗି ସୁପାରିଶ କରିଥିଲେ । ଟିଏମ୍ସି ପକ୍ଷରୁ କୁହାଯାଇଥିଲା, ସମ୍ବିଧାନର ଧାରା-୧୫୬, ଉପଧାରା-୧ ଅନୁଯାୟୀ ରାଜ୍ୟପାଳଙ୍କୁ ହଟାଇବା ପାଇଁ ନିବେଦନ କରାଯାଇଛି । କିନ୍ତୁ ଧନଖଡ଼ଙ୍କୁ ପଦରୁ ହଟାଯାଇନାହିଁ; ଏବେ ତାଙ୍କୁ ରାଜନୈତିକ ପଦୋନ୍ନତି ମିଳିଛି । ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପରେ ରାଜ୍ୟରେ ହୋଇଥିବା ରାଜନୈତିକ ହିଂସା ପାଇଁ ସେ ମମତା ସରକାରଙ୍କୁ ସିଧାସଳଖ ଦାୟୀ କରାଇଥିଲେ । ଗତବର୍ଷ ଜୁନ୍ ୨୧ରେ ଉତ୍ତର ବେଙ୍ଗଲ୍ ଗସ୍ତ ସମୟରେ ଧନଖଡ଼ କହିଥିଲେ, ଲୋକେ (ହିଂସାକାଣ୍ଡରେ) ମରୁଛନ୍ତି, ଏଭଳି ସ୍ଥିତିରେ ଗଭର୍ଣ୍ଣର ରୂପେ ମୁଁ ଚୁପ୍ ରହିପାରିବି ନାହିଁ ।