ସେମିରେ ସିନ୍ଧୁ; ସାଇନା, ପ୍ରଣୟ ହାରିଲେ

ସିଙ୍ଗାପୁର ଓପନ୍
ସିଙ୍ଗାପୁର, ୧୫ା୭ (ଏଜେନ୍ସି): ଦୁଇ ଥର ଅଲିମ୍ପିକ୍ ପଦକଧାରୀ ପିଭି ସିନ୍ଧୁ ଆଉ ଏକ ରୋମାଞ୍ଚକର ବିଜୟ ସହ ଶୁକ୍ରବାର ସିଙ୍ଗାପୁର ଓପନ୍ ସୁପର୍ ୫୦୦ ଟୁର୍ଣ୍ଣାମେଣ୍ଟରେ ମହିଳା ଏକକ ସେମିଫାଇନାଲ୍ରେ ପ୍ରବେଶ କରିଥିବା ବେଳେ ତାଙ୍କ ଟିମ୍ମେଟ୍ ସାଇନା ନେହୱାଲ ଓ ଥୋମାସ୍ କପ୍ ବିଜୟର ଅନ୍ୟତମ ହିରୋ ଏଚ୍ଏସ୍ ପ୍ରଣୟ ପରାଜୟ ସହ ପ୍ରତିଯୋଗିତାରୁ ବିଦାୟ ନେଇଛନ୍ତି ।
କ୍ୱାର୍ଟର୍-ଫାଇନାଲ୍ରେ ତୃତୀୟ ସିଡ୍ ସିନ୍ଧୁ ଚୀନ୍ର ହାନ୍ ୟୁଏଙ୍କୁ ୧୭-୨୧, ୨୧-୧୧, ୨୧-୧୯ରେ ପରାସ୍ତ କରିଥିଲେ । ପ୍ରଥମ ଗେମ୍ ହାରିବା ପରେ ଭାରତୀୟ ଖେଳାଳି ଜୋର୍ଦାର ପ୍ରତ୍ୟାବର୍ତ୍ତନ କରିଥିଲେ ଏବଂ ପରବର୍ତ୍ତୀ ଗେମ୍କୁ ସହଜରେ ଜିତିଥିଲେ । ନିର୍ଣ୍ଣାୟକ ଗେମ୍ ସଂଘର୍ଷପୂର୍ଣ୍ଣ ହୋଇଥିଲା, ହେଲେ ଶେଷରେ ସିନ୍ଧୁ ଏହା ଉପରେ କବ୍ଜା କରିଥିଲେ ।
ଏହି ମ୍ୟାଚ୍ ଏକ ଘଣ୍ଟାରୁ ଅଧିକ ସମୟ ଧରି ଚାଲିଥିଲା । ଏଥିସହିତ ସେ ଏହି ଚୀନା ଖେଳାଳିଙ୍କ ବିପକ୍ଷରେ ଜୟ-ପରାଜୟ ରେକର୍ଡକୁ ୩-୦ରେ ପହଞ୍ଚାଇଛନ୍ତି । ମେ’ରେ ହୋଇଥିବା ଥାଇଲାଣ୍ଡ ଓପନ୍ ପର ଠାରୁ ସେ ପ୍ରଥମ ଥର ସେମିଫାଇନାଲ୍ରେ ସ୍ଥାନ ପାଇଛନ୍ତି । ସିନ୍ଧୁ ପରବର୍ତ୍ତୀ ରାଉଣ୍ଡରେ ଅନ୍ସିଡ୍ ବିଶ୍ୱର ୩୮ତମ ଜାପାନୀ ଖେଳାଳି ସାଏନା କାୱାକାମୀଙ୍କୁ ଭେଟିବେ । କାୱାକାମୀ ଷଷ୍ଠ ସିଡ୍ ଥାଇଲାଣ୍ଡର ପୋର୍ନପୱି ଚୋଚୁୱଙ୍ଗଙ୍କୁ ୨୧-୧୭, ୨୧-୧୯ରେ ହରାଇ ବିପର୍ଯ୍ୟୟ ଘଟାଇଥିଲେ ।
ବର୍ମିଂହାମ୍ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପୂର୍ବରୁ ପୂର୍ବତନ ବିଶ୍ୱ ବିଜୟିନୀ ସିନ୍ଧୁଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିଛି । ସାଏନାଙ୍କ ବିପକ୍ଷରେ ତାଙ୍କର ୨-୦ ଜୟ-ପରାଜୟ ରେକର୍ଡ ରହିଛି ।
ଲଣ୍ଡନ ଅଲିମ୍ପିକ୍ସ କାଂସ୍ୟ ପଦକ ବିଜୟିନୀ ସାଇନା ନେହୱାଲ୍ ବାମହାତି ଜାପାନୀ ଖେଳାଳି ଅୟା ଓହରୀଙ୍କ ଠାରୁ ୧୩-୨୧, ୨୧-୧୫, ୨୦-୨୧ରେ ହାରିଯାଇଥିଲେ । ପୂର୍ବ ମ୍ୟାଚ୍ରେ ସେ ବିଶ୍ୱର ନବମ ଖେଳାଳି ହି ବିଙ୍ଗ୍ ଜିଆଓଙ୍କୁ ହରାଇଥିଲେ । କ୍ୱାର୍ଟରରେ ଏହି ୩୨ବର୍ଷୀୟ ଭାରତୀୟ ଭେଟେରାନ୍ ଦୁଇ ଥର ନିଜ ମ୍ୟାଚ୍ ପଏଣ୍ଟକୁ କନଭର୍ଟ କରିପାରି ନ ଥିଲେ । ତଥାପି ମ୍ୟାଚ୍ରେ ସାଇନା କଡ଼ା ସଂଘର୍ଷ କରିଥିଲେ । ପ୍ରଥମ ଗେମ୍ ହାରିବା ପରେ ପ୍ରତ୍ୟାବର୍ତ୍ତନ କରି ଦ୍ୱିତୀୟ ଗେମ୍ ଜିତିଥିଲେ । ନିର୍ଣ୍ଣାୟକ ଗେମ୍ରେ ମାତ୍ର ଗୋଟିଏ ପଏଣ୍ଟ ବ୍ୟବଧାନରେ ସେ ହାରି ଯାଇଥିଲେ ।
ପୁରୁଷ ଏକକରେ ପ୍ରଣୟ ମଧ୍ୟ ସଂଘର୍ଷପୂର୍ଣ୍ଣ ପ୍ରଦର୍ଶନ କରିଥିଲେ, ହେଲେ ଶେଷରେ ୨୧-୧୨, ୧୪-୨୧, ୧୮-୨୧ରେ ପରାଜିତ ହୋଇଥିଲେ । ପ୍ରଣୟ ୯ ପଏଣ୍ଟ ବ୍ୟବଧାନରେ ପ୍ରଥମ ଗେମ୍ ଜିତିଥିଲେ । କିନ୍ତୁ ଏହାପରେ ଆଉ ଲୟ ବଜାୟ ରଖିପାରି ନ ଥିଲେ ।
ଭାରତୀୟ ପୁରୁଷ ଯୁଗଳ ଯୋଡ଼ି ଏମ୍ଆର୍ ଅର୍ଜୁନ ଓ ଧ୍ରୁବ କପିଳାଙ୍କୁ ଦ୍ୱିତୀୟ ସିଡ୍ ଇଣ୍ଡୋନେସିଆର ମହମ୍ମଦ ଏହସାନ୍ ଓ ହେନ୍ଦ୍ରା ସେତିଆୱାନ୍ ୧୦-୨୧, ୨୧-୧୮, ୨୧-୧୭ରେ ପରାସ୍ତ କରିଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *