ଧଳା ଜହର କବଳରେ ଅସ୍ତରଙ୍ଗ

ଅସ୍ତରଙ୍ଗ (ଆପ୍ର): ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନା ଓ ଅସ୍ତରଙ୍ଗ ସାମୁଦ୍ରିକ ଥାନା ଅଞ୍ଚଳରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଛି । ଗତ ୬ ମାସ ମଧ୍ୟରେ ୧୬୦ ରୁ ଊଦ୍ଧ୍ୱର୍ ମାମଲା ଅସ୍ତରଙ୍ଗ ଥାନାରେ ପଞ୍ଜିକୃତ ହୋଇଥିବା ବେଳେ ସାମୁଦ୍ରିକ ଥାନାରେ ୩୦ ରୁ ଅଧିକ ମାମଲା ପଞ୍ଜିକୃତ ହୋଇଛି । ଧଳା ଜହର କାରବାର ଯୋଗୁଁ ଅସ୍ତରଙ୍ଗ ଅଞ୍ଚଳରେ ଅପରାଧ ବଢ଼ି ଚାଲିଛି । ଏଥିପ୍ରତି ପୁଲିସ ପ୍ରଶାସନର ଅଙ୍କୁଶ ନାହିଁ । ଅସ୍ତରଙ୍ଗ ଅଞ୍ଚଳର ଗଳିକନ୍ଦିରେ ବ୍ରାଉନ୍ସୁଗାର କାରବାର ଏକପ୍ରକାର କୁଟୀର ଶିଳ୍ପରେ ପରିଣତ ହୋଇଛି ।
ଭୁବନେଶ୍ୱର, ବାଲେଶ୍ୱର ଓ ଖୋର୍ଦ୍ଧା ଅଞ୍ଚଳରୁ ଅସ୍ତରଙ୍ଗକୁ ଏହି ବିଷାକ୍ତ ମାଦକ ଦ୍ରବ୍ୟ ଖୋଲା ଖୋଲି ଭାବେ ଚାଲାଣ ହେଉଥିବା ବେଳେ ଅସ୍ତରଙ୍ଗ ପୁଲିସ ଓ ଅବକାରୀ ବିଭାଗ ନିରବଦ୍ରଷ୍ଟା ସାଜିଛି । ଯୁବପିଢ଼ି ପଥଭ୍ରଷ୍ଟ ହେଉଛନ୍ତି । ଏହି ନିଶାଦ୍ରବ୍ୟ ସହଜରେ ଉପଲବ୍ଧ ହେଉଥିବାରୁ ନିଶାଡୀଙ୍କ ସଂଖ୍ୟା ବଢ଼ିବାରେ ଲାଗୁଛି । ଅସ୍ତରଙ୍ଗ ଥାନା ଅନ୍ତର୍ଗତ ନଗର ରେଡକ୍ରସ ଛକ, କାଳିଆକଣ ଛକ, ଆଳସାହି ଛକ, ଉକୁଳେଇ ଛକ, ଭଉଁରିଆରୁ ବେଗୁନିଆ ମୁଖ୍ୟ ରାସ୍ତା, ମାଳଦା ଛକ, କଣମଣ ଛକ, ଜିଉଁନ୍ତି ଖଣ୍ଡାସାହି ଛକ, ଅସ୍ତରଙ୍ଗ ମୁଖ୍ୟ ବଜାର ଓ ସାମୁଦ୍ରିକ ଥାନା ଅନ୍ତର୍ଗତ ନୂଆଗଡ ଛକ, ଡମଶୁଣ ଛକ ସହିତ କାକଟପୁର ଥାନା ଅନ୍ତର୍ଗତ ତାଳଦା ଘାଟ, ଖଣ୍ଡାସାହି ମୁଖ୍ୟ ଛକରେ ଖୋଲାଖୋଲି ଭାବେ ଧଳା ଜହର କାରବାର ଚାଲିଛି । ବିଭିନ୍ନ ସମୟରେ ଏହି ନିଶାଡି ମାନେ ଚୋରି ଓ ରାହାଜାନି ଭଳି ଅପରାଧ କରିବାକୁ ମଧ୍ୟ ପଛାଉ ନାହାନ୍ତି । ପୁଲିସ ପ୍ରଶାସନ ଏହି କାରବାରରେ ଅଙ୍କୁଶ ଲଗାଇବାରେ ବିଫଳ ହେଉଥିବା ଅଭିଯୋଗ ହେଉଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *