୬୭ ହାଇସ୍କୁଲ୍ରେ ନାହାନ୍ତି ପ୍ରଧାନଶିକ୍ଷକ

କେନ୍ଦୁଝର (ଆପ୍ର): କେନ୍ଦୁଝର ଜିଲ୍ଲାରେ ୨୦୮ଟି ସରକାରୀ ହାଇସ୍କୁଲ୍ ମଧ୍ୟରୁ ୧୩୬ଟିରେ ପ୍ରଧାନ ଶିକ୍ଷକ ଥିବାବେଳେ ୬୭ଟି ହାଇସ୍କୁଲ୍ରେ ପ୍ରଧାନ ଶିକ୍ଷକ ନାହାନ୍ତି । ବିନା ପ୍ରଧାନଶିକ୍ଷକରେ ସରକାରୀ ହାଇସ୍କୁଲ୍ ଚାଲିଥିବାରୁ ବିଭିନ୍ନ ପ୍ରକାର ସମସ୍ୟା ଦେଖାଦେଇଛି । ବିଦ୍ୟାଳୟ ପରିଚାଳନା ବିଭ୍ରାଟ, ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ବାଧା, ପାଠପଢ଼ା ତଦାରଖର ଅଭାବ, ସରକାରଙ୍କ ପାଖରୁ ମଗାଯାଉଥିବା ବିଭିନ୍ନ ରିପୋର୍ଟ ଦେବାରେ ସମସ୍ୟା ଦେଖାଦେଇଛି ।
ରାଜ୍ୟ ସରକାର ସମସ୍ତ ହାଇସ୍କୁଲ୍କୁ ୫-ଟିରେ ରୂପାନ୍ତରୀକରଣ କରିଛନ୍ତି । ସ୍ଥାୟୀ ପ୍ରଧାନଶିକ୍ଷକ ନିଯୁକ୍ତିରେ ସରକାର ବିଳମ୍ବ କରୁଛନ୍ତି । କୌଣସି ହାଇସ୍କୁଲ୍ରେ ପ୍ରଧାନଶିକ୍ଷକଙ୍କ ପଦୋନ୍ନତି ବା ଅବସର ପରେ ଆଉ ନିଯୁକ୍ତି କରାଯାଉ ନ ଥିବାରୁ ଏଭଳି ପରିସ୍ଥିତି ଉପୁଜିଛି । ସ୍କୁଲ୍ ପରିଚାଳନା ପାଇଁ ସବୁଠି ସମସ୍ୟା ଦେଖାଦେଇଛି । ୫ଟି ସରକାରୀ ହାଇସ୍କୁଲ୍ରେ ସରକାରଙ୍କ ବିଭିନ୍ନ ଅନୁମାଦନ ଅର୍ଥ କିପରି ଓ କାହା ମାଧ୍ୟମରେ ଖର୍ଚ୍ଚ ହେଉଛି ତାହା ମଧ୍ୟ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ବିଦ୍ୟାଳୟର ଭିତ୍ତିଭୂମି ବିକାଶ କଲେ କ’ଣ ଶିକ୍ଷାର ଉନ୍ନତି ହୋଇଯିବ ବୋଲି ପ୍ରଶ୍ନ କରିଛନ୍ତି ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ରବିନ୍ଦ୍ରନାଥ ପଣ୍ଡା । ଜୁନ୍ ୩୦ ତାରିଖରେ କେନ୍ଦୁଝର ଜିଲ୍ଲାରେ ୪ ଜଣ ପ୍ରଧାନଶିକ୍ଷକ ଅବସର ଗ୍ରହଣ କରିଛନ୍ତି । ଜନକଲ୍ୟାଣ ହାଇସ୍କୁଲ୍ ଦହକଟାର ପ୍ରଧାନଶିକ୍ଷକ ଶାନ୍ତନୁ କୁମାର ସାହୁ, ଜଗନ୍ନାଥ ବିଦ୍ୟାମନ୍ଦିର ଅଶୋକନଗର ବାତୋର ପ୍ରଧାନଶିକ୍ଷକ ଚିନ୍ତାମଣୀ ସାହୁ, ଜନତା ଉଚ୍ଚ ବିଦ୍ୟାଳୟ ଜିରାଙ୍ଗର ପ୍ରଧାନ ଶିକ୍ଷୟିତ୍ରୀ ଛବି ମହାନ୍ତ, ଜନତା ହାଇସ୍କୁଲ୍ ଗୋବର୍ନ୍ଧନ ପ୍ରଧାନଶିକ୍ଷକ ରଙ୍ଗାଧର ମହାନ୍ତ ଅବସରଗ୍ରହଣ ନେଇଛନ୍ତି । ରାଜ୍ୟ ସରକାର ହାଇସ୍କୁଲ୍ରେ ପ୍ରଧାନଶିକ୍ଷକ ନିଯୁକ୍ତି ପାଇଁ ୨୦୨୧, ନଭେମ୍ବର ମାସରୁ ଯୋଗ୍ୟ ଶିକ୍ଷକଙ୍କ ତାଲିକା ପ୍ରସ୍ତୁତ କରିଥିଲେ ମଧ୍ୟ ଏ ଯାଏ କ୍ୟାଡର ଲିଷ୍ଟ ପ୍ରକାଶ କରାଯାଇ ନାହିଁ କି ପଦୋନ୍ନତି ଦିଆଯାଉନାହିଁ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *