ବଢ଼ୁଛି ସଂକ୍ରମଣ, ଘାରୁଛି ଚିନ୍ତା
ଭୁବନେଶ୍ୱର (ବୁ୍ୟରୋ): ରାଜ୍ୟରେ କରୋନା ସଂକ୍ରମଣ ଲଗାତାର ଦ୍ୱିତୀୟ ଦିନରେ ହଜାରେ ଉପରେ ରହିଛି । ଗତ ୨୪ ଘଣ୍ଟାରେ ଆଉ ୧୦୬୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୬୨୪ ସଙ୍ଗରୋଧ କେନ୍ଦ୍ରରୁ ଓ ୪୪୧ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ନୂଆ ଚିହ୍ନଟଙ୍କ ମଧ୍ୟରୁ ୧୨୨ ଜଣ ୦ରୁ ୧୮ ବର୍ଷ ବର୍ଗରେ ରହିଛନ୍ତି । ଏଥିସହିତ ୫୧୪ ଜଣ ସୁସ୍ଥ ହୋଇଛନ୍ତି ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି ।
ବଢ଼ୁଥିବା ସଂକ୍ରମଣକୁ ଲକ୍ଷରେ ରଖି ରାଜ୍ୟ ଜନସ୍ୱାସ୍ଥ୍ୟ ନିଦେ୍ର୍ଦଶକ ନିରଞ୍ଜନ ମିଶ୍ର କହିଛନ୍ତି, ଦେଶରେ ସଂକ୍ରମଣ ବଢ଼ୁଛି । ଆମର ପଡ଼ୋଶୀ ପଶ୍ଚିମବଙ୍ଗ, ଛତିଶଗଡ଼, ଝାଡ଼ଖଣ୍ଡ ଆଦିରେ ବଢ଼ୁଛି । ସେହି ଅନୁପାତରେ ଆମ ରାଜ୍ୟର ସଂକ୍ରମଣ ବଢ଼ୁଛି । କିନ୍ତୁ ପୂର୍ବ ଲହର ଭଳି ବୃଦ୍ଧି ହେଉନି । ସକ୍ରିୟ ମାମଲା ୫ ହଜାର ତଳେ ରହିଛି । ୫୦ରୁ ମଧ୍ୟ କମ୍ ରୋଗୀ ଡାକ୍ତରଖାନାରେ ଭର୍ତ୍ତି ହାଇଛନ୍ତି, କିନ୍ତୁ ସେମାନଙ୍କ ମଧ୍ୟରୁ ଅଧିକାଂଶ ଆଇସିୟୁରେ ଅଛନ୍ତି । ଯେଉଁମାନଙ୍କଠାରେ ଥଣ୍ଡା, ଜ୍ୱର, କାଶ ହେଉଛି, ସେମାନେ କୋଭିଡ ପରୀକ୍ଷା କରାଇନେବା ଉଚିତ ବୋଲି ଡା. ମିଶ୍ର ପରାମର୍ଶ ଦେଇଛନ୍ତି । ଲୋକଙ୍କୁ ଅଧିକ ସଚେତନ ହେବାକୁ ପଡ଼ିବ । ତେଣୁ ଶ୍ରାବଣରେ କାଉଡ଼ିଆମାନେ କୋଭିଡ ନିୟମ ପାଳନ କରନ୍ତୁ । ମାସ୍କ ପିନ୍ଧିବା ସହ ଦଳ ଦଳ ହୋଇ ନ ଦୂରତା ରକ୍ଷା କରି ଯାଆନ୍ତୁ ଏବଂ ମନ୍ଦିରରେ ସମାମାଜିକ ଦୂରତା ରଖି ପୂଜାର୍ଚ୍ଚନା କରନ୍ତୁ ବୋଲି ଡା. ମିଶ୍ର କହିଛନ୍ତି ।
ଗତ ୨୪ ଘଣ୍ଟାରେ ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୩୬୧ ସଂକ୍ରମିତ ଥିବାବେଳେ କଟକରୁ ୧୩୫ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏପର୍ଯ୍ୟନ୍ତ ଆକ୍ରାନ୍ତଙ୍କ ସଂଖ୍ୟା ୧୨,୯୮,୨୪୦ ପହଞ୍ଚିଛି । ସେଥିରୁ ୪,୮୨୪ ସକ୍ରିୟ ମାମଲା ରହିଥିବାବେଳେ ୧୨,୮୪,୨୩୫ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।