ସଂସଦରେ ଉଠାଅ ରାଜ୍ୟ ସ୍ୱାର୍ଥ ପ୍ରସଙ୍ଗ

ବିଜେଡି ସାଂସଦଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଗୁରୁମନ୍ତ୍ର
ଭୁବନେଶ୍ୱର, ୧୬ା୭ (ବୁ୍ୟରୋ): ଆସନ୍ତା ୧୮ ତାରିଖରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେଉଛି । ତା ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେଡ଼ି ସାଂସଦଙ୍କ ସହ ଆଲୋଚନା କରିଛନ୍ତି । ସଂସଦର ଆଗାମୀ ଅଧିବେଶନରେ ରାଜ୍ୟ ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗକୁ ଜୋରଦାର ଭାବେ ଉପସ୍ଥାପନ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପରାମର୍ଶ ଦେଇଛନ୍ତି । ଶନିବାର ଭର୍ଚୁଆଲରେ ଅନୁଷ୍ଠିତ ଏହି ବୈଠକରେ ଲୋକସଭା ଓ ରାଜ୍ୟସଭାରେ ବିଜୁ ଜନତା ଦଳର ସାଂସଦଙ୍କୁ ସ୍ୱାଗତ ଜଣାଇବା ସହ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ, ଦଳର ସାଂସଦମାନେ ରାଜ୍ୟ ସ୍ୱାର୍ଥ ପାଇଁ ଗୃହରେ ସ୍ୱରକୁ ତେଜିଆନ୍‌ କରନ୍ତୁ । ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦେବାକୁ ଆମ ସାଂସଦମାନେ ମିଳିତ ଭାବେ ସ୍ୱର ଉତ୍ତୋଳନ କରନ୍ତୁ ବୋଲି ବିଜେଡି ସଂସଦୀୟ ଦଳ ବୈଠକରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏହି ପରାମର୍ଶ ଦେଇଛନ୍ତି ।
ଗତ ମେ ୩୦ରେ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କ ସହ ରାଜ୍ୟ ସ୍ୱାର୍ଥ ସମ୍ବଳିତ ପ୍ରଶ୍ନ ନେଇ ଏକ ବୈଠକରେ ଏକାଠି ହାଇଥିଲେ । ଏବେ ଏ ପ୍ରସଙ୍ଗଗୁଡିକୁ ସଂସଦର ଆଗାମୀ ଅଧିବେଶନରେ ଦୃଢତାର ସହ ଉଠାଇବା ପାଇଁ ସେ ପରାମର୍ଶ ଦେଇଛନ୍ତି । ଧାର୍ଯ୍ୟ ସମୟସୀମାରେ ଓଡିଶା କିଭଳି ତାର ନାର୍ଯ୍ୟ ହକ୍‌ ପାଇ ପାରିବ ସେ ଦିଗରେ ଧ୍ୟାନ ଦେବାକୁ ପଡ଼ିବ । ରାଜ୍ୟରେ ପଡିରହିଥିବା ଅତିରିକ୍ତ ୫ ଲକ୍ଷ ମେଟ୍ରିକ ବଳକା ଚାଉଳ ଉଠାଣ ସହ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ)ରେ ଫନୀ ପ୍ରଭାବିତ ଜିଲ୍ଲାଗୁଡିକରେ ୧.୮୪ ଲକ୍ଷ ଘର ଯୋଗାଣ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି । ଜିଲ୍ଲା ଖଣିଜ ପାଣ୍ଠିକୁ ଆୟକର ସ୍ଲାବରୁ ବାଦ୍‌ ଦେବାକୁ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ବିଜେଡି ସାଂସଦମାନେ ବେସ୍‌ ଗମ୍ଭୀରତାର ସହ ଏ ପ୍ରସଙ୍ଗକୁ ଉଭୟ ଗୃହରେ ଉଠାନ୍ତୁ ବୋଲି ସେ କହିଛନ୍ତି ।
ଏହାବାଦ୍ ରାଜ୍ୟରେ ପଡ଼ିରହିଥିବା ରେଳବାଇ ପ୍ରକଳ୍ପଗୁଡିକୁ ତୁରନ୍ତ କାର୍ଯ୍ୟକାରୀ କରିବା, ଧାନର ସର୍ବନିମ୍ନ ସହାୟକ ମୂଲ୍ୟରେ ବୃଦ୍ଧି ପାଇଁ ସ୍ୱାମୀନାଥନ କମିଟିର ସୁପାରିଶକୁ ଲାଗୁ କରିବା, ବିଧାନସଭା ଓ ସଂସଦରେ ମହିଳାଙ୍କ ପାଇଁ ୩୩ପ୍ରତିଶତ ଆସନ ସଂରକ୍ଷଣ ଏବଂ ଓଡିଶା ବିଧାନ ପରିଷଦ ଗଠନ ଭଳି ପୂରଣା ଦାବିଗୁଡିକୁ ବିଜେଡି ସାଂସଦମାନେ ଗୃହରେ ଜାରଦାର କରନ୍ତୁ । ରେଳ ବାଇ, ବ୍ୟାଙ୍କିଂ, ଟେଲି ସାନ୍ଦ୍ରତା, କୋଇଲା ରୟାଲିଟି, ସ୍ୱଚ୍ଛଶକ୍ତି ସେସ୍‌, ଉପକୂଳ ରାଜପଥ ନିର୍ମାଣ ଭଲି ପ୍ରସଙ୍ଗରେ କେନ୍ଦ୍ର ଓଡିଶାକୁ କ୍ରମାଗତ ଭାବେ ଅବହେଳା କରିଆସିଛି । ତେଣୁ ଆମ ସାଂସଦମାନେ ଏହାକୁ ଦୃଢ ସ୍ୱରରେ ସଂସଦରେ ଉଠାଇବାର ଆବଶ୍ୟକତା ରହିଛି । ଏହାଛଡା ମୁଖ୍ୟମନ୍ତ୍ରୀ ଆମ ମାଟିର ଝିଅ ଦ୍ରୌପଦୀ ମୁର୍ମୁ ଦେଶର ପରବର୍ତ୍ତୀ ରାଷ୍ଟ୍ରପତି ହେବାକୁ ଯାଉଛନ୍ତି । ଏହା ଆମ ପାଇଁ ଗୌରବର ବିଷୟ । ଓଡିଶାବାସୀ ଓ ବିଜେଡି ପକ୍ଷରୁ ଦ୍ରୌପଦୀଙ୍କୁ ସବୁ ପ୍ରକାର ସମର୍ଥନ ଯୋଗାଇବାକୁ ଦଳୀୟ ସାଂସଦଙ୍କୁ ଅପିଲ କରିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *