ସିନ୍ଧୁଙ୍କୁ ସିଙ୍ଗାପୁର ଓପନ୍ ମୁକୁଟ

ସିଙ୍ଗାପୁର, ୧୭ା୭ (ଏଜେନ୍ସି): ଦୁଇ ଅଲିମ୍ପିକ୍ ପଦକଧାରିଣୀ ପିଭି ସିନ୍ଧୁ ରବିବାର ସଂଘର୍ଷପୂର୍ଣ୍ଣ ଫାଇନାଲ୍ରେ ଚୀନ୍ର ୱାଙ୍ଗ ଝି’ ୟି’ଙ୍କୁ ହରାଇ ସିଙ୍ଗାପୁର ଓପନ୍ ସୁପର୍ ୫୦୦ ଟ୍ରଫି ହାସଲ କରିଛନ୍ତି । ଚଳିତ ସିଜନ୍ରେ ଏହା ସିନ୍ଧୁଙ୍କ ତୃତୀୟ ୱାର୍ଲ୍ଡ ଟୁର୍ ମୁକୁଟ ।
ମୁକୁଟ ଲଢ଼େଇରେ ୨୭ବର୍ଷୀୟା ସିନ୍ଧୁ ଏସୀୟ ଚାମ୍ପିଅନ୍ସିପ୍ସ ସ୍ୱର୍ଣ୍ଣ ପଦକ ବିଜୟିନୀ ୨୨ବର୍ଷୀୟା ୱାଙ୍ଗ୍ଙ୍କୁ ୨୧-୯, ୧୧-୨୧, ୨୧-୧୫ରେ ମାତ୍ ଦେଇଥିଲେ । ଭାରତୀୟ ଖେଳାଳି ଚୀନା ଖେଳାଳିଙ୍କ ବିପକ୍ଷରେ ୧-୦ ଜୟ-ପରାଜୟ ରେକର୍ଡ ସହ କୋର୍ଟକୁ ଓହ୍ଲାଇଥିଲେ । ଶେଷ ଥର ସିନ୍ଧୁ ତାଙ୍କୁ ଚଳିତ ବର୍ଷ ଅଲ୍ ଇଂଲଣ୍ଡ ଚାମ୍ପିଅନ୍ସିପ୍ସରେ ହରାଇଥିଲେ ।
ଚଳିତ ବର୍ଷ ସିନ୍ଧୁ ସୟଦ ମୋଦି ଓ ସ୍ୱିସ୍ ଓପନ୍ ଜିତିଥିଲେ । କିନ୍ତୁ ଗତ ମାସରେ ହୋଇଥିବା ମାଲେସିଆ ଓପନ୍ ଓ ମାଲେସିଆ ମାଷ୍ଟର୍ସର କ୍ୱାର୍ଟର୍-ଫାଇନାଲ୍ରେ ପରାଜିତ ହୋଇଥିଲେ ।
ପ୍ରଥମ ଗେମ୍ରେ ସିନ୍ଧୁଙ୍କ ସମ୍ପୂର୍ଣ୍ଣ ଆଧିପତ୍ୟ ଦେଖିବାକୁ ମିଳିଥିଲା । ସେ ଏହି ଗେମ୍କୁ ୨୧-୯ର ବଡ଼ ବ୍ୟବଧାନରେ ଜିତିଥିଲେ । ଗେମ୍ରେ କେବଳ ଥରେ ସ୍କୋର୍ (୨-୨) ସମାନ ସ୍ଥିତିରେ ଥିଲା । ଏହାପରେ ଭାରତୀୟ ଖେଳାଳି କ୍ରମାଗତ ଅଗ୍ରଣୀ ଲାଭ କରିଥିଲେ । ଦ୍ୱିତୀୟ ଗେମ୍ରେ ଚୀନା ଖେଳାଳି ପ୍ରତ୍ୟାବର୍ତ୍ତନ କରିଥିଲେ । ଏହି ଗେମ୍ ଏକତରଫା ଥିଲେ । ଭାରତୀୟ ତାରକା କିଛି ପଏଣ୍ଟ ପାଇଥିଲେ; କିନ୍ତୁ ତାହା ବିଜୟ ପାଇଁ ପର୍ଯ୍ୟାପ୍ତ ନ ଥିଲା ।
ନିର୍ଣ୍ଣାୟକ ଗେମ୍ରେ ସଂଘର୍ଷପୂର୍ଣ୍ଣ ଖେଳ ଦେଖିବାକୁ ମିଳିଥିଲା । ଗେମ୍ ଆରମ୍ଭରେ ୱାଙ୍ଗ୍ ଭଲ ଖେଳିଥିଲେ । କିନ୍ତୁ ସିନ୍ଧୁ ନିଜ ଅଭିଜ୍ଞତାର ଫାଇଦା ଉଠାଇ ବିଜୟ ହାସଲ କରିଥିଲେ । ଚାରି ଥର ସ୍କୋର୍ ବରାବର ସ୍ଥିତିରେ ଥିଲା । ତେବେ ୱାଙ୍ଗ୍ଙ୍କୁ ଅଗ୍ରଣୀର ସୁଯୋଗ ଦେଇ ନ ଥିଲେ ସିନ୍ଧୁ ।
ସିଙ୍ଗାପୁର ଓପନ୍ ଜିତିବାରେ ତୃତୀୟ ଭାରତୀୟ
ପିଭି ସିନ୍ଧୁ ସିଙ୍ଗାପୁର ଓପନ୍ ଜିତିବାରେ ତୃତୀୟ ଭାରତୀୟ ଓ ଦ୍ୱିତୀୟ ମହିଳା ଖେଳାଳି ହୋଇପାରିଛନ୍ତି । ଏଥିପୂର୍ବରୁ ସାଇନା ନେହୱାଲ୍ ୨୦୧୦ ଓ ସାଇ ପ୍ରଣୀତ ୨୦୧୭ରେ ଏହି ମୁକୁଟ ଜିତିଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *