ଭିଡିଓ ଭାଇରାଲ ପରେ ତୀବ୍ର ପ୍ରତିକ୍ରୀୟା
ଗୋଡ଼ରେ ଦଳି ଛତୁଆ ପ୍ରସ୍ତୁତି
ପରଜଙ୍ଗ (ଆପ୍ର): ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକରେ ଗର୍ଭବତୀ ମହିଳା ଏବଂ ଶିଶୁମାନଙ୍କୁ ଅଙ୍ଗନୱାଡୀ ମାଧ୍ୟମରେ ଦିଆଯାଉଥିବା ଛତୁଆକୁ ପାଦରେ ଦଳି ମିଶ୍ରଣ କରାଯାଉଥିବାର ଭିଡିଓ ଭାଇରାଲ ହେବାପରେ ତୀବ୍ର ପ୍ରତିକ୍ରୀୟା ପ୍ରକାଶ ପାଇଛି । ପାଟରପଦା ଗ୍ରାମର ସ୍ୱେଛାସେବୀ ମହିଳାମାନଙ୍କ ଅଭିଯୋଗ ଅନୁସାରେ ପରଜଙ୍ଗ ବ୍ଲକରେ ଶିଶୁ, ଗର୍ଭବତୀ ମହିଳା, ପ୍ରସୂତୀମାନଙ୍କୁ ନିମ୍ନମାନର ଛତୁଆ ବଣ୍ଟନ କରାଯାଉଥିବାର ଅଭିଯୋଗ ହୋଇଥିଲା । କିନ୍ତୁ ପ୍ରଶାସନିକ ସ୍ତରରେ ଛତୁଆ ବଣ୍ଟନ କରୁଥିବା ସଂସ୍ଥା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ଅସ୍ୱାସ୍ଥ୍ୟକର ପରିବେଶରେ କିଭଳି ଛତୁଆ ପ୍ରସ୍ତୁତ କରାଯାଉଛି ତାହାର ଭିଡିଓ ସୋସିଆଲ ମେଡିଆରେ ଭାଇରାଲ ହେବା ପରେ ତୀବ୍ର ପ୍ରତିକ୍ରୀୟା ପ୍ରକାଶ ପାଇଛି । ଦୀର୍ଘ ଦିନ ଧରି ସାନକମର ଗ୍ରାମର ଶକ୍ତି ମାଆ ଲକ୍ଷ୍ମୀ ଏସଏଚ୍ଜି ଗ୍ରୁପ ଏବଂ ମା ଲକ୍ଷ୍ମୀ ନାରାୟଣୀ ଗୋଷ୍ଠୀ ଛତୁଆ ବଣ୍ଟନ ଦାୟୀତ୍ୱ ନେଇଛି । ନିମ୍ନମାନର ଛତୁଆ ବଣ୍ଟନରେ ସିଡିପିଓ କାର୍ଯ୍ୟାଳୟର ଦୁଇ କର୍ମଚାରୀ ସଂପୃକ୍ତ ରହିଥିବାର ଅଭିଯୋଗ କରାଯାଇଛି ।
ପ୍ରତି ମାସର ୨୩ ତାରିଖରେ ସରକାରୀ କର୍ମଚାରୀଙ୍କ ଉପସ୍ଥିତିରେ ଛତୁଆ ମିଶ୍ରଣ ହେଉଥିଲେ ମଧ୍ୟ ଏହା କିପରି ସମ୍ଭବ ହେଉଛି ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହାକୁ ନେଇ ବ୍ଲକ୍ ପ୍ରଶାସନ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନକୁ ଲିଖିତ ଭାବରେ ଅଭିଯୋଗ କରାଯାଇଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ଘଣ୍ଟ ଘୋଡାଉଥିବାର ଜଣାପଡିଛି । ମା’ ଲକ୍ଷ୍ମୀ ଏସ୍ଏଚ୍ଜି ଗ୍ରୁପରେ ଛତୁଆକୁ କିଭଳି ଗୋଡରେ ଗୋଳାଯାଉଛି ତାହାର ଭିଡିଓ ଭାଇରାଲ ହେବାପରେ ମଧ୍ୟ ପ୍ରଶାସନ ନିରବଦ୍ରଷ୍ଟା ସାଜିଛି । ଭିଡିଓ ଭାଇରାଲ ହେବାର ୬ ଦିନ ପରେ ନିଜକୁ ନିଦେ୍ର୍ଦାଷ ପ୍ରମାଣିତ କରିବା ପାଇଁ ଜଣେ ଯୁବକଙ୍କ ନାମରେ ଥାନାରେ ଅଭିଯୋଗ କରାଯାଇଛି । ଏଣୁ ଏହାର ତଦନ୍ତ ସହିତ ଦୁଇ ଗ୍ରୁପକୁ ଛତୁଆ ବଣ୍ଟନ ଦାୟୀତ୍ୱରୁ ମୁକ୍ତ କରିବା ପାଇଁ ପ୍ରଦୀପ ମିଶ୍ର, ଅମୂଲ୍ୟ ଜେନା, ମମତା ବିଶ୍ୱାଳ, ସସ୍ମିତା ବିଶ୍ୱାଳ ପ୍ରମୁଖ ଲିଖିତ ଭାବରେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି କରିଥିବାର ଜଣାପଡିଛି । ଏହାକୁ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦିଆଯିବା ସହିତ ୭ ଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଛି ।