ଦୁଇ ଦିନରେ ୬ ମୃତ

କାଶୀପୁରରେ ଝାଡ଼ାବାନ୍ତି ଅଣାୟତ୍ତ
ରାୟଗଡ/କାଶୀପୁର,୧୫ା୭ (ଆପ୍ର): ରାୟଗଡ଼ ଜିଲ୍ଲା କାଶୀପୁର ଅଞ୍ଚଳରେ ଝାଡ଼ାବାନ୍ତି ବ୍ୟାପିବାରେ ଲାଗିଛି । ଲଥିରେ ଆକ୍ରାନ୍ତ ହୋଇ ଦୁଇଦିନରେ ୬ ଜଣ ପ୍ରାଣ ହରାଇବା ସହିତ ଏକାଧିକ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।
ଟିକିରି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀନରେ ଥିବା ଗୋବରୀଘାଟିର କନେଇ ମାଝୀ ଓ ଟିକିରି ଝୋଡ଼ିଆ ସାହିର ସରୋଜିନୀ ଝୋଡ଼ିଆ, ଅନୁ ଝୋଡ଼ିଆ, ରଜନୀ ଝୋଡ଼ିଆ, କାରାକୁପୁଲି ସାହିର ଧୋବା ମାଝି ଓ ଦୁଡୁକାବାହାଲର ସବିତା ନାଏକ ପ୍ରାଣ ହରାଇଥିବା ଖବର ମିଳିଛି ।
ରବିବାର ଦିନ ପରେ କାଶୀପୁର ଅଞ୍ଚଳରେ ଝାଡ଼ାବାନ୍ତି ଆରମ୍ଭ ହୋଇଥିଲା । କାଶୀପୁର ସ୍ୱାସ୍ଥ୍ୟ କେନ୍ଦ୍ରରେ କିଛି ଆକ୍ରାନ୍ତ ଚିକିତ୍ସିତ ହୋଇ ଫେରିଥିଲେ । ଆଉ କେତେକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିଲା । ଗୁରୁବାର ରାତିରେ ଏକ ସମ୍ପ୍ରଦାୟର ୩ ଜଣ ଛାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇବା ପରେ ମୃତୁ୍ୟ ସଂଖ୍ୟା ବୃଦ୍ଧି ପାଇଛି । ରାୟଗଡ ଏଡିଏମଓ ଡା. ଭି ଏଲ ଏନ ରାଜୁଙ୍କ ନେତୃତ୍ୱରେ ବିଡିଓ ଦେବାଶିଷ କର, ଡା. ଆର ରାଭଣା ରାଓଙ୍କ ସମେତ ସ୍ୱାସ୍ଥ୍ୟ କର୍ମୀ ଟିକିରି ଝୋଡ଼ିଆ ସାହିରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଟିକିରି ହସ୍ପିଟାଲରେ ୩୫ ଜଣ ଚିକିତ୍ସିତ ହେଉଛନ୍ତି । କାଶୀପୁର ହସ୍ପିଟାଲରେ ମଧ୍ୟ ଏକାଧିକ ବ୍ୟକ୍ତି ଭର୍ତ୍ତି ହୋଇଛନ୍ତି । ଟିକିରି ହସ୍ପିଟାଲ ଉପରେ କାଶୀପୁର ବ୍ଲକର ୧୫ ପଞ୍ଚାୟତ ଲୋକେ ନିର୍ଭର କରନ୍ତି । ଏଠାରେ ଆବଶ୍ୟକ ସଂଖ୍ୟକ ଡାକ୍ତରଙ୍କ ଅଭାବ ରହିଛି । କିନ୍ତୁ ଝାଡ଼ାବାନ୍ତି ଖବର ପ୍ରଚାରିତ ହେବା ପରେ ବାହାଘର ବେଳେ ବାଇଗଣ ରୋଇବା ନ୍ୟାୟରେ ଜଣେ ଡାକ୍ତରଙ୍କୁ ନିଯୁକ୍ତି ଦିଆଯାଇ ଚିମିତ୍ସା ସେବା ଜାରି ରହିଛି । ତୁରନ୍ତ ଏଠାରେ ସ୍ଥାୟୀ ଡାକ୍ତର ନିଯୁକ୍ତି ପାଇଁ ଦାବି ହୋଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *