ମାଲକାନଗିରି ଉବୁଟୁବୁ

ମାଲକାନଗିରି,୧୬ା୭ (ଆପ୍ର): ଅଆଶଙ୍କା ସତ ହେଲା । ଓଡ଼ିଶାକୁ ବୁଡ଼ାଇଲା ଆନ୍ଧ୍ରର ପୋଲାଭରମ୍ ପ୍ରକଳ୍ପ । ପୋଲାଭରମ୍ ପ୍ରକଳ୍ପ ଯୋଗୁ ମାଲକାନଗିରି ଜିଲ୍ଲାର ମୋଟୁ ସମେତ ଅନେକ ଗ୍ରାମ ଜଳପ୍ଳାବିତ ହୋଇଛି । ପୋଲାଭରମ୍ରୁ ଆସୁଥିବା ପଛୁଆ ଜଳ ପାଇଁ ଗୋଦାବରୀ ନଦୀରେ ଜଳସ୍ତର ବଢିବା ସହ ୩ ନମ୍ବର ବିପଦ ସଙ୍କେତ ପାରକରି ଜଳସ୍ତର ୭୧ ଫୁଟ ଉପରେ ପହଞ୍ଚିଛି । ମାଲକାନଗିରି ଜିଲ୍ଲାର ମୋଟୁ ଅଞ୍ଚଳର ମୁଗି ପଏଣ୍ଟ ଦୁଇଦିନ ଧରି ଜଳ ମଗ୍ନ ହୋଇଥିବା ବେଳେ ଗତକାଲି ପୁରୁଣା ମୋଟୁ ଓ ଆଖପାଖ ଅଞ୍ଚଳରେ ବନ୍ୟାଜଳ ପଶିଛି । ଶନିବାର ମୋଟୁ ସଦର ମହକୁମାରେ ଜଳସ୍ତର ବଢିବାରେ ଲାଗିଛି । ରାତିକ ମଧ୍ୟରେ ଜଳସ୍ତର ବଢି ପ୍ରାୟ ୧ କିଲୋମିଟର ଅଧିକ ଆଗକୁ ଆସିଛି । ଫଳରେ ଆତଙ୍କିତ ହୋଇ ପଡିଛନ୍ତି ମୋଟୁବାସୀ ।
ଗତ ୩୬ ବର୍ଷର ରେକର୍ଡକୁ ଭାଙ୍ଗିଛି ମୋଟୁ ଅଞ୍ଚଳରେ ବନ୍ୟା ସ୍ଥିତି । ଗତକାଲି ଆଂଶିକ ବୁଡ଼ି ଯାଇଥିବା ପୁରୁଣା ମୋଟୁ ଗ୍ରାମ ଆଜି ସମ୍ପୂର୍ଣ୍ଣ ଜଳମଗ୍ନ ହୋଇଛି । ଗୋଦାବରୀ ନଦୀ ଜଳସ୍ତର ଖସୁ ନ ଥିବାରୁ ଆଗକୁ ଆହୁରି ବିପଦ ସୃଷ୍ଟି ହେବ ବୋଲି ଆଶଙ୍କା କରାଯାଇଛି । ଏଭଳି ବନ୍ୟା ବିଭୀଷିକା ଦଶନ୍ଧି ଦଶନ୍ଧି ଧରି ଦେଖି ନ ଥିବା ପ୍ରକାଶ କରିଛନ୍ତି ସ୍ଥାନୀୟ ବାସିନ୍ଦା ।
ଅବିଶ୍ରାନ୍ତ ବର୍ଷା ଏବଂ ପୋଲାଭରମ ଓ ଗୋଦାବେରୀ ନଦୀର ପଛୁଆ ଜଳ ପଶି ବେହାଲ ମାଲକାନଗିରି । ଗୋଦାବରୀ ନଦୀ ଅସ୍ୱାଭାବିକ ଭାବେ ଫୁଲିବାରୁ ମୋଟୁ ନିକଟରେ ପ୍ରବାହିତ ଚିନାଗୋଦାବରୀ ନଦୀରେ ଜଳ ନିଷ୍କାସନ ଠିକ୍ ରୂପେ ହୋଇପାରୁନି । ଫଳରେ ବନ୍ୟାର ଧୋଇ ହୋଇଯାଉଛି ମୋଟୁ । ମୋଟୁ ବୁଡିଯିବା ସହ ଜଳସ୍ତର ବଢୁଥିବାରୁ ରାତି ଅଧିଆ ଲୋକଙ୍କୁ ସ୍ଥାନାନ୍ତର କରିଛି ଜିଲ୍ଲା ପ୍ରଶାସନ । ତଥାପି ବର୍ଷା ଜଳ ଶୀଘ୍ର ଗାଁ ଭିତରେ ପସିଯିବା ହେତୁ ଅନେକ ଜିନିଷ ଘରେ ଛାଡ଼ି ନିଜ ଜୀବନ ବଞ୍ଚାଇ ଆଶ୍ରୟ ସ୍ଥଳକୁ ଆସିଛନ୍ତି ଶହ ଶହ ଅଞ୍ଚଳବାସୀ । ଏପରିକି ଜଳସ୍ତର କ୍ରମାଗତ ଭାବେ ବଢିବାରୁ ବର୍ତ୍ତମାନ ଏହା ମୋଟୁ ସଦର ମହକୁମାରେ ପଶି ଆବାସିକ ବିଦ୍ୟାଳୟ ଓ ଅନ୍ୟାନ୍ୟ ବିଦ୍ୟାଳୟ ସହ ବନବିଭାଗର କିଛି ସରକାରୀ ଗୃହ ମଧ୍ୟରେ ପଶିବାରେ ଲାଗିଛି । ଯାହାକୁ ନେଇ ପ୍ରଶାସନ ପକ୍ଷରୁ ହଷ୍ଟେଲରେ ଥିବା ୩୨୮ ଜଣ ଛାତ୍ରଛାତ୍ରୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତରିତ କରାଯାଇଛି । ପୁରୁଣା ମୋଟୁ, ମୋଟୁ, ଆଲମା, ବିନାୟକପୁର ଆଦି ଅନେକ ଗ୍ରାମରୁ ୫୫୦ରୁ ଊଦ୍ଧ୍ୱର୍ ଲୋକଙ୍କୁ ବର୍ତ୍ତମାନ ସୁଦ୍ଧା ଉଧାର କରି ବନ୍ୟା ଆଶ୍ରୟସ୍ଥଳ ଏବଂ ଅନ୍ୟାନ୍ୟ ସୁରକ୍ଷିତ ସ୍ଥାନକୁ ନିଆଯାଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦ୍ଧାର କରଯାଇଥିବା ଏହି ଲୋକମାନଙ୍କ ପାଇଁ ଖାଦ୍ୟ, ପାନୀୟ ଜଳ ସହ ଅନ୍ୟାନ୍ୟ ବ୍ୟବସ୍ଥା ମଧ୍ୟ କରାଯାଇଛି ।
ଜିଲ୍ଲା ବିଜୁ ଜନତା ଦଳର ଏକ ଟିମ୍ ଶନିବାର ମୋଟୁ ଅଞ୍ଚଳକୁ ଯାଇ ବନ୍ୟାସ୍ଥିତିର ସରଜମିନ ଅନୁଧ୍ୟାନ କରିଛନ୍ତି । ଟିମ୍ରେ ବିଜେଡି ଜିଲ୍ଲା କାର୍ଯ୍ୟକାରୀ ସଭାପତି ଦୂର୍ଗାପ୍ରସାଦ ତ୍ରିପାଠୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରି ତାଙ୍ଗୁଲ, ଜିଲ୍ଲା ଉପ-ସଭାପତି ହୃଦାନନ୍ଦ ସାହୁ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ପତିତ ପାବନ ବୈଦ୍ୟ, କଲିମେଳା ବ୍ଲକ ଚେୟାରମ୍ୟାନ ସୁଭାସିନୀ ସୋଡି ପ୍ରମୁଖ ସାମିଲ ମୋଟୁ ଗସ୍ତକରି ପୀଡିତଙ୍କୁ ଭେଟିବା ସହିତ ସ୍ଥାନୀୟ ଅଧିକାରୀଙ୍କ ସଙ୍ଗେ ରିଲିଫ ଯୋଗାଣ ଉପରେ ଆଲୋଚନା କରିଛନ୍ତି । ପୋଲାଭରମ ପ୍ରକଳ୍ପ ଉପରେ ରୋକ ଲଗାଇବା ପାଇଁ ବିଜେଡି ଟିମ୍ ପକ୍ଷରୁ ଦାବି କରାଯାଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *