ବିକ୍ରମସିଂଘେ କାମଚଳା ରାଷ୍ଟ୍ରପତି
ମହିନ୍ଦା, ବାସିଲ୍ଙ୍କ ବିଦେଶ ଗସ୍ତ
ଉପରେ ରୋକ୍ ଲଗାଇଲେ ସୁପ୍ରିମକୋର୍ଟ
୧୫ ଦିନ ମଧ୍ୟରେ ଦେଶ ଛାଡ଼ିବାକୁ
ଗୋଟବାୟାଙ୍କୁ ସିଙ୍ଗାପୁରର ନିଦେ୍ର୍ଦଶ
କଲମ୍ବୋ (ଏଜେନ୍ସି): ଶ୍ରୀଲଙ୍କାର ଜରୁରି ପରିସ୍ଥିତି ମଧ୍ୟରେ କାମଚଳା ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ରାଣିଲ ବିକ୍ରମସିଂଘେ । ଶ୍ରୀଲଙ୍କା ମୁଖ୍ୟ ବିଚାରପତି ଜଷ୍ଟିସ୍ ଜୟନ୍ତ ଜୟସୁରିଆ, ଶୁକ୍ରବାର ରାଣିଲ୍ଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି । ଅନ୍ୟପକ୍ଷେ ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀ କରି ସିଙ୍ଗାପୁର ପଳାୟନ କରିଥିବା ଗୋଟାବାୟା ରାଜପକ୍ଷେ ଶ୍ରୀଲଙ୍କାର ରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଥିବା ଔପଚାରିକତା ଭାବେ ଘୋଷଣା କରିଛନ୍ତି ବାଚସ୍ପତି ମହିନ୍ଦା ୟାପା ଆବେବର୍ଦ୍ଦନା । ଏସମ୍ପର୍କରେ ସୂଚନା ଦେଇ ଆବେବର୍ଦ୍ଦନା କହିଛନ୍ତି, ଗୁରୁବାର ଦିନ ତାଙ୍କ ନିକଟକୁ ଗୋଟବାୟା ନିଜ ଇସ୍ତଫା ପତ୍ର ପଠାଇଥିବା ବେଳେ ସେ ଏହାକୁ ସ୍ୱୀକାର କରିଛନ୍ତି । ଶନିବାର ସଂସଦୀୟ ବୈଠକ ବସିବ ଏବଂ ଏ ସମ୍ପର୍କରେ ଆଲୋଚନା କରାଯିବ । ୭ଦିନ ପରେ ଅର୍ଥାତ୍ ଆସନ୍ତା ୨୨ରେ ବିଧିବଦ୍ଧ ଭାବେ ରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ପ୍ରକ୍ରିୟା ଅନୁଷ୍ଠିତ ହେବ । ଏସବୁ ମଧ୍ୟରେ ଆଉ ଏକ ବଡ଼ ଖବର ମଧ୍ୟ ସାମ୍ନାକୁ ଆସିଛି । ଶ୍ରୀଲଙ୍କା ସୁପ୍ରିମକୋର୍ଟ, ଶୁକ୍ରବାର ଦିନ ପୂର୍ବତନ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷେ ଏବଂ ତାଙ୍କ ଭାଇ ତଥା ପୂର୍ବତନ ଶ୍ରୀଲଙ୍କା କ୍ୟାବିନେଟ୍ରେ ମନ୍ତ୍ରୀ ଥିବା ବାସିଲ୍ ରାଜପକ୍ଷେଙ୍କ ବିଦେଶ ଗସ୍ତ ଉପରେ ସମ୍ପୂର୍ଣ୍ଣ ରୋକ୍ ଲଗାଇଦେଇଛନ୍ତି । ପ୍ରକାଶ, ରାଜପକ୍ଷେ ପରିବାରର ଅନ୍ୟତମ ସଦସ୍ୟ ଗୋଟବାୟା ରାଜପକ୍ଷେ ସମ୍ପ୍ରତି ମାଳଦ୍ୱୀପରୁ ସିଙ୍ଗାପୁର ଅଭିମୁୂଖେ ପଳାୟନ କରିଛନ୍ତି । ଯିବାବେଳେ ସେ ନିଜ ସହ କୋଟି କୋଟି ଟଙ୍କାର ସମ୍ପତ୍ତି ନେଇଯାଇଥିବା ମଧ୍ୟ ଅଭିଯୋଗ ହୋଇଛି । ତେବେ ସଦ୍ୟ ସୂଚନାନୁସାରେ ସିଙ୍ଗାପୁର ସରକାର ଆସନ୍ତା ୧୫ ଦିନ ମଧ୍ୟରେ ସିଙ୍ଗାପୁର ଛାଡିବାକୁ ଗୋଟବାୟା ରାଜପକ୍ଷେଙ୍କୁ ନିଦେ୍ର୍ଦଶ ଦେଇଥିବା ଜାଣିବାକୁ ମିଳିଛି ।