ସର୍ବଦଳୀୟ ବୈଠକକୁ ଆସିଲେନି ଅନେକ ବିରୋଧୀ

୧୮ରୁ ମୌସୁମୀ ଅଧିବେଶନ
ନୂଆଦିଲ୍ଲୀ (ଏଜେନ୍ସି): ୧୭ମ ଲୋକସଭାର ମୌସୁମୀ ଅଧିବେଶନ ଆସନ୍ତା ଜୁଲାଇ ୧୮ରୁ ଆରମ୍ଭ ହେବାକୁ ଯାଉଛି । ଏହି ଅବସରରେ ରାଷ୍ଟ୍ରପତି ନିର୍ବାଚନ ପ୍ରକ୍ରିୟା ମଧ୍ୟ ଅନୁଷ୍ଠିତ ହେବାର ଅଛି । ତେବେ ଏହାର ଦୁଇଦିନ ପୂର୍ବରୁ ଅର୍ଥାତ୍ ଶନିବାର ଦିନ ବାଚସ୍ପତି ଓମ ବିର୍ଲାଙ୍କ ଅଧ୍ୟକ୍ଷତାରେ ସଂସଦ ଭବନ ହଲ୍ ପରିସରରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବାଚସ୍ପତି ମୌସୁମୀ ଅଧିବେଶନକୁ କିପରି ସୁରୁଖୁରୁରେ ତ୍ୱରାନ୍ୱିତ କରାଯାଇପାରିବ ସେସମ୍ପର୍କରେ ଉଭୟ ଶାସକ ଏବଂ ବିରୋଧୀ ଦଳଗୁଡିକର ସହଯୋଗ କାମନା କରିଛନ୍ତି । ବିର୍ଲା କହିଛନ୍ତି, ଏହା ସ୍ୱାଧୀନତାର ୭୫ତମ ବର୍ଷ ପୂର୍ତ୍ତିର ଅଧିବେଶନ । ଏଥିପାଇଁ ଗୃହରେ ସକରାତ୍ମକ ଏବଂ ସାର୍ଥକ ଆଲୋଚନା ଉପରେ ସବୁ ଦଳ ଗୁରୁତ୍ୱାରୋପ କରିବା ଜରୁରି ।
ଶନିବାର ଆୟୋଜିତ ଏହି ବୈଠକରେ କଂଗ୍ରେସ ପକ୍ଷରୁ ବିରୋଧୀ ଦଳ ନେତା ଅଧୀର ରଞ୍ଜନ ଚୌଧୁରି, ଡିଏମ୍କେ ନେତା ଟିଆର ବାଲୁ ଏବଂ ୱାଇଏସ୍ଆର୍ପି ନେତା ପିଭି ମିଥୁନରେ‡ୀ ପ୍ରମୁଖ ଯୋଗ ଦେଇଥିଲେ । ତେବେ ଆଶ୍ଚର୍ଯ୍ୟଜନକ ଭାବେ ଟିଏମ୍ସି, ଏନ୍ସିପି, ସମାଜବାଦୀ ପାର୍ଟି, ବିଏସ୍ପି, ବିଜେଡି, ଜେଏମ୍ଏମ୍, ଟିଆରଏସ, ଟିଡିପି, ନ୍ୟାସନାଲ କନଫରେନ୍ସ (ଏନ୍ସି), ଅକାଳୀ ଦଳ ସମେତ ଅନେକ ଦଳର ଜଣେ ହେଲେ ନେତା ଯୋଗଦେଇନଥିଲେ । ଏହି ଅବସରରେ ଉପସ୍ଥିତ ନେତାମାନେ ବାଚସ୍ପତିଙ୍କ ନିକଟରେ ଅଗ୍ନିପଥ, ବେରୋଜଗାରୀ, କୃଷକ ସମସ୍ୟା ତଥା ଦେଶର ବିପର୍ଯ୍ୟସ୍ତ ହୋଇପଡୁଥିବା ଅର୍ଥନୀତି ସମ୍ପର୍କରେ ଗୃହରେ ଆଲୋଚନା ହେବା ଏବଂ ଏଥିପାଇଁ ଗୃହ ଅଧ୍ୟକ୍ଷ ଭାବେ ଯଥେଷ୍ଟ ସମୟ ଦେବାକୁ ଦାବି ଉପସ୍ଥାପନ କରିଥିବା ଜାଣିବାକୁ ମିଳିଛି ।
ଅନ୍ୟପକ୍ଷେ ଶାସକ ଦଳ ବିଜେପି ପକ୍ଷରୁ କେନ୍ଦ୍ର ସଂସଦୀୟ କାର୍ଯ୍ୟ ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ, କେନ୍ଦ୍ର ମନ୍ତ୍ରୀ ଅର୍ଜୁନ ମେଘାୱାଲ ଏବଂ ସାଂସଦ ରମା ଦେବୀ ବୈଠକରେ ଯୋଗ ଦେଇଥିଲେ । ସେହିପରି ଅପ୍ନା ଦଳରୁ କେନ୍ଦ୍ର ମନ୍ତ୍ରୀ ଅନୁପ୍ରିୟା ପଟେଲ୍, ଏଲ୍ଜେପିରୁ ମନ୍ତ୍ରୀ ପଶୁପତି ପାରସ ଉପସ୍ଥିତ ଥିଲେ । ପ୍ରକାଶ, ଜୁଲାଇ ୧୮ରୁ ଆରମ୍ଭ ହେଉଥିବା ମୌସୁମୀ ଅଧିବେଶନର ମୋଟ୍ ୨୬ ଦିନରେ ୧୮ କାର୍ଯ୍ୟ ଦିବସ ରହିଛି । ଅଗଷ୍ଟ ୧୨ରେ ଅଧିବେଶନ କାର୍ଯ୍ୟଦିବସ ଶେଷ ହେବାକୁ ଥିବା ବେଳେ ଅଗଷ୍ଟ ୧ଠରେ ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କୟା ନାଇଡୁଙ୍କ କାର୍ଯ୍ୟକାଳ ଶେଷ ହେବ । ସୁତରାଂ ଉଭୟ ରାଷ୍ଟପ୍ରତି ନିର୍ବାଚନ ଏବଂ ଉପରାଷ୍ଟ୍ରପତି ନିର୍ବାଚନ ଏହି ମୌସୁମୀ ଅଧିବେଶନ କାଳରେ ଅନୁଷ୍ଠିତ ହେବ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *