ବର୍ଷାରେ ହନ୍ତସନ୍ତ ଶତାଧିକ ପରିବାର
ପୁରୀରେ ବସ୍ତିବାସିନ୍ଦା ଥଇଥାନ ଯୋଜନା ଫେଲ୍
ପୁରୀ (ବୁ୍ୟରୋ): ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ଓ ପ୍ରଶାସନ ମିଳିତ ଭାବେ ପର୍ଯ୍ୟଟନ ସହରରେ ବସବାସ କରୁଥିବା ବସ୍ତିବାସିନ୍ଦାଙ୍କୁ ଥଇଥାନ ପାଇଁ ମୁଖ୍ୟମନ୍ତ୍ରୀ ଜମି ପଟ୍ଟା ପ୍ରଦାନ କରିଥିଲେ । ସେମାନଙ୍କୁ କେବଳ କାଗଜ ପଟ୍ଟା ମିଳିଥିଲା ବେଳେ ବାସ୍ତବ ଜମି ଆଜି ପର୍ଯ୍ୟନ୍ତ ମିଳିଲା ନାହିଁ । ଫଳରେ ସେମାନେ ଆଜିପର୍ଯ୍ୟନ୍ତ ପଡ଼ି ରହିଛନ୍ତି ସେହି ବସ୍ତିରେ । ପୁରୀରେ ବର୍ଷାକୁ ବିତିଲାଣି ଦୁଇ ଦିନ । ସେମାନଙ୍କ ବାସସ୍ଥାନ ଏବେ ପାଣିରେ ଉବୁଟୁବୁ ହେଉଛି । ଏପରିକି ସେମାନଙ୍କ ଘରେ ପାଣି ଲହଡ଼ି ଭାଙ୍ଗୁଥିଲା ବେଳେ ତାଙ୍କ ପାଇଁ ରାଜରାସ୍ତା ପାଲଟିଛି ସାହା ଭରସା । ନିଜର ବାସସ୍ଥାନକୁ ଛାଡ଼ି ସେମାନେ ଏବେ ଜରିପାଲ ତଳେ ରାଜରାସ୍ତାରେ ପଡ଼ି ରହିଛନ୍ତି । ଏହି ରାସ୍ତା ଉପରେ ସେମାନେ ଆଶ୍ରୟ ନେବା ପରେ ସେମାନଙ୍କ ନିକଟରେ ନାଁ ପ୍ରଶାସନ ନାଁ ସ୍ଥାନୀୟ ରାଜନୈତିକ ବ୍ୟକ୍ତି କେହି ପହଞ୍ଚôନାହାନ୍ତି । କେବଳ ସେମାନେ ଭଗବାନଙ୍କୁ ସାହା ଭରସା କରି ଚଳୁଥିବା କହିଛନ୍ତି ରମିରେଲ ।
ସେ ଆହୁରି କହିଛନ୍ତି କିଛି ଦିନ ତଳେ ରାତିରେ ପ୍ରବଳ ବର୍ଷା ହୋଇଥିଲା । ରାତିରେ ଘରେ ଶୋଇଥିବା ସମୟରେ ସେମାନଙ୍କ ଉପରେ ପାଣି ଚାଲିଲା । ଫଳରେ ବିକଳରେ ଘରର ଆସବାବପତ୍ରକୁ ସାଥିରେ ଧରି ରାସ୍ତା ଉପରେ ଆଶ୍ରୟ ନେଉଛି । ପରିବାର ଚଳିବା ପାଇଁ ଆବଶ୍ୟକ ସମସ୍ତ ସାମଗ୍ରୀ ନଷ୍ଟ ହୋଇଥିଲା ବେଳେ ଏବେ ଓଳିଏ ଖାଇ ଅନ୍ୟ ଓଳିଏ ପାଇଁ କିଛି ନାହିଁ । ପିଲାମାନେ ଖାଇବା ପାଇଁ ଡହଳବିକଳ ହେଉଥିଲା ବେଳେ ସେମାନଙ୍କୁ ଖାଦ୍ୟ ଯୋଗାଇବା ସମର୍ଥ ହେଉନାହିଁ । କେବଳ ରାଜରାସ୍ତା ଓ ଜରିପାଲ ଆମ୍ଭ ପାଇଁ ପାଲଟିଛି ସାହା ଭରସା ।
ସୂଚନାଥାଉିକ, ସହରରେ ବସବାସ କରୁଥିବା ବସ୍ତିବାସିନ୍ଦା ବାରମ୍ବାର ବର୍ଷା ଋତୁରେ ହଇରାଣ ହରକତ ହେଉଥିଲା ବେଳେ ସେମାନଙ୍କୁ ଥଇଥାନ କରିବା ପାଇଁ ରାଜ୍ୟ ସରକାର ଉଦ୍ୟମ ଆରମ୍ଭ କରିଥିଲେ । ସ୍ଥାନୀୟ ପ୍ରଶାସନର ଅବହେଳା ଯୋଗୁଁ ଏବେ ଶତାଧିକ ପରିବାର ରାଜରାସ୍ତାରେ । ଅନ୍ୟପକ୍ଷରେ ଉକ୍ତ ଅଞ୍ଚଳରେ ଦୀର୍ଘଦିନ ଧରି ପାଣି ଜମି ରହିବା ଫଳରେ ଉକ୍ତ ପାଣି ପାଲଟିଛି ଜହର । ସେହି ପାଣିରେ ପଶି ପିଲାମାନେ ବସ୍ତିକୁ ଯା’ଆସ କରୁଛନ୍ତି । ଯାହାକି ଆଗାମୀ ଦିନରେ ବସ୍ତି ଅଞ୍ଚଳରେ ବ୍ୟାପିବ ଚର୍ମ ରୋଗ । ଏନେଇ ବସ୍ତିବାସିନ୍ଦାମାନେ ଜିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ ସୁଦ୍ଧା ସେମାନଙ୍କ ଗୁହାରି କେହି ଶୁଣୁନାହାନ୍ତି । କେବେ ସେମାନଙ୍କ ଦୁଃଖକୁ ପ୍ରଶାସନ ଦୂର କରୁଛି ତାହା ଉପରେ ସମସ୍ତଙ୍କ ନଜର ।